ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ
ଡାବୁଗାଁ, ୧୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଆଦିବାସୀ ମାନଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଗୁରୁବାର ପାଳିତ ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ
ଶେଷ ହୋଇଛି ଏହି ଉତ୍ସବ | ଏଥିରେ ଡାବୁଗାଁ ବ୍ଲକ ସମେତ ଆଖପାଖ ୧୫୦ ଟି ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଭୈରବ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ନଗର ପରିକ୍ରମା କରି ଭୈରବ ମନ୍ଦିରରେ ଏକତ୍ରିତ ହୋଇଥିଲେ | ପୂଜାରୀ, ଶିରା ଓ ଦିଶାରିମାନେ ସାଜସଜା ହୋଇ ଖଣ୍ଡା ଧରି ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା, ଦିଶାରି ମାନେ
ବାଦ୍ୟର ତାଳେ ତାଳେ ନୃତ୍ୟ କରି ବଜାର ପରିକ୍ରମା କରି ମନ୍ଦିର ଠାରେ ପହଞ୍ଚିଥିଲେ | ଶୁକ୍ରବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏହି ମଣ୍ଡେଇ ପାଳନରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାତ୍ରିରେ ଦେଶୀଆ ନାଟ ଯଥା :- ମାଲକାନଗିରି ଜିଲା ଗଲିଆଗୁଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “କେଉଁ ଭୁଲ ପାଇଁ ଦୁଃଖ ପାଉଛି” ଓ ଡାବୁଗାଁ ବ୍ଲକ ଅଧୀନ ପୂଜାରିଗୁଡା ଗ୍ରାମର ଦାମ ଗୁରୁଙ୍କ ନିର୍ଦ୍ଦେଶିତ “ଏମିତି ପ୍ରେମ କାହିଁକି କଲି” ୨ ଟି ଆଦିବାସୀ ନାଟକ ପରିବେଷଣ କରାଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ବାବି ଜେନା ପ୍ରମୁଖ ଉପସ୍ଥିତ ଥିଲେ | କମିଟି ସଭାପତି ଭାବେ ବିନୋଦ ସୌରା, ଉପସଭାପତି ସତ୍ୟରଞ୍ଜନ ପାତ୍ର, ସମ୍ପାଦକ ସୁରେନ୍ଦ୍ର ରେଲି, ରାମକୁମାର ଗଣ୍ଡ, ବିଶ୍ଵରଞ୍ଜନ ରାୟପାତ୍ର, କୁନୁ ପାତ୍ର, ଶାନ୍ତି ସୁନା, ତରଣୀ ରେଲୀ, ଜିତୁ ରେଲୀ, ମନୁ ରେଲି, ଟୁନା ଭାଟ, ବୁନୁ ଜାନୀ, ଭୈରବ ରାଓ ଓ ଅନ୍ୟ ମାନେ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

