ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଟିଗୁଡା ଗ୍ରାମରେ ବର୍ଷା ପାଇଁ ଚାଲିଛି, ବେଙ୍ଗ ବେଙ୍ଗୁଲି ବାହାଘର

ଡାବୁଗାଁ ୧୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ କାମ ଆଗେଇ ପାରୁନାହିଁ । ବିଶେଷ କରି ଧାନ ଚାଷ ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସ୍ଥାନୀୟ ଚାଷୀ ମାନେ ପାଗ ଦେଖି ଧାନ ତଳି ପକାଇ ଥିବା ବେଳେ ବର୍ଷା ଅଭାବ ଯୋଗୁଁ ତଳି ଉପାଡି ହେଉନାହିଁ । ସେହିପରି ଧାନ ଜମି ଗୁଡିକରେ ପାଣି ନଥିବା ଯୋଗୁଁ ଧାନ ରୁଆ କାମ ମଧ୍ୟ ଆଗେଇ ପାରୁନାହିଁ । ତେଣୁ ସ୍ଥାନୀୟ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷେ ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା ଗ୍ରାମରେ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହା ଘର ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ସ୍ଥାନୀୟ ଠାକୁରାଣୀ ମନ୍ଦିର ଠାରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ । ପରେ ଭୀମା ମନ୍ଦିର ଠାରେ ଆସି ସେଠାରେ ଭୀମା ମୂର୍ତ୍ତିକୁ ଗାଇ ଗୋବରରେ ପତିବା ସହ ସେଠାରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଥିଲା | ପରେ ଗ୍ରାମରେ ଥିବା ପୋଖରୀ ଠାରୁ ଗୋଟିଏ ବେଙ୍ଗ ଏବଂ ଗୋଟିଏ ବେଙ୍ଗୁଲି ଧରି ଏକ ନୂତନ ମାଟି ହାଣ୍ଡିରେ ରଖାଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ବେଙ୍ଗ ଓ ବେଙ୍ଗୁଲିକୁ ପୂଜାପାଠ କରାଯାଇଥିଲା । ଆଜି ସକାଳୁ ପୁଣି ସ୍ଥାନୀୟ ଲୋକ ମାନେ ପୂଜା ପାଠ କରୁଛନ୍ତି । ଏହି ବେଙ୍ଗ ବେଙ୍ଗୁଲି ବାହାଘର ୯ ଦିନ ଧରି ଚାଲିବ ଏବଂ ୯ ଦିନ ପରେ ପୋଖରୀରେ ବିସର୍ଜନ କରାଯିବ ବୋଲି ଗାଉଁଟିଆ ସୂଚନା ଦେଇଛନ୍ତି । ତେବେ ଗାଉଟିଆ ସାହିରେ କନ୍ୟା ପକ୍ଷ ରହିଥିବା ବେଳେ ପୂଜାରୀ ସାହି କୁ ବର ପକ୍ଷ କରାଯାଇଛି । ଚାଟିଗୁଡା ଗ୍ରାମରେ ପ୍ରଥମ ଥର ବେଙ୍ଗ ବେଙ୍ଗୁଲି ବାହାଘର ହୋଇଥିବା ଶୁଣିବାକୁ ମିଳୁଛି । ଡାବୁଗାଁ ବ୍ଲକରେ ଯଦି ଆସନ୍ତା ୭ ଦିନ ମଧ୍ୟରେ ଜମିରେ ଧାନ ତଳା ରୋପିଲା ହେଲା ଭଳି ବର୍ଷା ନହୁଏ ତେବେ ଧାନ ଚାଷ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି । ବର୍ଷା ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ କାମରେ ଶ୍ରମିକ ଭାବେ ନିୟୋଜିତ ଲୋ‌କେ କାମ ପାଇପାରୁନାହାନ୍ତି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କିଭଳି ହେବ ସେନେଇ ଶ୍ରମିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ଡାବୁଗାଁ ବ୍ଲକରେ ଥିବା ଜମି ଗୁଡିକରେ ଜଳ ସେଚନର ସୁବିଧା କରାଯାଏ ତେବେ ଚାଷୀ ମାନେ ବର୍ଷା ପାଣିକୁ ନିର୍ଭର ନକରି ବର୍ଷକୁ ଦୁଇ ଥର ଚାଷ କରିବା ସହ ଆର୍ଥିକ ମାନଦଣ୍ଡ ସୁଧାରିବା ପାଇଁ ସୁଯୋଗ ମିଳିପାରିଥାନ୍ତେ । ତେଣୁ ପ୍ରଶାସନ ତୁରନ୍ତ ଚାଷ ଜମିରେ ଜଳ ସେଚନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀ ମାନେ ଦାବି କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଙ୍ଗଲ ସୁରକ୍ଷା କୁ ନେଇ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ଵୈଠକ

Sunil Chandra Nayak

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

masiha

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ   

masiha

Leave a Comment

error: Content is protected !!