ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା = “ଲୌହ ଦାନବର, ରକ୍ତ ଭୋଜି “

ଲୌହ ଦାନବର, ରକ୍ତ ଭୋଜି 

 ଜୟ କୁମାର ମିଶ୍ର

ଲୌହ ଦାନଵର, ରକ୍ତ ଭୋଜି ବରି  
ପୁଣି ଦେଲା ବହୁ ଦୁଃଖ, 
କଳା ଇତିହାସ, ଅଧ୍ୟାୟ ସନ୍ଦେଶ 
ସଭିଙ୍କୁ କଲା ବିମୁଖ ll
ଏକିକଲ ପ୍ରଭୁ, ସାରିଦେଲ ସବୁ 
ଖେଳଘର ଲୀଳା ଖେଳା, 
ଭାଙ୍ଗି ଦେଇଗଲ, ସପନ ମହଲ 
ସବୁ ଧୂଳିସାତ ହଲା ll
ଆଖି ପିଛୁଳାକେ, ଏକ ମୁହୂର୍ତ୍ତକେ 
କେତେ ଘଟଣାଟି ହେଲା, 
ଜୀବନଟି ଗଲା, ଆହତ କେ ହେଲା 
ରୁଧିରେ ନଦୀ ବହିଲା ll
ହେଲା ହାଃ, ହାଃ କାର, ସବୁ ନାରଖାର
କାନ୍ଦ, ବୋବାଳିଟି ଘୋର, 
ଆପଣା, ସ୍ୱଜନ, ବନ୍ଧୁ ପରିଜନ 
କୁଟୁମ୍ବଟି ନାରଖାର ll
କଟି,ଫାଟି ଅଙ୍ଗ , ଭିନ୍ନ କ୍ଷମ ସଙ୍ଗ 
ସଙ୍ଗତରେ ସାଥି କେହି, 
ଆଶା ଓ ଭରସା, ମନର ପିପାସା 
ରେଳ ଯାତ୍ରା ଦେଲା ଧୋଇ ll
ସ୍ତବ୍ଧଟି ହୋଇଲା, ଜଗତ କାନ୍ଦିଲା 
ଲୁହ, କୋହ, ଘନ ଘଟା, 
ସୀମନ୍ତ, ସିନ୍ଦୁର, ହାତ ଶଙ୍ଖା କାର 
ବଳେ, ହେଲା ଫିଟା ତୁଟା ll
କୋଳର ନନ୍ଦନ,ନନ୍ଦିନୀ ବଦନ 
ହୋଇଗଲା ହାତ ଛଡା, 
ମୁରବୀ ଘରର, କରି ଗଲେ ପର
ଅନାଥେ, ଦୁଃଖରେ ଷଢ଼ା ll
ଲୌହ ଦାନଵର, ନର ଭୋଜି ଘର 
ପୁନରାବୃତ୍ତିଟି ହେଲା, 
ବିଦ୍ଧିର ବିଧାନ, ହାବ ଭାବମାନ 
ନିଷ୍ଠୁରେ ଭିଆଇ ଦେଲା ll
ଛାତି ଥରିଗଲା, ନିର୍ବାକ କେ ହେଲା 
ବାକଶକ୍ତି ହରାଇଲା, 
ଆଖିର ଲୋତକ, ଝରାଇ କେ ମୂକ 
ବାଚାଳ, ପାଗଳେ ଢ଼ୀଲା ll
ସପନ ହଜିଛି, ବେଦନା, ଖୋଜୁଛି 
ପ୍ରଶ୍ନ କରୁଅଛି କେତେ, 
କଣ ସେ କରବ, କିପରି ସହିବ
ଭୁଲି ପାରିବକି ସତେ ? 
ଶୁଣୁ ଅଛି କାନ, ପ୍ରବୋଧନା ମାନ 
କେତେ ଆଶ୍ୱାସନା ବାଣୀ, 
ତଥାପି ଅବୁଝା, ଆକୁଳରେ ଖୋଜା 
ଯିବାଲୋକ ଗୁଣ ଗୁଣୀ ll
ଜଗତ ଠାକୁର, ତୁମେ ଅଧିଶ୍ୱର
ଅଖିଳ, ସକଳ ପତି, 
ତୁମେ ଥାଉଁ ଥାଉଁ, ଦେଲ ଏଡ଼େ ଦାଉ 
ଏକି ତୁମ କରାମତି ?? II
ପତିତପାବନ, ବନା ଉଡାଉଛ 
ଜଗତ କଲ୍ୟାଣ ପାଇଁ, 
ଦୁର୍ଘଟଣା ହେଲା,ସୁରକ୍ଷା ନକଲା 
ସୁଦର୍ଶନ ଚକ୍ର ଯାଇ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରମିକ ଦିବସ

ଭାଗବତ ପ୍ରସାଦ ଙ୍କ କବିତା // ଜାଗରଯାତ୍ରା / ଉଜାଗର ଯାତ୍ରା

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

Leave a Comment

error: Content is protected !!