ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ ପ୍ରଧାନ ଙ୍କ ଜଣାଣ – ଉପହାର

ଉପହାର

 

ଜଗତ କରତା ସଂସାର ନିୟନ୍ତା

ସବୁରି ଭାଗ୍ୟ ବିଧାତା,

ଭାଗ୍ୟକୁ ମୋହର ଏମିତି କାହିଁକି 

ଲେଖିଲ ହେ ଅନ୍ନଦାତା !

 

ଲେଖିଲା ବେଳକୁ ମାେ କପାଳ ରେଖା

ଥରିଲାନି ତୁମ ହାତ,

ଲେଖନୀ ତୁମର କେମିତି ଚାଲିଲା

କୁହ ଆହେ ଲକ୍ଷ୍ମୀକାନ୍ତ।

 

ଚୁଲି ଜଳୁ ନାହିଁ ମାେ ଘରେ ଠାକୁରେ

ଉପାସେ ମାେ ଦିନ ସରେ,

କେଉଁ ଉପହାର ଦେବି ମୁଁ ତୁମକୁ

କହିଦିଅ ମତେ ଥରେ।

 

କେଉଁ ଜନ୍ମ ଫଳ ଭୋଗୁଛି କେଜାଣି

ଜଣା ମତେ ପଡୁ ନାହିଁ,

କିବା ଅପରାଧ କଲି ତୁମ ପାଖେ

ଠକିଲ ମତେ ଗୋସାଇଁ।

 

ଆଖିରୁ ଲୁହ ମାେ ଶୁଖେ ନାହିଁ ଜମା

ପୋଛିବ କିଏସେ କୁହ,

ତୁମେ ଦେଲ ପ୍ରଭୁ ତୁମଠୁ ଦୂରେଇ

ଛାତିରେ ଅଜଣା କୋହ।

 

ପଥର ଲଦିଛି ହୃଦୟେ ମୋହର

ସହୁଛି କେତେଯେ କଷ୍ଟ,

କଲା କର୍ମ ଫଳ ଭୋଗୁଛି ନରକେ

ଜୀବନ ହେଲାଣି ନଷ୍ଟ।

 

ସୁନା ରୂପା ଅବା ହୀରା ମୋତି କିଛି

ନାହିଁ ଦବା ପାଇଁ ତତେ,

ଉପହାର ବୋଲି ଆଣିଛି ମୁଠାଏ

ଖୁଦ ଭଜା ମୋର ସାଥେ।

 

ରଖିବାକି ନାହିଁ ସେକଥା ଜାଣିନି

ତୁମେ ପରା ବଡ଼ ଦିଅଁ,

ଷାଠିଏ ପଉଟି ଖାଅ ସବୁଦିନ

ଦିନେ ମୋର ଭୋଗ ଖାଅ।

 

ଉପହାର ମୋର ଆସିଲେ ଫେରିକି

ଆହେ ଅନାଥର ନାଥ,

ତୁଟିଯିବ ମୋର ଭରଷା ବିଶ୍ୱାସ

କହୁଅଛି ମୁହିଁ ସତ।

 

କାହିଁ କେତେ ଦୂରୁ ଧାଇଁ ମୁଁ ଆସିଛି

ତୁମକୁ ଦେଖିବା ପାଇଁ,

ଗ୍ରହଣ କରିଲେ ଗରିବର ଭେଟି

ଦୁଃଖ ଯିବ ମୋର ଧୋଇ।

 ଶୁଭଶ୍ରୀ  ପ୍ରଧାନ

 କୋଣାର୍କ, ପୁରୀ

Related posts

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!