ଓଡ଼ିଆ ନୂତନ ବର୍ଷ ଓ ପଣା ସଂକ୍ରାନ୍ତି
ପ୍ରଶାନ୍ତ କୁମାର ଶତପଥୀ
ବସନ୍ତର ଶେଷ ଗ୍ରୀଷ୍ମର ପ୍ରବେଶ
ବର୍ଷର ପ୍ରଥମ ସଂକ୍ରାନ୍ତି,
ଅତି ହରଷରେ ଆନନ୍ଦ ମନରେ
ଭକ୍ତିର ଅର୍ଘ୍ୟକୁ ଢାଳନ୍ତି l
ସୂରୁଜ ରୁହନ୍ତି ବିଷୁବ ରେଖାରେ
ସଉର ମାସ ନାମେ ଖ୍ୟାତ,
ଓଡ଼ିଆ ଘରରେ ଆନନ୍ଦ ଉତ୍ସବ
ହୁଏ ଦେବମନ୍ଦିରେ ଯାତ l
ଓଡ଼ିଆ କହୁଛି ମୋ’ର ନବବର୍ଷ
ହରଷରେ ଆଜି ପାଳୁଛି,
ପଣାସଂକ୍ରାନ୍ତିର ନାମ ଅଟେ ଏହା
ପଣାର ବାସନା ହେଉଛି l
ହନୁମାନଙ୍କର ଜୟନ୍ତୀ ପର୍ବରେ
ମନ୍ଦିରରେ ଭିଡ଼ ଜମୁଛି,
ମାଆଙ୍କ ମନ୍ଦିରେ ମେରୁ ସଂକ୍ରାନ୍ତିରେ
ମହ ମହ ଝୁଣା ବାସୁଛି l
ଜଗତର ନାଥ କାଳିଆ ସାଆନ୍ତ
ସଭିଙ୍କର ହିତ ଦେଖୁଛି,
ମୁରୁକି ମୁରୁକି ସୁନ୍ଦର ହସରେ
ଡୋରିରେ ସଭିଙ୍କୁ ବାନ୍ଧିଛି l
ସକାଳ ସୂର୍ଯ୍ୟଙ୍କ ପହିଲି କିରଣ
କୋଣାର୍କ ମନ୍ଦିରେ ଦିଶୁଛି,
ଝକମକ ହୋଇ ନୂତନ ବର୍ଷକୁ
ସାଦରେ ସ୍ଵାଗତ କରୁଛି l
କାଳିଆ ପାଖରେ ନୂତନ ପଞ୍ଜିକା
ଶୁଭାରମ୍ଭ ଆଜି ହେଉଛି,
ଶୁଭାଶୁଭ ସହ ପରବ ପର୍ବାଣୀ
ସଭିଙ୍କୁ ଜଣାଇ ଦେଉଛି l
ଓଡିଆଙ୍କ ଏହି ନୂତନ ବର୍ଷରେ
ସନ୍ଦେଶ ଆଜି ମୁଁ ଦେଉଛି,
ଓଡ଼ିଶାର ଟେକ ସଭିଏଁ ରଖିବା
ମାଆର ସମ୍ମାନ ରହିଛି l
ଛତ୍ରପୁର, ଗଞ୍ଜାମ