ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା
ମହିଳା ଫୁଟ୍ବଲ ହଷ୍ଟେଲରେ ପୁରୁଷ କୋଚ.
ରାଉରକେଲା,୧୮ା୭:ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । କିନ୍ତୁ ଏବେ ଏହି ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି । କାରଣ ସୁନ୍ଦରଗଡ଼ରେ ଥିବା ମହିଳା ଫୁଟ୍ବଲ ହଷ୍ଟେଲରେ ପୁରୁଷ ଫୁଟ୍ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ମୋହନ ସରକାରଙ୍କ କ୍ରୀଡ଼ା ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ନେବାରୁ ଜଣାପଡିଛି ସୁନ୍ଦରଗଡ଼ରେ ରହିଛି ମହିଳା ଫୁଟବଲ ସ୍ପୋର୍ଟସ ହଷ୍ଟେଲ । ଏହି ହଷ୍ଟେଲ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଫୁଟବଲ ଖେଳାଳୀଙ୍କୁ ସୃଷ୍ଟି କରିଛି । ଏହି ହଷ୍ଟେଲରେ ଜଣେ ମହିଳା କୋଚ ଜୈନେକା ସାମନ୍ତ ଙ୍କୁ ନିଯୁକ୍ତ କରାଯାଇଥିଲା । କିନ୍ତୁ ସଂପୃକ୍ତ କୋଚ ଜଣକ ବେଶ ପ୍ରଭାବଶାଳୀ । ତେଣୁ ସେ ନିଜର ପ୍ରଭାବ ବିସ୍ତାର କରି ଏଠାରୁ ଭୁବନେଶ୍ୱରକୁ ବଦଳି ହୋଇଗଲେ । ହେଲେ ଭୁବନେଶ୍ୱରରେ ତାଙ୍କ ପାଇଁ କୌଣସି ଅନ୍ୟ ହଷ୍ଟେଲ ନାହିଁ । କାରଣ ଭୁବନେଶ୍ୱରରେ ଯେଉଁ ହଷ୍ଟେଲ ରହିଛି ସେଠାରେ ଜଣେ ମହିଳା କୋଚ ଦୀର୍ଘଦିନ ହେବ ଅଛନ୍ତି । ତେଣୁ ତାଙ୍କୁ ଥଇଥାନ କରାଯିବା ପାଇଁ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀର ଇନ୍ଚାର୍ଜ କରାଯାଇଛି । ହେଲେ ତାଙ୍କ ମୂଳ ନିଯୁକ୍ତି ହେଉଛି ମହିଳା ଫୁଟ୍ବଲ ହଷ୍ଟେଲ । ଯେହେତୁ ଭୁବନେଶ୍ୱରରେ ଥିବା ମହିଳା ଫୁଟ୍ବଲ ହଷ୍ଟେଲରେ ପୂର୍ବରୁ ଜଣେ କୋଚ ଅଛନ୍ତି ତେଣୁ ତାଙ୍କର ସେଠାରେ ଆବଶ୍ୟକତା ନାହିଁ । ସେ ଜଣେ ପ୍ରଭାବଶାଳୀ କୋଚ ହୋଇଥିବାରୁ ଧରାଧରି କରି ଭୁବନେଶ୍ୱର ଫୁଟ୍ବଲ ଏକାଡେମୀରେ ଥଇଥାନ ହୋଇଛନ୍ତି । ସେଠାରେ ସରକାରଙ୍କ କୌଣସି ମହିଳା ହଷ୍ଟେଲ ନାହିଁ । ଅପରପକ୍ଷରେ ସୁନ୍ଦରଗଡ଼ ମହିଳା ଫୁଟ୍ବଲ ହଷ୍ଟେଲରେ କୋଚଙ୍କ ଆବଶ୍ୟକତା ପଡିବାରୁ ଓଡିଶା ପୁଲିସର ଜଣେ ଅନଭିଜ୍ଞ କୋଚଙ୍କୁ ସୁନ୍ଦରଗଡ଼କୁ ଅଣାଗଲା । ଏହି କୋଚ ଜଣକ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସେପରି ବିଶେଷ ଧରଣର ଲାଇସେନ୍ସ କୋର୍ଷ କରି ନାହାଁନ୍ତି । ଏପରିକି ସେ ଏନ୍ଆଇଏସର ଡିପ୍ଲୋମା ହୋଲଡର ମଧ୍ୟ ନୁହଁନ୍ତି । ସେହିପରି ତାଙ୍କର ପୂର୍ବରୁ କୌଣସି ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନାହିଁ । ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏକ ମହିଳା ହଷ୍ଟେଲରେ ଜଣେ ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଇଛି । କାରଣ ମହିଳା ମାନଙ୍କର ବିଭିନ୍ନ ସମୟରେ ଶାରିରୀକ ସମସ୍ୟା ଦେଖା ଦେଇଥାଏ । କ୍ରୀଡ଼ା କ୍ଷେତ୍ରରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଏ ତାହା ହେଲେ ତାଙ୍କ ସହ ଜଣେ ମହିଳା କୋଚଙ୍କୁ ମଧ୍ୟ ନିଯୁକ୍ତି ଦେବା ବାଧ୍ୟତାମୂଳକ । କାରଣ ମହିଳା କୋଚ ମହିଳାମାନଙ୍କର ବିଭିନ୍ନ ଶାରିରୀକ ସମସ୍ୟା ବିଷୟରେ ଅବଗତ ହୋଇ ପାରିବେ । ହେଲେ ପୁରୁଷ କୋଚ ନିଯୁକ୍ତ ହୋଇଥିବାରୁ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ସେମାନେ କାହା ନିକଟରେ ପ୍ରକାଶ କରି ପାରୁ ନାହାଁନ୍ତି । ଯାହାକି ତାଙ୍କ ପ୍ରଶିକ୍ଷଣରେ ପ୍ରଭାବ ପକାଉଛି । ଏହାସହ ମହିଳାମାନେ ଉପଯୁକ୍ତ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । କେତେକ କ୍ରୀଡ଼ାବିତ କହିଛନ୍ତି ପୂର୍ବରୁ ଯେଉଁ ମହିଳା କୋଚଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଥିଲେ ତାଙ୍କୁ ପୁନର୍ବାର ଏଠାକୁ ଫେରାଇ ଅଣାଯାଉ ନଚେତ ତାଙ୍କୁ ଭୁବନେଶ୍ୱରରେ ମହିଳା ଫୁଟବଲ ହଷ୍ଟେଲରେ ଥଇଥାନ କରାଯାଇ ସେଠାରେ ଦୀର୍ଘଦିନ ଧରି ଆସନ ମାଡି ବସିଥିବା କୋଚଙ୍କୁ ସୁନ୍ଦରଗଡ଼ ଅଣାଯାଉ । । ଅନ୍ୟ କେତେକ କ୍ରୀଡ଼ାବିତ କହିଛନ୍ତି ଯେଉଁମାନେ ଏଠାକୁ ବଦଳି ହୋଇ ଆସୁଛନ୍ତି ସେମାନେ ସୁନ୍ଦରଗଡ଼ରେ ରହିବା ପାଇଁ ଇଛା ପ୍ରକାଶ କରୁନାହାଁନ୍ତି । କାରଣ ଭୁବନେଶ୍ୱରେ ରହି ମୌଜ କରିବା କୋଚ ମାନଙ୍କ ଆଦତ ହୋଇ ଗଲାଣି । ତେଣୁ ଯେତେବେଳେ ନିଯୁକ୍ତି ଦିଆଯାଉଛି ବା ବଦଳି କରାଯାଉଛି ସେହି ସମୟରେ ସରକାର ସର୍ତ୍ତାବଳୀ ରଖନ୍ତୁ ଯେ ଯେଉଁ ଜିଲ୍ଲାକୁ ପଠାଯିବ ସେଠାରେ ଚାକିରିର ସର୍ତ୍ତାବଳୀ ଅନୁଯାୟୀ କୋଚମାନଙ୍କୁ ରହିବାକୁ ପଡିବ । ଏହା ହେଲେ ଯେଉଁମାନଙ୍କୁ ଭୁବନେଶ୍ୱରରୁ ସୁନ୍ଦରଗଡ଼କୁ ପଠାଯାଉଛି ସେମାନେ ଅନ୍ତତଃ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଏଠାରେ ରହି ମହିଳାମାନଙ୍କୁ ଫୁଟ୍ବଲ ପ୍ରଶିକ୍ଷଣ ଦେବା ଉଚିତ । ଏହା ହୋଇପାରିଲେ କ୍ରୀଡ଼ାର ବିକାଶ ହୋଇ ପାରିବ । ଯଦି ଏହା କରା ନ ଯାଏ ତେବେ କ୍ରୀଡ଼ାର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ର ନାମ ମହିଳା ଫୁଟ୍ବଲ ମାନଚିତ୍ରରୁ ଲିଭି ଯିବ ବୋଲି କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତମାନେ ମତ ପୋଷଣ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱରକୁ ଯଦି ଜଣେ ମହିଳା କୋଚଙ୍କୁ ବଦଳି କରାଗଲା ତେବେ ଭୁବନେଶ୍ୱରରେ ଥିବା ମହିଳା ଫୁଟ୍ବଲ କ୍ରୀଡ଼ା ଛାତ୍ରାବାସରେ ପୂର୍ବରୁ ଯେଉଁ କୋଚ ଦୀର୍ଘଦିନ ଧରି ଆସନ ମାଡିବସି ଅଛନ୍ତି ତାଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇ ପାରିଥାନ୍ତା । ତେବେ ଭୁବନେଶ୍ୱରରେ ବିନା କାମରେ ଦୁଇଜଣ ମହିଳା ଫୁଟ୍ବଲ କୋଚଙ୍କୁ କାହିଁକି ସରକାର ରଖୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରକ୍ଷରେ ପଶ୍ଚିମ ଓଡିଶାର ଏକ ପ୍ରମୁଖ କ୍ରୀଡ଼ା କ୍ଷେତ୍ର ସୁନ୍ଦରଗଡ଼ ଜିଲାକୁ ଉପେକ୍ଷା କରାଯାଉଛି ବୋଲି କ୍ରୀଡାବିତ୍ ମାନେ ମତ ପୋଷଣ କରୁଛନ୍ତି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


