ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ : ମନ୍ତ୍ରୀ ସୁରେଶ ପୂଜାରୀ

୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ : ମନ୍ତ୍ରୀ ସୁରେଶ ପୂଜାରୀ

ରାଉରକେଲା : ସହରର ହକି ଭିଲେଜ ମେଫେୟାର ହୋଟେଲ ସମ୍ମିଳନୀ କକ୍ଷରେ ଆଜି ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବରେ ଓଡିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ ବୋଲି ସୂଚନା ଦେବା ସହିତ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ।୨୦୨୫-୨୬ କେନ୍ଦ୍ର ବଜେଟରେ ଓଡିଶା ଭଳି ରାଜ୍ଯ ବିଶେଷ ଉପକୃତ ହେବ ବୋଲି ସୂଚନା ଦେବା ସହ ସମସ୍ତଙ୍କୁ ସଶକ୍ତ କରିବା ଭଳି ବଜେଟ୍ ପ୍ରସ୍ତୁତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ ଓଡିଶା ୨୦୩୬ରେ ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ ଏବଂ ୨୦୪୭ରେ ଆମ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବାରୁ ବିକଶିତ ଓଡିଶା ଓ ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ବକ୍ତବ୍ୟ ରଖିଥିଲେ।

     ଏହି ବଜେଟ୍ ଗୋଟିଏ ଶିଶୁ ଜନ୍ମ ହେବା ପର ଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ଏହି ବଜେଟ୍ ପୂରଣ କରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

ଓଡିଶା ଭଳି ରାଜ୍ୟର ଅଭିବୃଦ୍ଧି ଓ ବିକାଶ ହେବା ସହିତ ମଧ୍ଯବିତ୍ତ ବର୍ଗ ଲାଭ ପାଇବା ସହ ଚାଷୀଙ୍କ ଆୟ ବୃଦ୍ଧି ହେବ। ମହିଳା ଉଦ୍ଯୋଗୀଙ୍କ ନୂଆ ସୁଯୋଗ ତିଆରି କରିବ। ଯୁବ ଓ ବଞ୍ଚିତ ବର୍ଗଙ୍କୁ ସ୍ବାବଲମ୍ବି ଓ ଆତ୍ମନିର୍ଭର କରିବ। ପଛୁଆ ବର୍ଗ ଏବଂ ଦିବ୍ଯାଙ୍ଗମାନଙ୍କୁ ସଶକ୍ତ କରିବ। ସେହିପରି ନିକଟରେ ଓଡିଶାର ଭୁବନେଶ୍ବର ଠାରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ସମାରୋହ ଏବଂ ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭ – ୨୦୨୫ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଓଡିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଦୃଷ୍ଟିଭଙ୍ଗୀ ରଖିଛନ୍ତି ତାହାକୁ ପୂରଣ କରିବା ଦିଗରେ ଏହି ବଜେଟ ସହାୟକ ହେବା ସହିତ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ରେ ସମୁଦାୟ ୧୪୫ଟି ରାଜିନାମା (ଏମଓୟୁ) ସ୍ବାକ୍ଷରିତ ସହ ସମୁଦାୟ ୧୨ଲକ୍ଷ ୮୯ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି। ଏଥିରେ କେମିକାଲସ୍, ପେଟ୍ରୋ କେମିକାଲସ୍, ଟେକ୍ସଟାଇଲସ୍, ମାଇନିଙ୍ଗ୍ ଓ ମେଟାର୍ଲଜି, ନବୀକରଣ ଶକ୍ତି, ଆଇ.ଟି, ପର୍ଯ୍ଯଟନ ଏବଂ ଖାଦ୍ଯ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି ବୋଲି ସେ ସୂଚନା ଦେଇଥିଲେ। ରାଜ୍ଯରେ ୮ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଓଡିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ଯାପକ ପରିବର୍ତ୍ତନ ଆଣିବା ସହ ରାଜ୍ଯରେ ସମାବେଶୀ ଅଭିବୃଦ୍ଧି ହୋଇପାରିବ।

ସେହିପରି ଓଡିଶା ବଜେଟ୍ ପରିପ୍ରେକ୍ଷୀରେ ସକ୍ଷମ ଅଙ୍ଗନଓ୍ବାଡି ଓ ପୋଷଣ ୨.୦ କାର୍ଯ୍ୟକ୍ରମରେ ଓଡିଶାର ୩୬ଲକ୍ଷରୁ ଅଧିକ ଶିଶୁ, ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆଙ୍କୁ ପୋଷଣ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ଏଥିସହିତ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ହଜାର ଟିଙ୍କରିଂ ଲ୍ଯାବ ପ୍ରତିଷ୍ଠା କରାଯାଇ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବାରେ ଏହା ବିଶେଷ ସହାୟକ ହେବା ବିଷୟରେ କହିଥିଲେ। ଭାରତନେଟ୍ ପ୍ରକଳ୍ପ ଅଧିନରେ ଇଣ୍ଟରନେଟ ଓ ବ୍ରଡବ୍ଯାଣ୍ଡ୍ ସଂଯୋଗ ନଥିବା ସମସ୍ତ ୩ହଜାର ୬୫୯ଟି ସରକାରୀ ମାଧ୍ଯମିକ ବିଦ୍ୟାଳୟ ଏବଂ ଗ୍ରମାଞ୍ଚଳର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ ଓ ବ୍ରଡବ୍ଯାଣ୍ଡ୍ ଯୋଗାଇ ଦିଆଯିବ। ଏଥିସହିତ ଆସନ୍ତା ବର୍ଷ ଠାରୁ ମେଡିକାଲ କଲେଜରେ ୧୦ହଜାର ସିଟ୍ ଯୋଡାଯିବା ସହ ଆସନ୍ତା ତିନି ବର୍ଷ ମଧ୍ୟରେ ଓଡିଶାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେ-କେୟାର କ୍ଯାନ୍ସର ସେଣ୍ଟର ପ୍ରତିଷ୍ଠା ହେବ। ସେହିପରି ଯୁବପିଢିଙ୍କୁ ଦକ୍ଷ କରିବା ସହ ସେମାନଙ୍କୁ ବିଶ୍ବସ୍ତରୀୟ ସୁଯୋଗର ସୁବିଧା ନେବା ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

          ପିଏମ୍ ଧନ ଧାନ୍ଯ କୃଷି ଯୋଜନା ତଥା ଏକ ବିକଶିତ କୃଷି-ଜିଲ୍ଲା କାର୍ଯ୍ଯକ୍ରମ ଅଧିନରେ ୧୦୦ଟି ଜିଲ୍ଲାକୁ ସାମିଲ କରାଯିବା ସହ କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା, ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ କରି ଉତ୍ପାଦର ସଂରକ୍ଷଣ ବୃଦ୍ଧି, ଜଳସେଚନର ଉନ୍ନତି ଆଣିବା ସହ ଦୀର୍ଘମିଆଦୀ ଓ ସ୍ବଳ୍ପମିଆଦୀ ଋଣ ଉପଲବ୍ଧ କରାଇବା ଉଦ୍ଦେଶ୍ଯ ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ଏହା ଦ୍ବାରା ଓଡିଶା ଭଳି କୃଷିଭିତ୍ତିକ ରାଜ୍ୟ ବିଶେଷ ଲାଭବାନ ହେବ ବୋଲି ସେ କହିଥିଲେ। ଓଡିଶାରେ କିଷାନ କ୍ରେଡିଟ କାର୍ଡଧାରୀଙ୍କ ପାଇଁ କ୍ରେଡିଟ ସୀମାକୁ ୩ଲକ୍ଷରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିଯୋଗୁ ଓଡିଶାର ୪୦ଲକ୍ଷ କିଷାନ କାର୍ଡଧାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ। ନ୍ଯାସନାଲ ମିଶନ୍ ଫର୍ ଏଡିବଲ୍ ଅଏଲ୍ ସିଡ୍ସ ଯୋଜନାରେ ଓଡିଶା ଭଳି ରାଜ୍ୟରେ ସୋରିଷ, ବାଦାମ, ସୂର୍ଯ୍ଯମୁଖୀ ଚାଷ କରୁଥିବା ଚାଷୀମାନେ ଉପକୃତ ହେବେ ବୋଲି ସେ କହିଥିଲେ। ଶିଳ୍ପ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟ୍ଅପ୍ ଓ ଭିତ୍ତିଭୂମି କ୍ଷେତ୍ରରେ ମେରିଟାଇମ ଡେଭେଲପମେଣ୍ଟ ଫଣ୍ଡ୍ ଆକାରରେ ୨୫ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯାଇ ଓଡିଶାର ସାମୁଦ୍ରିକ କ୍ଷେତ୍ରରେ ବନ୍ଦରର ବିକାଶ, ନୂତନ ବନ୍ଦର ପ୍ରତିଷ୍ଠା ଏବଂ ସାମୁଦ୍ରିକ ବାଣିଜ୍ୟକୁ ତ୍ବରାନ୍ନିତ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ।

          ସଂଶୋଧିତ ଉଡାନ ଯୋଜନାରେ ୧୨୦ଟି ନୂଆ ଡେଷ୍ଟିନେସନକୁ ସଂଯୋଗ କରାଯିବ। ଉଦୀୟମାନ ଟାୟାର-୨ ସହରଗୁଡିକରେ ଗ୍ଲୋବାଲ କାପାବିଲିଟି ସେଣ୍ଟରକୁ ପ୍ରୋତ୍ସାହିତ କରାଯାଇ ରାଜ୍ୟଗୁଡିକୁ ମାର୍ଗଦର୍ଶନ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯିବ। ଏହା ଦ୍ବାରା ଓଡିଶାର ଭୁବନେଶ୍ବର, ସମ୍ବଲପୁର, ବାଲେଶ୍ବର ଏବଂ ବ୍ରହ୍ମପୁର ଭଳି ସହର ଗ୍ଲୋବାଲ କାପାବିଲିଟି ସେଣ୍ଟର ସ୍ଥାପନ କରିବାରେ ସକ୍ଷମ ହେବେ। ୧ଲକ୍ଷ କୋଟିର ଅର୍ବାନ ଚ୍ଯାଲେଞ୍ଜ ଫଣ୍ଡ ଦ୍ବାରା ଓଡିଶାର ବିଭିନ୍ନ ସହରର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

        ଓଡିଶାର ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍ ସମ୍ବଲପୁର ଏବଂ ଏନ୍ଆଇଟି ରାଉରକେଲାରେ ୨୦୩୬ ସୁଦ୍ଧା ୧୦୦ଟି ଷ୍ଟାର୍ଟ୍ଅପ ପଦକ୍ଷେପ ପୂରଣ କରିବା ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

          ଖଣି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୁନରୁର୍ଦ୍ଧାର ପାଇଁ ଏକ ନୀତି ଅଣାଯିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଦେଶର ୫୦ଟି ପର୍ଯ୍ଯଟନସ୍ଥଳୀର ବିକଶିତ ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

         ଆଜିର ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ବକ୍ତା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ପାନପୋଷ ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣିମା କେର୍କେଟା, ମ୍ଯୁନିସପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିଜେପି ପ୍ରବକ୍ତା ଗଙ୍ଗାଧର ଦାଶ, ରାଜ୍ୟ ବିଜେପି ପ୍ରବକ୍ତା ଧୀରେନ ସେନାପତି, ଶ୍ରୀଧର ମଲ୍ଲିକ, ହରିହର ରାଉତରାୟ ପ୍ରମୁଖ ମଞ୍ଚାସୀନ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ଜରିଆରେ ବୈଠକ, ଯୋଗଦେଲେ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

Sunil Chandra Nayak

ମୁଣ୍ଡୁରାଗୁଡା ଠାରେ ନୂଆଖାଇ ଅବସରରେ ବସ୍ତ୍ର ବଣ୍ଟନ

masiha

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

Leave a Comment

error: Content is protected !!