ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଶ୍ରୀରାମ ନବମୀ

ଶ୍ରୀରାମ ନବମୀ 

 

ପ୍ରଶାନ୍ତ କୁମାର ଶତପଥୀ

 

ସରଜୁ ନଦୀର କୂଳରେ, 

ଅଯୋଧ୍ୟା ନଗରୀ ସେଠାରେ l

ସୂର୍ଯ୍ୟ ବଂଶର ମହାରାଜା,  

ସୁଖେ ପାଳନ୍ତି ନିଜ ପ୍ରଜା l

ତ୍ରିଲୋକ ବିଖ୍ୟାତ ନୃପତି, 

ଦଶରଥ ନାମରେ ଖ୍ୟାତି l

କୌଶଲ୍ୟା କୈକେୟୀ ସୁମିତ୍ରା,  

ତିନି ରାଣୀ ନହେଲେ ମାତା l

ସରଜୁ ନଦୀର ତଟରେ,  

ଗୁରୁ ବଶିଷ୍ଠ ଆଦେଶରେ l

ଅନ୍ଧ ମୁନି ଯେ କୃପାକଲେ, 

ପୁତ୍ରେଷ୍ଟି ଯଜ୍ଞ ଆରମ୍ଭିଲେ l

ଋଷ୍ୟଶୃଙ୍ଗ ସେ ମହା ଋଷି, 

ଯାଗ କରିଲେ ନିଜେ ବସି l

ଆନନ୍ଦ ହେଲେ ସର୍ବ ମୁନି,  

ମୁଖରୁ ଶୁଭେ ବେଦ ଧ୍ୱନି l

ଘୃତ ଢାଳନ୍ତି ଯଜ୍ଞ କୁଣ୍ଡେ, 

ମନ୍ତ୍ର ଉଚ୍ଚାରି ନିଜ ତୁଣ୍ଡେ l

ଅନ୍ଧ ମୁନି ଦେବା ଶ୍ରୀଫଳ,  

ମନେ ଚିନ୍ତିଣ ଆଦିମୂଳ l

ନିକ୍ଷେପ କରିଲେ ଅଗ୍ନିରେ,  

ଚରୁର ଉତ୍ପତି ତହିଁରେ l

ଯତ୍ନରେ ତାହା ଋଷି ଦେଲେ, 

ଆନନ୍ଦେ ରାଜା ଘେନି ଗଲେ l

ଦୁଇ ରାଣୀଙ୍କୁ ତାହା ଦେଲେ,  

ସୁମିତ୍ରା ମନେ ଦୁଃଖ କଲେ l

ଦୁଇ ରାଣୀ ଯେ ଭାଗେ ଭାଗେ, 

ସୁମିତ୍ରାଙ୍କୁ ଦେଲେ ସରାଗେ l

ଶୁଭ ମୁହୂର୍ତ୍ତେ କଲେ ଗ୍ରାସ, 

ତିନିହେଁ ହେଲେ ଗର୍ଭ ବାସ l

ମଧୁମାସର ପକ୍ଷ ଶୁକ୍ଳ, 

ନବମୀ ପୁନର୍ବସୁ ବଳ l

କର୍କଟ ରାଶି ହୋଇ ଯୋଗ, 

ଶୁଭ ଲଗନ ତା’ର ଭୋଗ l

ଶୀତଳ ସମୀର ବହଇ, 

ଆକାଶୁ ପୁଷ୍ପ ବରଷଇ l

କୌଶଲ୍ୟା ମାତାଙ୍କ ଗର୍ଭର, 

ଭୂମିଷ୍ଠ ଅପୂର୍ବ କୁମର l

କୋଟି ସୂର୍ଯ୍ୟର ଦୀପ୍ତି କାନ୍ତି, 

କୋଟି କନ୍ଦର୍ପ ବିରାଜନ୍ତି l

ନବ ଦୁର୍ବାଦଳ ଶରୀର, 

ଅତି ସୁନ୍ଦର ଦେହ ତା’ର l

ରାଜ୍ୟରେ ଖେଳିଲା ଆନନ୍ଦ, 

ଯେସନେ ପୂର୍ଣ୍ଣିମାର ଚାନ୍ଦ l

ନାରଦ ବୀଣାକୁ ବଜାଇ, 

ନୃତ୍ୟ କରନ୍ତି ଥେଇ ଥେଇ l

ଡମ୍ଭୁରୁ ନାଦେ ପ୍ରଭୁ ଶିବ, 

ତାଣ୍ଡବ ନୃତ୍ୟ ତୃପ୍ତି ଭାବ l

ଦେବତା ସହ ଦିଗପାଳ, 

ରାମ ନାମରେ କୋଳାହଳ l

ଭାରି ରମଣୀୟ କୁମର, 

ଅପୂର୍ବ ସୁନ୍ଦର ଶରୀର l

କୁଳ ଗୁରୁ ସେ ବଶିଷ୍ଠ, 

ଋଷି ମଧରେ ସେହି ଶ୍ରେଷ୍ଠ l

କୌଶଲ୍ୟା ସୁତର ଯେ ନାମ, 

ତକ୍ଷଣେ ରଖିଲେ ସେ ରାମ l

କୈକେୟୀ ଗର୍ଭରୁ ଭରତ, 

ରାଜ ଧର୍ମରେ ସେ ସମର୍ଥ l

ଲକ୍ଷ୍ମଣ ସହିତ ଶତ୍ରୁଘ୍ନ , 

ସୁମିତ୍ରା ସୁତ ସର୍ବେ ଜାଣ l

ରାମ ଜନ୍ମର କଥା ଏହି, 

ଗୀତେ ରଚିଲା ଦ୍ଵିଜ କହି l

ଅଧମ ପ୍ରଶାନ୍ତ ଜଣାଣ, 

ଉଦ୍ଧାର କର ନାରାୟଣ l

ଛତ୍ରପୁର, ଗଞ୍ଜମ l

Related posts

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବି

Sunil Chandra Nayak

ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ୭ ଜଣ କୋର୍ଟ ଚାଲାଣ

Leave a Comment

error: Content is protected !!