ଇଫୁନା ଓ ଉଫୁନା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ -୨୦୨୫ ପାଳିତ
ଢେଙ୍କାନାଳ : ତା.୦୮.୦୩.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ -୨୦୨୫ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଏହି ସଭାରେ ଉଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା କହିଲେ ଯେ ୨୦୨୫ ମସିହା ମହିଳା ମାନଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଏବଂ ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ତେଣୁ ସମ୍ପ୍ରତି ମହିଳାମାନେ ପୁରୁଷମାନଙ୍କ ସହିତ ସମକକ୍ଷ ହେବା ଜରୁରୀ । ପୂର୍ବତନ ଢେଙ୍କାନାଳ ସାଂସଦ ତଥା ଆଗେଇବା ଦୈନିକ ସମ୍ବାଦ ପତ୍ରର ସମ୍ପାଦକ,ମହେଶ ସାହୁ ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ନାରୀ ଜାତିର ଉନ୍ନତିରେ ହିଁ ସମାଜର ପ୍ରଗତି ସମ୍ଭବ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ଅନ୍ୟତମ ମୁଖ୍ୟବକ୍ତା ଭାବରେ ବ୍ରହ୍ମାକୁମାରୀ ଉଷା ଭଉଣୀ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଗୋଟିଏ ପରିବାରରେ ମହିଳା ମାନେ ଶିକ୍ଷିତ ହେଲେ ସେମାନେ ସମାଜରେ ବୈପ୍ଲବିକ ପରିବର୍ତ୍ତନର ବାର୍ତ୍ତାବହ ସାଜିପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ।ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ,ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ,ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପରି ଅନେକ ସଫଳ ନାରୀ ବ୍ୟକ୍ତିତ୍ଵମାନଙ୍କ ନାମ ଉଦାହରଣ ଭାବରେ ନିଆଯାଇପାରେ ।ନାରୀ ଅବଳା ନୁହେଁ ସବଳା ଓ ନାରୀ ସଶକ୍ତିକରଣର ବାର୍ତ୍ତା ଆଜି ସମଗ୍ର ବିଶ୍ୱରେ ଗ୍ରହଣୀୟ ହେଉ ବୋଲି ଦୃଢ଼ ମତପ୍ରକାଶ କରିଥିଲେ ।ପୂର୍ବତନ ସି.ବି.ଆଇ ଜଜ୍ ଭିକାରୀ ଚରଣ ରାଉତ,ପୂର୍ବତନ ଚିଫ୍ ଇଂଜିନିୟର ଅକ୍ଷୟ କୁମାର ଶତପଥି,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର, ନାରୀନେତ୍ରୀ ସ୍ମିତାରାଣୀ ସାମଲ,ରୋମେନା ବେଗମ୍, ସମାଜସେବୀ ସରୋଜ ଶତପଥୀ, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପ୍ରମୁଖ ନାରୀ ଜାତିର ସର୍ବାଙ୍ଗୀନ ଉନ୍ନତି ହିଁ ସମଗ୍ର ବିଶ୍ୱରେ ନାରୀମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଆଣିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ୨୦୧୦ ମସିହାରୁ ଜାତିସଂଘ ପକ୍ଷରୁ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଜାତିସଂଘ ମହିଳା ଶାଖା ଗଠନ କରାଯାଇଥିଲା ଓ ଏହା ନାରୀ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଅବିରତ ଏହାର କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ସୂଚନା ପ୍ରଦାନ କରିଥିଲେ।ଉକ୍ତ ସଭାରେ ନୂତନ ଭାବେ ୟୁନେସ୍କୋର ରାଜ୍ୟ ସଂଯୋଜକ ଭାବରେ ମନୋନୀତ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିବା କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଉଫୁନା ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିବା ସଙ୍ଗେ ସଙ୍ଗେ ନାରୀମାନଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦ ନାରୀମାନଙ୍କୁ ପୁରୁଷ ମାନଙ୍କ ସହିତ ସମକକ୍ଷ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଥିଲେ ଏବଂ ଜାତିସଂଘର ବହୁମୁଖୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟତମ ମଞ୍ଚାସୀନ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ପ୍ରମୋଦ ନାୟକ,ଡ.ସମୀର କୁମାର ସାହୁ,ସମାଜସେବୀ ସରୋଜ ଶତପଥୀ,ଓଡ଼ିଶା ଗୋପବନ୍ଧୁ ବିଚାର ମଞ୍ଚ ପକ୍ଷରୁ ବିନୋଦ ସେଠୀ,ରବିନାରାୟଣ ସେଠୀ, ବସନ୍ତ ବିଶ୍ୱାଳ,ପୀତବାସ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଉଫୁନାର ମହାସଚ୍ଚିବ ଡ.ଦୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର,ଆଡ୍ ଭୋକେଟ୍ ନିର୍ମଳା ମହାପାତ୍ର,କବୀ କାଦମ୍ବରୀ ମହାକୁଡ଼, ଡ.ମାନସୀ କର,ଡ଼ଃ କବିତା ମହାନ୍ତି,ମୈତ୍ରେୟୀ ଶୁଭଦା,ଆଡ୍ ଭୋକେଟ୍ ନିବେଦିତା ରଥ,ସୁକାନ୍ତି ସାହୁ,ଡ.ପ୍ରମୋଦ ପରିଡା,ଲିଙ୍କୁ ପତି,କାହ୍ନୁ ଚରଣ ବାରିକ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ ।ବରିଷ୍ଠ ଶିକ୍ଷାବିତ୍, ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ନାରୀ ପାଇଁ ଗୋଟିଏ ଇଂରାଜୀ ଓ ଗୋଟିଏ ଓଡ଼ିଆ ସନେଟ୍ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ପରିବେଶବିତ୍ ଉପେନ୍ଦ୍ର ରାଉତ୍,ଲଳିତ ବେହେରା,ପ୍ରେମାନନ୍ଦ ଶତପଥୀ,ସମାଜସେବୀ ଅନ୍ତର୍ଯ୍ୟାମୀ ରଥ,ଚନ୍ଦ୍ରମଣି ନାୟକ, ବସନ୍ତ ବିଶ୍ୱାଳ,ଚିତ୍ତ ରଞ୍ଜନ ମହାନ୍ତି,ତରୁଣ କୁମାର ବିଶ୍ବାଳ ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ । ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଡ଼ା.ଦେବୀ ପ୍ରସାଦ ମିଶ୍ର, ଙ୍କ ରିପୋର୍ଟ୍

