ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଆଗୁଡା ଗ୍ରାମରେ ସୁନ୍ଦର ଭିମା ଦେବତାଙ୍କ ବାଲିଯାତ୍ରା, ପୋଢ଼ବଳି ସହ ଉଦଯାପିତ

ଝରିଆଗୁଡା ଗ୍ରାମରେ ସୁନ୍ଦର ଭିମା ଦେବତାଙ୍କ ବାଲିଯାତ୍ରା, ପୋଢ଼ବଳି ସହ ଉଦଯାପିତ

କୋକସରା,୧/୪ // ଆଦିବାସୀ ପରମ୍ପରାରେ ମାଟି ମା ସ୍ଥାନ ସର୍ବାଗ୍ରେ। ଯେ କୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗ୍ରାମବାସୀ ମାନେ ମାଟି ମାକୁ ସୁମରଣା କରି ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମରେ ପାଳିତ ହୋଇଯାଇଛି ସୁନ୍ଦର ଭିମା ଦେବତାଙ୍କ ବାଲିଯାତ୍ରା । ଦୀର୍ଘ ୫୩ ବର୍ଷ ଅନ୍ତରାଲରେ ଝରିଆଗୁଡା ଗ୍ରାମରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗତ ବର୍ଷ ଅକ୍ଟୋବର ମାସ ବିଜୟା ଦଶମୀରୁ ଏହା ଆରମ୍ଭ ହୋଇ ରବିବାର ପୋଢ଼ ବଳି ସହ ଉଦଯାପିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ଵ ହୋଇଥିବା ବେଳେ ଗାଁ ରେ ଭଲ ଫସଲ, ଗାଁର ସୁଖ ସମୃଦ୍ଧି, ରୋଗଶୋକ ଦୁର ସହ ଗାଁର ଦେବାଦେବୀଙ୍କ ଶୁଭଦୃଷ୍ଟି ଓ ମଙ୍ଗଳ କାମନା କରି ଏହି ପର୍ଵ ପାଳନ କରାଯାଏ। ବାଲିଯାତ୍ରା ପର୍ବ ବଂଶାନୁଗତିକ ଭାବେ ପାଳନ ହୋଇ ଆସୁଥିବା ବେଲେ ଆଦିବାସୀ ପରମ୍ପରା ଓ ମାନସିକତାରେ ଏକ ପ୍ରମୁଖ ଭୁମିକା ରହିଛି ।ଝରିଆଗୁଡା ଗ୍ରାମ୍ୟ ବାଲିଯାତ୍ରା ପୂଜା କମିଟି ଆୟୋଜନରେ ବାଲିଯାତ୍ରାର ମୁଖ୍ୟ ପୁରୋଧା ଗୁରୁମେଙ୍କ ନିର୍ଦେଶ କ୍ରମେ ସୁନ୍ଦର ଭିମା ଦେବତାଙ୍କ ପାଇଁ ଗ୍ରାମର ପୂଜାସ୍ଥଳୀରେ ଏକ ଅସ୍ଥାୟୀ ଗୁଡି ସ୍ଥାପନା କରି ଗୁରୁମେ ଦୀର୍ଘ ମାସ ଧରି ପୁଝାରି ଡୁମା, ଧନବନ୍ତ ଭିମା, କନ୍ଧେନ ରାଣି, ପିଲା ଭିମା, ପାଟରାଣୀ, ଡୁମେର ରାଣୀ, ମଡିଆ ରାଣୀ, ବେଳମତି, ଫୁଲମତି,କାନ୍ଦରୀ, ଲାଡ଼ଳୀ, ଜଳକେଳି, ଗୋପବାଲି, ନିଆଳି ମଲ୍ଲି, ଭଣ୍ଡାର ମାଉଳି, ଭାଏସାଲ ମାଝୀ, ମାନ ପୁରେନ, ପର ଦେଶେନ, ବିର ମାଝୀ ମା, ଠାକୁରାଣୀ, ଲଙ୍କେଶ୍ୱରୀ, ଧାରଣୀ, ପାଟ ଧାରଣୀ, ଲଦାଲଦେନ, ବହଲେନ ମାଉଳି, ଠୁଟି ମାଉଳି ଗ୍ରାମ ଦେବାଦେବୀଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଭିମା ଦେବତାଙ୍କ ଜନ୍ମ ହୋଇଥିଲା । ସୁନ୍ଦରା ଭିମା ଯୁବା ବୟସରେ ଉପନୀତ ହେବାପରେ ଗତ ଶନିବାର ଭିମା ଦେବତାଙ୍କ ବିବାହ କନ୍ଧେନ ଦେବୀଙ୍କ ସହ ଅନୁଷ୍ଠିତ ହୋଇଥିଲା। ରବିବାର ଶେଷ ଦିନରେ ମାଟି ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପୋଢ଼କୁ ଗ୍ରାମ ପୁଜକ ଓରାଚନ ପୁଝାରିଙ୍କ ଘରୁ ପୂଜାର୍ଚ୍ଚନା କରି, ପୋଢ଼ ଦେହରେ ନୂତନ ଶୁକ୍ଳ ରଙ୍ଗର ବସ୍ତ୍ର ଓ ମନ୍ଦାର ଫୁଲ ମାଲ ଦେଇ ଗାଁ ଗୌନ୍ତିଆ ଯୁଧିଷ୍ଠିର ନାଏକ ତତ୍ୱାବଧାନରେ ଶହ ଶହ ସଂଖ୍ୟକ ଗ୍ରାମବାସୀ ମାନେ ବାଜା ବଜାଇ ନାଚି ନାଚି ବଳି ପଡ଼ିବାକୁ ଥିବା ପୋଢ଼କୁ ଗ୍ରାମରେ ପରିକ୍ରମା ସମୟରେ ଗାଁ ଗୌନ୍ତିଆ, ଗଣ୍ଡା ଘରକୁ ନେଇ ପୂଜାର୍ଚ୍ଚନା କରିବା ପରେ ଗ୍ରାମରେ ପରିକ୍ରମା କରାଇ ଗାଁ ନିକଟସ୍ଥ ଏକ ପଡ଼ିଆକୁ ନେଇ ଗ୍ରାମ୍ୟ ପୁଜକଙ୍କ ପୂଜା ପରେ ପୋଢ଼କୁ ବଳି ଦେଇ ମାଟି ଦେବତାଙ୍କୁ ଅର୍ପଣ କରିଥିଲେ। ପରେ ମୃତ ପୋଢ଼ର ଅଂଶବିଶେଷକୁ ପୂର୍ବରୁ ଖୋଲା ଯାଇଥିବା ଗାତରେ ପୋତି ଦିଆ ଯାଇଥିଲା। ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର କଳାହାଣ୍ଡି ସାଂସଦ ପ୍ରାର୍ଥିନି ମାଲବିକା କେଶରୀ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିଲେ। ପୂଜା କମିଟିର ସଭାପତି ଜୟଲାଲ ନାଏକ, ସମ୍ପାଦକ ରାଜ କିଶୋର ସାହୁ, ଉପ ସଭାପତି କୁରୁକ୍ଷେତ୍ର ପାଣିଗ୍ରାହୀ, ମୁକୁନ୍ଦ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମାଝୀ, ଜିତେନ୍ଦ୍ର ନାଏକ, ଅରବିନ୍ଦ ପଟ୍ଟନାୟକ, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ସମେତ ସ୍ୱାମୀ ବିବେକାନନ୍ଦ ୟଙ୍ଗ କ୍ଲବର ସଦସ୍ୟ ଓ ଝରିଆଗୁଡା ଗ୍ରାମବାସୀ ମାନେ ବାଲିଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!