ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା

ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

-ଗ୍ରାମସଭା ଉପରେ ପୁନଃବିଚାର କରିବାକୁ ନିବେଦନ କଲେ  

ଲାଞ୍ଜିଗଡ଼,୦୮/୦୧( ମନିସ)-କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ଗତ ୨୦୦୩ ମସିହାରୁ ଲାଞ୍ଜିଗଡ଼ଠାରେ ରିଫାଇନେରୀ ସ୍ଥାପନ ସହିତ ୨୦୦୭ରୁ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ସତ କିନ୍ତୁ ପ୍ରାୟ ୨୨ ବର୍ଷ ପୁରିବାକୁ ବସିଥିବାବେଳେ କଂପାନୀକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଖଣି ଓ କଞ୍ଚାମାଲ ମିଳିନାହିଁ। ଯାହା ଫଳରେ କଂପାନୀ ବାହାରୁ କଞ୍ଚାମାଲ ଆଣି ଲାଞ୍ଜିଗଡ଼ରେ ରିଫାଇନେରୀ ଚଳାଇଥିବାବେଳେ ଇତିମଧ୍ୟରେ ପ୍ରକଳ୍ପର ସଂପ୍ରସାରଣ ମଧ୍ୟ କରିସାରିଛି। ତେବେ ବାହାରୁ କଞ୍ଚାମାଲ ଆଣି କଂପାନୀ ଚଳାଇବା ଦିନକୁ ଦିନ ମୁସ୍କିଲ ହୋଇ ପଡ଼ୁଥିବାବେଳେ ଏବେ କଂପାନୀ ହାତ ଟେକିଦେବାକୁ ବସିଛି। ଏପରିକି କଞ୍ଚାମାଲ ଅଭାବ ଓ ଉତ୍ପାଦନ ଅପେକ୍ଷା ବ୍ୟୟଭାର ବୃଦ୍ଧି ପାଇଥିବାବେଳେ ଏଥିଯୋଗୁଁ କଂପାନୀ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କମ୍ପାନୀର କଞ୍ଚାମାଲ ଶେଷ ହୋଇଯିବ ବୋଲି ସୂଚନା ମିଳିଛି। ଏହାପରେ କମ୍ପାନୀ ଚାଲିବା ମୁସ୍କିଲ ହୋଇପଡିବ। ଏହାଦ୍ୱାରା କମ୍ପାନୀ ଉପରେ ନିର୍ଭର କରି ବଞ୍ଚୁଥିବା ଛୋଟମୋଟ ଦୋକାନୀ, ବ୍ୟବସାୟୀ, କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଗଭୀର ପ୍ରଭାବ ପଡିବ। ଅନେକଙ୍କ ଘରେ ଦିଓଳି ଚୁଲି ଜଳିବା କାଠିକର ପାଠ ହୋଇଯିବ। ଏଇ ପରିପ୍ରେକ୍ଷୀରେ କଂପାନୀ ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ ବ୍ଲକର ୨୬ଗୋଟି ପଞ୍ଚାୟତ ତଥା ରାୟଗଡ଼ା ଜିଲ୍ଲା ମୁନିଗୁଡା, ଅମ୍ବାଦଳା ଅଞ୍ଚଳର ହଜାର ହଜାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜର ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କାରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରୁ ୪ ହଜାରରୁ ଅଧିକ ଲୋକେ ସମବେତ ହେବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ଲାଞ୍ଜିଗଡ଼ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଂପାନୀକୁ ସ୍ଥାୟୀ ଖଣି କିମ୍ବା କଞ୍ଚାମାଲ ଯୋଗାଇଦେଲେ କଂପାନୀ ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ଏବଂ କଂପାନୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ଉପକୃତ ହେବେ ବୋଲି ସେମାନେ ଦର୍ଶାଇଛନ୍ତି। ସେହିପରି ସ୍ଥାନୀୟ ବକ୍ସାଇଟ ଖଣି ପାଇଁ ଗ୍ରାମସଭାର ପୁନଃବିଚାର ପାଇଁ ଦାବି କରିଛନ୍ତି। ଏଥିରେ ଲାଞ୍ଜିଗଡ଼ ଶ୍ରମିକ ସଂଘ, ଲାଞ୍ଜିଗଡ଼ ବଣିକ ସଂଘ, ଲାଞ୍ଜିଗଡ଼ ଡ୍ରାଇଭର ସଂଘ, ମୋଟର ଗାଡ଼ି ମାଲିକ ସଂଘ ତଥା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନର ଚାରିହଜାରରୁ ଉର୍ଦ୍ଧ୍ଵ ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଆଜିର ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ବିଡିଓ ଶଶାଙ୍କ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଚନ୍ଦ୍ରଶେଖର ବେହେରା, ଏମ.ଡି ଆୟୁବ, ନବୀନ ପାତ୍ର, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ସୁରେଶ ଅଗ୍ରୱାଲ, ଶ୍ରୀବତ୍ସ ତାଣ୍ଡି, ଶ୍ରୀମୁଖ ଅଗସ୍ତି, ଲିଙ୍ଗରାଜ ମାଝୀ, ହିମାଦ୍ରୀ ପେସନିଆ, ପ୍ରଦୀପ ଘଡ଼େଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, କିଶୋର ହରପାଲ, ଅନନ୍ତ ପାଲ, ସେନାପତି ନାଏକ, ପାତ୍ର ମାଝୀ, ମନୋହର ହରପାଲ, ରଂଜିତ ପାଢ଼ୀ, ଲକ୍ଷ୍ମୀ ଚଣ୍ଡୀ, ମୀନକେତନ ପରିଛା, ସୁବାସ ଅଗ୍ରୱାଲଙ୍କ ସମେତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାରି ହଜାରରୁ ଉର୍ଦ୍ଧ୍ଵ ଲୋକେ ସାମିଲ ହୋଇଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ

Sunil Chandra Nayak

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

masiha

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!