ଛନ୍ଦା ଚରଣରେ ବନ୍ଧା ଏ ପରାଣ
କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ଛନ୍ଦା ଚରଣରେ ବନ୍ଧା ଏ ପରାଣ
ଆହେ ବଂଶୀଧର ଶୁଣ
ଶୟନେ ସ୍ୱପନେ ପୁଣି ଜାଗରଣେ
କେବଳ ଦିଶ ଆପଣ
ତୁମରି ଯୁଗଳ ମୂର୍ତ୍ତି,
ଦୟା କରି ନାଥ ଥରେ ଦେଖାଇବ
ଲଭିବି ପରମ ଗତି ll୧ll
ସଖା ପଣେ ତୁମେ ଲଜ୍ୟା ନିବାରିଲ
ଦ୍ରୁପଦ ନନ୍ଦିନୀଙ୍କର
ଯଶୋଦା ନନ୍ଦନ ରାଧା ପ୍ରାଣଧନ
ଲୋଡ଼େ ତୁମ କୃପା ନୀର
ଘେନି ନାଥ ମୋର ସ୍ତୁତି,
ହୃଦୟ ମନ୍ଦିରେ ବିଜେ କରି ସଦା
ସୁନ୍ଦର ରଖିବ ମତି ll
ନାହିଁ ଜ୍ଞାନ ବଳ ଅଧମ ଦୁର୍ବଳ
ଭକତି କୁସୁମ ଢାଳି
ନିତି ଡାକୁଅଛି ପ୍ରୀତି ଭାବ ଧରି
ଶୁଣ ବାରେ ବନମାଳୀ
ଚରଣେ ଏହି ମିନତି,
ବିଶ୍ଵାସକୁ ପ୍ରଭୁ ଉଣା କରିବନି
ଦୟା କରିବ ଶ୍ରୀପତି ll
ଫୁଲବାଣୀ, କନ୍ଧମାଳ