ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସର୍ଗିଗୁଡା ଠାରେ ବାହାଦି ଠାକୁରଙ୍କ ବାର୍ଷିକ ତେଲ ହଳଦୀ ଯାତ୍ରା ପାଳିତ

କୋକସରା,୫/୬- କଳାହାଣ୍ଡି ହେଉଛି ଆଦିବାସୀର ମାଟି, ଆଦିବାସୀଙ୍କ ପରମ୍ପରାରେ ଦେବାଦେବୀ ମାନଙ୍କ ସ୍ଥାନ ସର୍ବାଗ୍ରେ କାରଣ ଆଦିବାସୀଙ୍କ ଧାର୍ମିକ ଭାବନାରେ ଦେବାଦେବୀ ମାନଙ୍କ ସ୍ଥାନ ସ୍ୱତନ୍ତ୍ର ରହିଛି।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ସର୍ଗିଗୁଡା ଠାରେ ପ୍ରଭୁ ବାହାଦି ଠାକୁରଙ୍କ ତେଲ ହଳଦୀ ଯାତ୍ରାକୁ ଗ୍ରାମବାସୀ ମାନେ ଆନନ୍ଦ ଉଲ୍ଲାସ ସହ ରବିବାର ପାଳନ କରିଛନ୍ତି । ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ପାଦଦେଶରେ ଥିବା ଏହି ଗାଁଟି ଆସିବାସୀ ଜନଜାତି ବହୁଳ । ଏଠିକାର ସମସ୍ତେ ଜଙ୍ଗଲ ଜାତ ଦ୍ରବ୍ଯ ଓ ଚାଷ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠମାସ ତୃତୀୟା ପର୍ଯ୍ୟନ୍ତ ଏହି ପର୍ବ ପାଳନ ହେଉଥିବା ବେଳେ ଗାଁରେ ଥିବା ସମସ୍ତ ଦେବାଦେବୀ ମାନଙ୍କୁ ପୂଜାପାଠ କରାଯାଏ । ବାହାଦି ଠାକୁର ଆଦିବାସୀ ମାନଙ୍କ ପ୍ରତ୍ୟକ୍ଷ ଦେବତା ଭାବେ ପୂଜା ପାଉଥିବା ବେଳେ ଚାଷ ଆରମ୍ଭ ପୂର୍ବରୁ ଭଲ ବର୍ଷା ଓ ଭଲ ଚାଷ ହେବାପାଇଁ ବାହାଦି ଠାକୁର, ମା’ ଠାକୁରାଣୀ, ଭିମା ଦେବତା, ଭଣ୍ଡାରଘରଣୀ, ଧାରଣୀ ଦେବତାଙ୍କ ଠାରେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ମଧ୍ୟ ଅର୍ପଣ କରିଥାନ୍ତି । ଦେବାଦେବୀ ମାନେ ପ୍ରସନ୍ନ ହେଲେ ଭଲ ବର୍ଷା ସହିତ ଭଲ ଚାଷ ମଧ୍ୟ ହେବ ବୋଲି ପୂର୍ବପୁରୁଷ ମାନଙ୍କ ଠାରୁ ଲାଗି ରହିଥିବା ପରମ୍ପରାକୁ ଏମାନେ ବଜାୟ ରଖିଛନ୍ତି । ଆଜି ବାହାଦି ଦେବତାଙ୍କ ତେଲ ହଳଦି ବାର୍ଷିକ ଯାତ୍ରାର ଅନ୍ତିମ ଦିନ ଥିବାରୁ ଗ୍ରାମ ପୁଝାରୀଙ୍କ ନିର୍ଦ୍ଦେଶାନୁସାରେ ଗ୍ରାମବାସୀମାନେ ଏକାଠି ହୋଇ ଦେବାଦେବୀ ମାନଙ୍କୁ ତେଲ ହଳଦୀ ପାଣିରେ ଗାଧୋଇ ଦେବାପରେ ଏକାଠି ହୋଇ ହଳଦୀ ମିଶା ପାଣିକୁ ଖେଳି ଡାଲ ବୋହଲେନ ନାମକ ଏକ ଶୋଭାଯାତ୍ରାରେ ବାହାରି ସମସ୍ତେ ଖଣ୍ଡିଏ ଖଣ୍ଡିଏ ଗଛର ଡାଳକୁ ଧରି ନାଚିନାଚି ପୋଖରୀ ପାଣିରେ ନେଇ ବିସର୍ଜନ କରିଥାନ୍ତି ଓ ପରେ ଯାତ୍ରା ଏକାଠି ମିଶି ନାଚଗୀତ, ମଉଜ ମଜଲିସରେ ମଜ୍ଜି ଯାଆନ୍ତି । ତେଲ ହଳଦୀ ଯାତ୍ରାରେ ସର୍ଗିଗୁଡା, ତଲାଗାଁ, ରଏନଗୁଡା, ଦାବ୍ରିଗୁଡା, ତେଲିଗୁଡା ଗ୍ରାମର ଜନସାଧାରଣ ସାମିଲ ହୋଇଥିଲେ। ବାହାଦି ଠାକୁରଙ୍କ ମୁଖ୍ୟ ପୁଝାରୀ ଦେବ ପୁଝାରୀ ସମସ୍ତ ରିତିନୀତି କରିଥିବା ବେଳେ ଶିରା ଚନ୍ଦ୍ର ମଣି ଭାଟି, ମୁକୁନ୍ଦ ବାଣୁଆ, ମଧୁ ମାଝୀ ଦେବାଦେବୀଙ୍କ କାଲିସି ଲାଗି ହୋଇଥିଲା। ସମାପନ କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ସମାଜସେବୀ ସଞ୍ଚୟ ସିଙ୍ଘଲ, ରବି ନାରାୟଣ ଦାସ, ଯୋଗ ଦେଇଥିଲେ। ପୂଜା କମିଟି ସଭାପତି ଧନବଲ ମାଝୀ, ସମ୍ପାଦକ ପ୍ରଫୁଲ୍ଲ ନାଏକ, କୋଷାଧ୍ୟକ୍ଷ ଶିବ ମାଝୀ, ଦୁର୍ଜନ ବାଗ, ଡମ୍ବରୁ ଧର ଧ. ମାଝୀ, ଉଦ୍ଧବ ନାଏକ, ପରୀକ୍ଷିତ ବେଶ୍ରା, ସହଦେଵ ମାଝୀ, ତୁଲାରାମ ମାଝୀ ଓ ଗ୍ରାମବାସୀ ମାନେ ମିଳିତ ଭାବେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

Sunil Chandra Nayak

ତିନି ଠାକୁର ସୁନା ବେଶରେ ଦେଲେ ଦର୍ଶନ 

Sunil Chandra Nayak

ଗାୟତ୍ରୀ ମହାଯଜ୍ଞର ଭାବପୂର୍ଣ୍ଣ ଉଦଯାପନୀ

Sunil Chandra Nayak

Leave a Comment

error: Content is protected !!