ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ତ୍ରେତୟା ଯୁଗରେ ଶ୍ରୀରାମ

ଅବତରିଲେ ଧରାଧାମ ll

ଶ୍ରୀରାମ ନବମୀଟି ଏହି

ବିଭୁ ଜନ୍ମିଲେ ନର ହୋଇ ll

ରାମ ଯେ ରାମ ପ୍ରଭୁ ରାମ

ଶ୍ରୀରାମ ରାମ ରାମ ରାମ ll

ପୁରୁଷଉତ୍ତମ ଶ୍ରୀରାମ

ଜାନକୀ ବଲ୍ଲଭ ଶ୍ରୀରାମ ll

ରଘୁକୁଳ ତିଳକ ରାମ

ସୂରଜ ବଂଶୀ ଜୟ ରାମ ll

ଦଶରଥଙ୍କ ସୁତ ରାମ

ସୁଗ୍ରୀବ ମଇତ୍ର ଶ୍ରୀରାମ ll

ହନୁମାନଙ୍କ ପ୍ରଭୁ ରାମ

ତାରିବ ଦୁଃଖ ଭବୁ ରାମ ll

ରାମ ନାମରେ ମିଳେ ଶାନ୍ତି

ରାମ ନାମଟି ଦିଏ ଗତି ll

ରାମଙ୍କ ଜନମ ବୃତ୍ତାନ୍ତ

ବଖାଣି ବାକୁ ଡରେ ଚିତ୍ତ ll

ତିନି ଭୁବନ ନାଥ ରାମ

କି ଭାବେ ହୋଇବି ସକ୍ଷମ ll

ଯାହାର ନାହିଁ ଆଦି ଅନ୍ତ

କି ଭଳି ବଖାଣି କେମନ୍ତ ll

ତୋଷିବି ସୀତାପତି ମୁଁହି

ଅନ୍ତରେ ଭକ୍ତି ଭାବ ନେଇ ll

ସୂର୍ଯ୍ୟ ବଂଶୀ ଯେ ଦଶରଥ

ଅଯୋଧ୍ୟା ନଗରର ନାଥ ll

ତାହାଙ୍କ ରାଣୀ ଥିଲେ ତିନି

କୋଶଲ୍ୟା, କୈକେୟୀ ଘରଣୀ ll

କନିଷ୍ଠା ରାଣୀଙ୍କର ନାମ

ସୁମିତ୍ରା ଅଟେ ଧରା ଧାମ ll

ଧନ ସମ୍ପଦ ଭରପୂର

ଭରତି ଭଣ୍ଡାରେ ତାଙ୍କର ll

ପ୍ରଜା ବତ୍ସଳ ରାଜା ସେହି

ଦଶରଥ ଯେ ପୂଜା ପାଇ ll

ସମସ୍ତ ବିଭୁତିରେ ପୂର୍ଣ୍ଣ

ପରନ୍ତୁ ତାଙ୍କ କୋଳ ଶୂନ୍ୟ ll

ତିନି ରାଣୀଙ୍କ ମନ ଦୁଃଖ

ରାଜାଙ୍କ ମୁଖେ ନାହିଁ ସୁଖ ll

ଯଜ୍ଞ,ତପ ଓ ପୂଜା କରି

ଧର୍ମର ପଥ ଅନୁସରି ll

ମହର୍ଷି ମୁନିଙ୍କ ଆଦେଶେ

ପୁତ୍ରେଷ୍ଟି ଯଜ୍ଞ କରି ହର୍ଷେ ll

ବିଭୁଙ୍କୁ ଦୁଃଖ ଜଣାଇଲେ

ଶ୍ରୀହରି ଗୁହାରି ଶୁଣିଲେ ll

ଯଜ୍ଞର ଚରୁ ରାଜା ନେଇ

କୌଶଲ୍ୟା କୈକେୟୀଙ୍କୁ ଦେଇ ll

ସୁମିତ୍ରା ଠାରେ ଭାବ ରଖି

ଏ ଦୁଇ ଦୁଇ ରାଣୀ ହେଲେ ସୁଖୀ ll

ନିଜ ନିଜ ଅଧା ଚରୁକୁ

ହରଷେ ଦେଲେ ସୁମିତ୍ରାଙ୍କୁ ll

ପାଟରାଣୀଙ୍କ କୋଳେ ରାମ

ଜ୍ୟେଷ୍ଠ ରୂପରେ ହେଲେ ଜନ୍ମ ll

ଭରତ କୈକେୟୀଙ୍କ କୋଳେ

ଦ୍ଵିତୀୟ ସନ୍ତାନ ହୋଇଲେ ll

ସୁମିତ୍ରା କୋଳରେ ଦୁଇଟି

ଲକ୍ଷ୍ମଣ,ଶତ୍ରୁଘ୍ନ ଜନ୍ମ ଟି ll

ଶତ୍ରୁଘ୍ନ ଭରତଙ୍କ ଭକ୍ତ

ଲକ୍ଷ୍ମଣ ରାମେ ଅନୁରକ୍ତ ll

ନବମୀ ଚୈତ୍ର ଶୁକ୍ଳ ପକ୍ଷ

ଶୁଭ ଦିନଟି ଧରା ବକ୍ଷ ll

ସେ ଅବିନାଶୀ ନିରାକାର

ଅବତରି ଥିଲେ ଧରାର ll

କୌଶଲ୍ୟା ଦେବୀଙ୍କ କୋଳରୁ

ଜନମି ଥିଲେ ପ୍ରଭୁ ଗରୁ ll

ମହୀର ଭାରା ନିବାରଣ

ପାଇଁ ଟି ସେହି ନାରାୟଣ ll

ନାନା ଅବତାରକୁ ଧରି

ଓହ୍ଲାନ୍ତି ମରତେ ଶ୍ରୀହରି ll

ତ୍ରେତୟା ଯୁଗ କଥା ଏହି

ଶ୍ରୀରାମ ପ୍ରଭୁ ଜନ୍ମ ହୋଇ ll

ବିନାଶି ଥିଲେ ଦଶାନନ

ବନସ୍ତେ କରିଣ ଗମନ ll

କେତେ ଦୁଃଖ ସେ ସହିଛନ୍ତି

ମର୍ଯ୍ୟାଦା ପୁରୁଷ ବୋଲାନ୍ତି ll

ଲକ୍ଷ୍ମୀ ସ୍ୱରୂପା ମାତା ସୀତା

ଯିଏ ଟି ଜନକ ଦୁହିତା ll

ଜଗତ ହିତ ପାଇଁ ସେହି

କେତେ ସହିଲେ ବଇଦେହୀ ll

ଶ୍ରୀରାମ ସୀତାଙ୍କ ପୟର

ଚିତ୍ତ ମୋ ରହୁ ନିରନ୍ତର ll

ଦୋଷାଦୋଷକୁ କ୍ଷମା କରି

ପାରି କରନ୍ତୁ ନରହରି ll

ଫୁଲବାଣୀ, କନ୍ଧମାଳ

Related posts

ରାଇରଙ୍ଗପୁରରେ’ ସମାଜ’ ତରଫରୁ ୯୪ ତମ ଶ୍ରାଦ୍ଧ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ

Sunil Chandra Nayak

ପୋଖରୀରେ ବୁଡି ଯୁବକର ମୃତ୍ୟୁ

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

Leave a Comment

error: Content is protected !!