ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଲାଞ୍ଜିଗଡ- ବିଶ୍ୱନାଥପୁର ଯୋଗାଯୋଗ ବିଛିନ୍ନ 

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଲାଞ୍ଜିଗଡ- ବିଶ୍ୱନାଥପୁର ଯୋଗାଯୋଗ ବିଛିନ୍ନ 

ଲାଞ୍ଜିଗଡ, ୦୯/୦୯(ମନିସ)- ଦୁଇଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବାବେଳେ ପ୍ରବଳ ବର୍ଷାପାଣି ପ୍ରବାହିତ ହେବାରୁ ଲାଞ୍ଜିଗଡ ଆଶ୍ରମପଡ଼ା ନିକଟସ୍ଥ ପୋଲ ଓ ପୂର୍ତ୍ତ ବିଭାଗ ରାସ୍ତା ଧୋଇହୋଇଯିବାରୁ ଲାଞ୍ଜିଗଡ- ବିଶ୍ୱନାଥପୁରକୁ ସଂପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଲଗାଣ ବର୍ଷାରେ ଧୋଇଯିବା ଏହି ଅଭିଯୋଗକୁ ସତ ପ୍ରମାଣିତ କରିଛି। ସେହିପରି ବିଶ୍ୱନାଥପୁର ବ୍ଲକ ଛକ ନିକଟରେ ଏକ ବିରାଟ ନୀଳଗିରି ଗଛ ରାସ୍ତା ଉପରେ ପଡିଯିବାରୁ ରାସ୍ତା କଡ଼ରେ ଏକ ଝୁମ୍ପୁଡ଼ି ହୋଟେଲ କରି ଚଳୁଥିବା ଜଣେ ବ୍ୟକ୍ତିଙ୍କ ହୋଟେଲ ଘର ଓ ତାଙ୍କର ସବୁ ଆସବାବପତ୍ର ଭାଙ୍ଗି ଚୁରମାର ହୋଇଯାଇଥିଲା। ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଦ୍ୱାରା ଦୀର୍ଘ ଦୁଇଘଣ୍ଟା ପରେ ଗଛ କାଟି ରାସ୍ତା ଅବରୋଧ ହଟାଯାଇଥିଲା। ବିଶ୍ୱନାଥପୁର ତହସିଲଦାର କିରଣ କୁମାର ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ପରିବାରକୁ ଦେଢ଼ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଲାଞ୍ଜିଗଡ ବିଡିଓ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହି ପରିବାରକୁ ତିନିଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଓ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବାକୁ ଘୋଷଣା କରାଯାଇଥିବା ସୂଚନା ମିଳିଛି। ସେହିପରି ଲାଞ୍ଜିଗଡ ଅଞ୍ଚଳର ଲକ୍ଷାଧିକ ଲୋକେ ସ୍ୱାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ବର୍ଷା ପାଣି ଜମିରହିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏଣୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

Related posts

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସାଧାରଣ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

masiha

Leave a Comment

error: Content is protected !!