ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ
ରାୟଗଡା, : ଓଡ଼ିଶାର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ତତ୍ତ୍ଵାବଧାନରେ ଥିବା ଏକ ସ୍ଵୟଂଶାସିତ କାର୍ଯ୍ୟକ୍ରମ ହେଉଛି ମହାତ୍ମାଗାନ୍ଧୀ ନିଶ୍ଚିତ୍ତ କର୍ମ ନିଯୁକ୍ତି ଯୋଜନା । ଚନ୍ଦ୍ରପୁର ବ୍ଳକ ବିଜାପୁର ଗ୍ରାମ ପଞ୍ଚାୟତର ସାନପଙ୍କାଳ ଗାଁରେ ଏହି ଯୋଜନା ଅନ୍ତର୍ଗତ ଏକ ବଡ ଦୁର୍ନୀତିର ତଦନ୍ତ କରିଛନ୍ତି ଲୋକାୟୁକ୍ତ । ଗଜପତି ଜିଲ୍ଲା ସୀମାବର୍ତ୍ତୀ ୩୪ ଆଦିବାସୀ ପରିବାର ବାସ କରୁଥିବା ଏହି ଗ୍ରାମ ହେଉଛି ରାୟଗଡା ଜିଲ୍ଲାର ଶେଷ ତଥା ଅତି ଦୁର୍ଗମ ଗାଁ ।
ଗତ ୨୦୧୩ ମସିହାରେ ଦୁଇ ଆଦିବାସୀ ପିଲା ଜଙ୍ଗଲୀ କନ୍ଦା ଖାଇ ମୃତ୍ୟୁ ବରଣ କରିଥିଲେ ଏହି ଗାଁ ରେ । ତତ୍କାଳୀନ କଲେକ୍ଟର ଜଗନ୍ନାଥ ମହାନ୍ତି ପ୍ରାୟ ୬ କିଲୋମିଟର ପାହାଡ ଏବଂ ଜଙ୍ଗଲ ଦେଇ ସୁରୁଲୁ ଗ୍ରାମ ଠାରୁ ସାନପଙ୍କାଳ ଗାଁକୁ ଯାଇଥିଲେ । ରାସ୍ତା ନଥିବାରୁ ସେ ସୁରୁଲୁ ଠାରୁ ସାନପଙ୍କାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୬୧.୬୧ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ବଡ଼ପଙ୍କାଳ ଏବଂ ସାନପଙ୍କାଳ ଗ୍ରାମବାସୀ ଏହି ରାସ୍ତା ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଅଭିଯୋଗ ଦେଇଥିବା ସତ୍ତ୍ୱେ ଭାଗ୍ୟବଶତଃ ୨୦୧୯- ୨୧ ସମୟରେ, ସୁରୁଲୁ ଠାରୁ ସାନପଙ୍କାଳ ରାସ୍ତା ନିର୍ମାଣ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଘାଟ କାଟିବା ଏବଂ ଅଳ୍ପ କିଛି କାମ କରି କାର୍ଯ୍ୟ ବନ୍ଦ ହୋଇଗଲା । ବଡ ବଡ ପଥର ଖଣ୍ଡ ସହ ପୁଣି ସେହି ପାଦଚଲା ରାସ୍ତା ହିଁ ରହିଲା ।
ଏହି ଅନିୟମିତତା ସମ୍ପର୍କରେ ତ୍ଵୋରିତ ନ୍ୟାୟ ସମିତି(ସୋସାଇଟି ଫର ଫାଷ୍ଟ ଜଷ୍ଟିସ), ରାୟଗଡା ତରଫରୁ ଲୋକାୟୁକ୍ତ ଭୁବନେଶ୍ୱର ଠାରେ ସାମ୍ବାଦିକ ରଶ୍ମି ରଞ୍ଜନ ଦୋରା ଅଭିଯୋଗ କରିଥିଲେ । ଲୋକାୟୁକ୍ତ କେସ ନମ୍ବର ୪୪୪/୨୦୨୩ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ଏହି ଘୋଟାଲାରେ ମୋଟ ଅନୁଦାନ ୫୬ ଲକ୍ଷ ଟଙ୍କାରୁ ୪୨.୪୨ ଲକ୍ଷ ଟଙ୍କା ତୋଷାରପାତ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା ଓ ବିଭିନ୍ନ ଦିଗରୁ ତଦନ୍ତ କରିବା ପାଇଁ ଆପତ୍ତି କରାଯାଇଥିଲା । ରାୟଗଡା ଲୋକପାଳଙ୍କ ଅନୁସନ୍ଧାନ ରିପୋର୍ଟ ଅନୁସାରେ ଏହି ଯୋଜନା ଅଧୀନରେ ଥିବା ସୁରୁଲୁ-ସାନପଙ୍କାଳ ସଡକ ନିର୍ମାଣ ନାମରେ ୬ଟି କାର୍ଯ୍ୟ ସମାପ୍ତ ହୋଇଥିବା ସରକାରୀ ଓ୍ବେବସାଇଟରେ ରହିଛି, ଯାହା କେବେବି ଆରମ୍ଭ କରାଯାଇନଥିଲା । କିନ୍ତୁ କେବଳ ଗୋଟିଏ କାମ ହୋଇଥିଲା ଏବଂ ଅନ୍ୟ ପାଞ୍ଚଟି କାର୍ଯ୍ୟ ଲୁଟ ହୋଇଥିଲା ।
ଯଦିଓ ଅଧିକାଂଶ କଲଭର୍ଟ ଗୁଡିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହୋଇଥିଲା, ବ୍ଳକ ଜେଇ ଚଞ୍ଚକତା କରି କହିଥିଲେ ଯେ ସେଗୁଡିକ ମହାତ୍ମାଗାନ୍ଧୀ ନିଶ୍ଚିତ୍ତ କର୍ମ ନିଯୁକ୍ତି ଅଧୀନରେ ନିର୍ମିତ ହୋଇଛି । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶୀଲ ନିମାଲପୁରୀ, ଯିଏକି ବର୍ତ୍ତମାନ କାର୍ଯ୍ୟରୁ ଅବସର ନେଇଛନ୍ତି, ମିଥ୍ୟା ଡକ୍ୟୁମେଣ୍ଟ, ବିଲ୍ ଏବଂ ଭାଉଚର୍ ପ୍ରସ୍ତୁତ କରିଥିଲେ । ତାଙ୍କ ପତ୍ନୀଙ୍କୁ ଜଣେ ବିକ୍ରେତା ଭାବରେ ପଞ୍ଜୀକୃତ କରିଥିଲେ ଏବଂ ତାଙ୍କ ଆକାଉଣ୍ଟକୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ସୁଶୀଲ ନିମାଲପୁରୀ ସମସ୍ତ ଆକାଉଣ୍ଟକୁ ଟ୍ୟାମ୍ପରିଂ କରିଛନ୍ତି । ନିଜର କ୍ଷମତାର ଅପବ୍ୟବହାର କରି ଶ୍ରମିକମାନଙ୍କୁ ମଜୁରୀ ଦେୟ ଏବଂ ସାମଗ୍ରୀ ବିଲ୍ ଗୁଡିକର ସ୍ପଷ୍ଟ ଭାବେ ଦଲିଲ ଜାଲିଆତି ଏବଂ ସରକାରୀ ପାଣ୍ଠିର ଅପବ୍ୟବହାରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅପରାଧିକ କାର୍ଯ୍ୟକଳାପକୁ ସୂଚିତ କରୁଛି ।
ସମସ୍ତ ଅଧିକାରୀ ସମଗ୍ର ଦୁର୍ନୀତିରେ ଏକାଠି ହୋଇ ହରିଲୁଟ କରିଛନ୍ତି । ଜିଆରଏସ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ରେଜିଷ୍ଟର, କ୍ୟାସ୍ ବୁକ୍, ମାପ ବୁକ୍, ୱାର୍କ ରେଜିଷ୍ଟର, ସାମଗ୍ରୀ କ୍ରୟ ରିପୋର୍ଟ ରେଜିଷ୍ଟର, ଅଭିଯୋଗ ରେଜିଷ୍ଟର ନଥିବା କହିଛନ୍ତି । ଲୋକାୟୁକ୍ତଙ୍କ ତଦନ୍ତ ସମୟରେ ମଧ୍ୟ ତିନିଟି ଫାଇଲ ନଥିବା ଏବର ବିଜାପୁର ପି ଇ ଓ, ଚନ୍ଦ୍ରପୁର ବ୍ଳକ ଜେଇ କିସାନ କହିଛନ୍ତି । ଏହା ସହିତ ପ୍ରୋଗ୍ରାମ ଅଫିସର ବିନୟ କୁମାର ପାଣି, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଜେଇ କିସାନ, କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ଉପସ୍ଥିତିରେ ପିଇଓ ନିମାଲପୁରୀ ତତ୍କାଳୀନ ବିଡ଼ିଓ ଡୁଙ୍ଗଡୁଙ୍ଗଙ୍କୁ ୨୨ ଲକ୍ଷ ନଗଦ ଟଙ୍କା ଫେରସ୍ତ କରିଛନ୍ତି । ଏତେ ପରିମାଣର ନଗଦ ରାଶି କାରବାର ରେ ଜଡିତ ଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚଳାଇଛି ସୋସାଇଟି ଫର ଫାଷ୍ଟ ଜଷ୍ଟିସ । ଏହି ଅନିୟମିତତା ପାଇଁ କମ୍ପ୍ୟୁଟର ପ୍ରୋଗ୍ରାମର(ସିପି) ମଧ୍ୟ ଦାୟୀ ବୋଲି କହିଛନ୍ତି ସୋସାଇଟି ଫର ଫାଷ୍ଟ ଜଷ୍ଟିସର ଅଧ୍ୟକ୍ଷ ଡଃ ବାଦଲ କୁମାର ତା । ସେ ସମସ୍ତ ମିଥ୍ୟା ଦସ୍ତାବିଜଗୁଡିକ ଗୁଗୁଲ ୱେବସାଇଟରେ ଅପଲୋଡ୍ କରିଛନ୍ତି ।
ଶ୍ରମିକଙ୍କ ଦେୟ ପାଇଁ ମଧ୍ୟ ଡିଜିଟାଲ୍ ପେମେଣ୍ଟ୍ କରାଯାଇଥାଏ । କାହିଁକି ଏହା କରାଗଲା ନାହିଁ ଓ ମିଲି ଭଗତରେ ଚାଲିଲା ଲୁଟ । ଲୋକାୟୁକ୍ତଙ୍କ ତରଫରୁ ଇଂଜିନିୟର ଡାଇରେକ୍ଟର ମାନଗୋବିନ୍ଦ ବିଶ୍ଵାଳ ଏବଂ ତାଙ୍କ ସହଯୋଗୀ ଇଂଜିନିୟର ଆସି ପ୍ରଥମେ ବିଜାପୁର ପଞ୍ଚାୟତ କାର୍ଯ୍ୟାଳୟ ଯାଇ ନଥିପତ୍ର ତଦନ୍ତ କରିଥିଲେ । ପରେ ସୁରୁଲୁ ଠାରୁ ପଙ୍କାଳ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିବା ରାସ୍ତାକୁ ମାପ କରିଥିଲେ । କିନ୍ତୁ ବର୍ତ୍ତମାନ ସେହି ରାସ୍ତା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟ ଚାଲୁଅଛି । ତଦନ୍ତ ସମୟରେ ଅଭିଯୋଗକାରୀ ଶ୍ରୀ ଦୋରା ଉପସ୍ଥିତ ଥିବା ବେଳେ ସୋସାଇଟି ଫର ଫାଷ୍ଟ ଜଷ୍ଟିସର ଅଧ୍ୟକ୍ଷ ଡଃ ବାଦଲ କୁମାର ତା ମଧ୍ୟ ଉପସ୍ଥିତ ରହି ଲୋକାୟୁକ୍ତ ପ୍ରତିନିଧିଙ୍କ ସହ ଆଲୋଚନା କରି ଜିଲ୍ଲାବାସୀଙ୍କୁ ନ୍ୟାୟ ଦେବାପାଇଁ ଅନୁରୋଧ କରିଥିଲେ । ଚାଷବାସ ସମୟ ହୋଇଥିବାରୁ ଏବଂ ବ୍ଲକ ଅଧିକାରୀଙ୍କ ତରଫରୁ କୌଣସି ସୂଚନା ନଥିବାରୁ ତଦନ୍ତ ସମୟରେ ଗ୍ରାମବାସୀମାନେ କେହି ଉପସ୍ଥିତ ନଥିଲେ ।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


