ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

“ଗାଆଁ ଦୁହିତା, ଉଦାରି ସୀତା”

 ଜୟ କୁମାର ମିଶ୍ର

ଗାଆଁ ଦୁହିତା, ଉଦାରି ସୀତା 
ଗାଆଁରେ ତାର ଘର, 
କଥାର ଦୃଢ଼, ଭାଙ୍ଗିବ ହାଡ଼ 
ଭୁଲି, ଆପଣା ପର ll
ଦାଣ୍ଡରେ ଠିଆ, ଲଗାଏ ନିଆଁ 
ଘରକୁ ଘର ବୁଲି, 
ଛଅକୁ ନଅ, କଥାର ସୁଅ 
କରେ ଭିଆଣ କଳି ll
ତା ମନ ମୂଳେ, ସବୁତ ଚଳେ 
ହୋଇବ ଭେଟଘାଟ, 
କେହି ଚାହିଁଲେ, ତା ମନ ଜଳେ 
ପଢ଼ାଇ ଦେବ ପାଠ ll
ଘର ପାଇଟି, ପିତା ଲାଗେଟି 
କରନ୍ତି ଘର ଲୋକ, 
ସରାଗ ରଖି, ସମ୍ପର୍କ ଯୋଖି 
ପରର ବେଠି ସୁଖ ll
ସବୁ ଜାଣିବା, ଦେଖାଇ ହେବା 
କହିବ ଉପଦେଶ, 
ବିଦ୍ଧି ବିଧାନ, ଗୁରୁ ସମ୍ମାନ 
ଏକା ନିଶ୍ୱାସେ ଶେଷ ll
ଘର କରଣା, ରୀତି ଠିକଣା 
ଅନର୍ଗଳ ତା ଗଳା 
ତିଆରି ଦେବ, କେତେ କହିବ
ସେହି ତା, ଜନ୍ମ କଳା ll
ପୋଥି ବାଙ୍ଗିଣ, ଦିଶେ ନିଖୁଣ 
କାମରେ ଢିଲା ପୋଲା, 
ଦୁର୍ବଳ ଦୋଷ, ହୋଇବ ଶେଷ 
ଅନ୍ୟଠି ଅବହେଳା ll
ଗାଆଁ ଯାକର, ବୁଝେ ଖବର 
ଭଲ ମନ୍ଦର ବାଣୀ, 
ସମୟ ଦେଖି, ମରମ ଯୋଖି 
ସରମ ଦେବ ବୁଣି ll
ସିଏ କହିବ, ଉଘାଇ ଦେବ
ଚାହିଁବି ନାହିଁ ମୁହଁ, 
କହିଲେ କିଏ, ଅସହ୍ୟ ହୁଏ 
ଉଗ୍ର ଚଣ୍ଡିକା ଦେହ ll
କରିବ କଳି, କାଢ଼ିବ ଝଳି 
ମାନ ମହତ ସାଥେ,  
ଉଡାଇ ଧୂଳି, ଛାଡି ବୋବାଳି 
ଶ୍ରୋତା କିଙ୍କର ପଥେ ll
ଯା ଲୁଣ ଖାଇ, ତା ଗୁଣ ଗାଇ 
ପ୍ରଶଂସା ବହୁ ବାର, 
ଦେଖି ପାଉଣା, ବୁଜୁଳି ମୁଣା 
ଟେକଇ ବହୁ ବାର ll
ପାନରୁ ଚୂନ, ହୋଇଲେ କ୍ଷୁର୍ଣ୍ଣ 
ଅଶୁଦ୍ଧି ସବୁ ହେଲା, 
ସବୁକୁ କହି, ଖୋଳିବ ଗଇ 
କରିବ ଠିଆ ପାଲା ll
ଗାଆଁ ଦୁହିତା, ଉଦାରୀ ସୀତା 
ଅଜଣା ଅଭିନୟ, 
ସବୁ ଜାଣଇ, ସବୁ ବୁଝଇ 
ଅନ୍ଧାରୀ ମାଡ ଲୟ ll
ମରଣା ଷଣ୍ଢ, ବଡ଼ ଉଦଣ୍ଡ
ବଡ଼ ସାନକୁ ଭୁଲେ, 
କାହାକୁ ଭୁସେ, କାହାକୁ ରସେ 
ସ୍ୱାର୍ଥ ସାଧନେ ବୁଲେ ll
ସ୍ୱାର୍ଥଟି ପାଇଁ, ସୀମା ଲଙ୍ଘଇ 
ନିଜକୁ ଯାଏ ଭୁଲି, 
ତା ପାଇଁ ଶୋଭା, ସୁନ୍ଦର ଆଭା
ନିନ୍ଦା ଚୁଲିକି ଠେଲି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି 
ଓଡିଶା, 761206, 

Related posts

ଜଗମୋହନ ପଟ୍ଟନାୟକ ଙ୍କ କବିତା = ପୁରୁଣା ସ୍ମୃତି,ମୋ ଅନୁଭୂତି

ପ୍ରେମଲତା ଙ୍କ କବିତା  l l l ଡିସେମ୍ୱର l l l

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା // ନବବର୍ଷକୁ ସ୍ବାଗତ 

Sunil Chandra Nayak

Leave a Comment

error: Content is protected !!