ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିବ ସୁବର୍ଣ୍ଣ ଚିତା
ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ….
ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚିତଉ ପିଠା ଲାଗି ହେବାର ପରମ୍ପରା ଥିବା ବେଳେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁ ମାନଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନୀଳ ଚିତା ଏବଂ ଦେବୀସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି ହୁଏ।
ସୂଚନାଯୋଗ୍ୟ, ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଠାକୁରମାନଙ୍କ ଶ୍ରୀମସ୍ତକରୁ ଚିତାମାନ ଓଲାଗି କରାଯାଇ ଭଣ୍ଡାରଘରେ ରହିଥାଏ। ଶ୍ରୀଗୁଣ୍ଡିଚାରେ ତିନିଠାକୁର ରଥରେ ସୋଲ ନିର୍ମିତ ଚିତା ଧାରଣ କରିଥାନ୍ତି। ଚିତାଲାଗି ଅମାବାସ୍ୟରେ ସୋଲ ଚିତା ଓଲାଗି ହୋଇ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଠାକୁରମାନେ ଲାଗି ହୋଇଥାନ୍ତି
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ….
ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
ଚିତଉ ଅମାବାସ୍ୟା, ଗେଣ୍ଡାକଟା ଅମାବାସ୍ୟା….
ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।
ନାମକରଣ ….
ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ।
ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି
ସ୍ନାନ ପୂର୍ଣ୍ଣିମାଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ ।ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।
ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି:
“ ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।
ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଷୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ । ଏହି ବିଧି ସକାଶେ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣା ।
ଇତିହାସ…..
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣିକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ ।
ଜ୍ୟୋତିଷୀ…..
ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି ।
“ ଚିତ୍ରକ ପିଷ୍ଠକୈ ଦେବଃ ”
—ହିନ୍ଦୁ ପୁରାଣ
ଅର୍ଥ: ଚିତଉପିଠା ଦେବତା”
ପୁରାଣରେ ଉଲ୍ଲେଖ…..
ସ୍କନ୍ଧ ପୁରାଣ ଓ ପଦ୍ମ ପୁରାଣରେ ଚିତାଲାଗି ଅମାବାସ୍ୟାର ଉଲ୍ଲେଖ ରହିଛି ।
“ ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧର୍ଚ୍ଚୟେତ୍ କମଳାପତିମ୍ । ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଳବମ୍ ।। ”
—ସ୍କନ୍ଧ ପୁରାଣ
ଅର୍ଥ: ଶ୍ରାବଣ ମାସରେ ଯେଉଁ ଲୋକ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା’ର ପୁନର୍ଜନ୍ମ ହେବନାହିଁ ।
“ ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ । ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ କୃତ୍ୱା ପାପ ଶତାନ୍ୟପି ॥ ଶ୍ରାବଣେ ମାସି ଯୋ ଦଦ୍ୟାତ୍ ଲଜାନ୍ଘତ ସମନ୍ୱିତାନ୍ । ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍ ॥ ”
—ସ୍କନ୍ଧ ପୁରାଣ
ଅର୍ଥ: ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା’ ଗୃହରେ ବିପତ୍ତି ପଡ଼ିନଥାଏ ।
“ ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍ଗପୂରିତଂ । ଦଦାତି ତସ୍ୟ ବିପ୍ରର୍ଷେ ଗୃହେ ଶ୍ରୀନିଶ୍ଚଳା ଭବେତ୍ ॥ ”
—ପଦ୍ମ ପୁରାଣ
ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ “ଯାତ୍ରା ଭାଗବତ” ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଏ । ସେ ଲେଖିଛନ୍ତି
“ ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ । ଲଲାଟ-ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍ ॥
ଲଲାଟଭୂଷ-ମୁତ୍ତାର୍ଯ୍ୟ ସ୍ମାନାନ୍ତଂ ଶୟୀଜଗତ୍ପ୍ରଭୋଃ । ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ॥
ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ । ଦଦ୍ୟାତ୍ ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ ॥
ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବତି । ତାବତ୍ ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନ ସଂଶୟଃ।
ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ।
ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ଏହା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି ।
ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି। ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି।
ସେହିପରି ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚିତଉ ପିଠା ଲାଗି ହେବାର ପରମ୍ପରା ଥିବା ବେଳେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….


