ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବ୍ୟାସକବିଙ୍କ ତିରୋଧନ ଦିବସ ଉପଲକ୍ଷେ ସେକ୍ଟର-୭ ସ୍ଥିତ ଫକୀର ମୋହନ ଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। 

ଏହି ସ୍ମୃତି ତର୍ପଣ ସଭାରେ କଲଚରାଲ ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ ସୁମନ ଦତ୍ତ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ସାମାଜିକ କର୍ମୀ କେଦାରନାଥ ପ୍ରଧାନ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ପ୍ରାରମ୍ଭିକ ସ୍ବାଗତ ଭାଷଣରେ ଫକୀର ମୋହନଙ୍କୁ ଓଡ଼ିଶାର ଊନବିଂଶ ଶତାବ୍ଦୀର ତମିସ୍ରିତ ଦିଗବଳୟର ଏକ ଦୀପ୍ତିମୟ ନକ୍ଷତ୍ର ରୂପେ ଅଭିହିତ କରି ଭାଷା ସାହିତ୍ୟର ସମସ୍ୟା ସଙ୍କଟ ଓ ଜାଗରଣର ଇତିହାସରେ ସେ କିପରି ନବଯୁଗର ମାନ୍ତ୍ରିକ ଥିଲେ, ତତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ ତାଙ୍କ ବକ୍ତବ୍ଯରେ ଓଡ଼ିଆ ସାହିତ୍ୟର ନବନିର୍ମାଣ କ୍ଷେତ୍ରରେ ଫକୀର ମୋହନ ଯେଉଁ ଅକ୍ଷୟ ମୁଦ୍ରା ସ୍ଥାପନ କରି ଯାଇଛନ୍ତି, ତତ୍ ସମ୍ପର୍କରେ ଆଲୋଚନା ରଖି ତାଙ୍କର ପାଠ୍ୟପୁସ୍ତକ ରଚନା ସହିତ ସଂସ୍କୃତ ପୁରାଣ ସାହିତ୍ୟର ଅନୁବାଦ କରି ଏ ଜାତିର ଓଡ଼ିଆ ସାହିତ୍ୟର ଯଥାର୍ଥ ବ୍ୟାସକବି ଉପାଧିର ଅଧିକାରୀ ବୋଲି କହିଥିଲେ। ସମ୍ମାନୀତ ଅତିଥି ଡ଼ଃ ଦତ୍ତ ଫକୀର ମୋହନଙ୍କ ଗଳ୍ପ, ଉପନ୍ୟାସ ଓ କବିତାରେ ସମକାଳୀନ ସମୟର ଚିତ୍ର କିପରି ଅଙ୍କିତ ହୋଇଛି ଏବଂ ତାଙ୍କ ସାହିତ୍ୟ ସମାଜର ସାହିତ୍ୟିକ ଇତିହାସ ବୋଲି କହିଥିଲେ।ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ତତ୍କାଳୀନ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ରେଖାଚିତ୍ର ତାଙ୍କ ଗଳ୍ପ ଉପନ୍ୟାସରେ କିପରି ଫୁଟି ଉଠିଛି ତାହାର ଏକ ମାର୍ମିକ ହେତୁବାଦୀ ଓ ବୈଜ୍ଞାନିକ ବିଶ୍ଳେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲଚରାଲ ଏକାଡେମୀ, ଇସ୍ପାତ ସାହିତ୍ୟ ସଂସଦ, ସ୍ବସ୍ତି, ଧାମରା ସଂଘ, ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ ରାଉରକେଲା ଏବଂ ବିଭିନ୍ନ ଅନୁଷ୍ଠାନକୁ ପ୍ରତିନିଧିତ୍ଵ କରୁଥିବା ନିମନ୍ତ୍ରିତ ସଦସ୍ୟ ମାନେ ତାଙ୍କର ମତାମତ ରଖିଥିଲେ । କବି ସୁଶାନ୍ତ ନାୟକ ଉତ୍ସବର ସଫଳତା ନିମନ୍ତେ ସମସ୍ତ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସଭାପତି ଶ୍ରୀ ପତି ସମସ୍ତ ଆଲୋଚନାର ବ୍ୟବଚ୍ଛେଦ କରି ଅତି ସଂକ୍ଷିପ୍ତରେ ଫକୀର ମୋହନଙ୍କୁ ଆଧୁନିକ ଓଡ଼ିଆ ଜାତୀୟତାର ଅନ୍ୟତମ ଜନ୍ମଦାତା ଓ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠାତା ରୂପେ ଅଭିହିତ କରି ତାଙ୍କର ଉତ୍କଳୀୟତା ଓ ଜାତୀୟତାବୋଧ ଓ ସମାଜ ସଂସ୍କାର ନିମନ୍ତେ ଲେଖନୀ ଚାଳନା ଏ ଜାତି ମର୍ମେ ମର୍ମେ ଅନୁଭବ କରୁ ବୋଲି କହି ସମସ୍ତ ଆମନ୍ତ୍ରିତ ଅତିଥି ପ୍ରଦାନ କରିଥିବା ମନ୍ତବ୍ୟ ଓ ସମର୍ଥନ କୁ ଅବତାରଣା କରି ଫକୀରମୋହନଙ୍କ ଏକ ସୁଦୃଶ୍ୟ ଅବିକଳ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରାଉରକେଲାର ସମସ୍ତ ସାମାଜିକ ଅନୁଷ୍ଠାନ, ଜିଲ୍ଲା ପ୍ରଶାସନ, ମାନ୍ୟବର ବିଧାୟକ ଏବଂ ରାଉରକେଲାକୁ ଭଲ ପାଉଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଅଙ୍ଗୀକାର ବଦ୍ଧତା ଓ ସ୍ବୀକୃତି କାମନା କରିଥିଲେ ଏବଂ ଉପସ୍ଥିତ ସମସ୍ତ ଅତିଥି ଓ ଅନୁଷ୍ଠାନ କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ସଭାକୁ ସର୍ବଶ୍ରୀ କବି ବଳରାମ ରାଉଳ, ଚନ୍ଦ୍ରଶେଖର ପାଇକରାୟ, କୁଞ୍ଜବିହାରୀ ରାଉତ, ହେମନ୍ତ ବିଶ୍ବାଳ, ସଞ୍ଜିବ କୁମାର ଭୋଇ, ଲଲାଟେନ୍ଦୁ ପଣ୍ଡା, ଇନ୍ଦ୍ରମଣି ମହାପାତ୍ର ଓ ଅନେକ ଭାଷାପ୍ରେମୀ ରୌଦ୍ରତାପକୁ ଖାତିର ନକରି ସହଯୋଗର ହାତ ବଢାଇ ସଫଳ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୟୂରଭଞ୍ଜ କେମିଷ୍ଠ ଏଣ୍ଡ ଡ୍ରଗିଷ୍ଟ ୟୂନିଅନ ତରଫରୁ ୫୦ ୟୂନିଟ୍ ରକ୍ତ ସଂଗ୍ରହ 

masiha

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

ବାଇକ ଧକ୍କାରେ ବୃଦ୍ଧ ମୃତ

masiha

Leave a Comment

error: Content is protected !!