ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଆଉ ଏ ସଫଳତା  , ୧୮ ଗୋଟି ପୋଥି ସଂଗୃହୀତ 

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଆଉ ଏ ସଫଳତା  , ୧୮ ଗୋଟି ପୋଥି ସଂଗୃହୀତ 

     ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି । ପ୍ରାଚୀନ ପୋଥିର ଉଦ୍ଧାର ଓ ସଂରକ୍ଷଣ, ମୂଳପାଠ ନିର୍ଣ୍ଣୟ ସହିତ ଛାତ୍ରଛାତ୍ରୀଙ୍କୁ ପୋଥି ବିଷୟରେ ଅବଗତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଡୋଳାମଣି ଧରୁଆ, ଡକ୍ଟର ଦାଶରଥି ଆଚାର୍ଯ୍ଯଙ୍କ ଘରଠାରୁ ପ୍ରାଚୀନ ପୋଥି ସଂଗ୍ରହ କରିଥିଲେ । ଶ୍ରୀ ଆଚାର୍ଯ୍ଯ କୁହନ୍ତି- କଳାହାଣ୍ଡି ଭାଷା ଓ ସାହିତ୍ଯ କ୍ଷେତ୍ରରେ ସମୃଦ୍ଧିଶାଳୀ । କିନ୍ତୁ ପରିତାପର ବିଷୟ ତାହାର ପ୍ରଚାର ପ୍ରସାର ହୋଇପାରୁନାହିଁ । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନର ଜଣେ ଦକ୍ଷ ସାରଥୀ ହେଉଛନ୍ତି ଡକ୍ଟର ଆଚାର୍ଯ୍ଯ । ପୂର୍ବରୁ ପନ୍ଦର ଗୋଟି ପୋଥି ବିଶ୍ୱବିଦ୍ୟାଳୟକୁ ଦେଇ ସେ ନିଜର ବଦାନ୍ୟତାର ପରିଚୟ ଦେଇଛନ୍ତି । ସେହି ପୋଥି ମଧ୍ଯରେ ଶ୍ରୀ ନୃସିଂହ ପୁରାଣ ୨ୟ ସାଗର, ୪ର୍ଥ ସାଗର ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ, ୫ମ ସାଗର, ୭ମ ସାଗର ପୂର୍ବାର୍ଦ୍ଧ ଓ ଉତ୍ତରାଦ୍ଧ, ମଥୁରା ମଙ୍ଗଳ, ବିଲଙ୍କା ରାମାୟଣ, ବିଚିତ୍ର ରାମାୟଣ, ଟୀକା ମହାଭାରତ, ପ୍ରେମ ପଞ୍ଚାମୃତ, କାର୍ତ୍ତିକ ମାହାତ୍ମ୍ୟ, ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧ ପ୍ରଭୃତି । ପୁଣି ଥରେ ବିଶ୍ୱବିଦ୍ୟାଳୟକୁ ୧୮ ଗୋଟି ପୋଥି ପ୍ରଦାନ କରିଛନ୍ତି । ଆୟୁର୍ବେଦ ଶାସ୍ତ୍ର (୨ଖଣ୍ଡ), ଶିବ ପୁରାଣ, ଗଦାଧର ମେଳଣ ଓ ଅନ୍ଯାନ୍ଯ, ଚନ୍ଦ୍ରାବତୀ ହରଣ, ବୈଚନ୍ଦ୍ର ଗୀତା, ଦାଣ୍ଡି ରାମାୟଣ, ଚନ୍ଦ୍ରାବତୀ ହରଣ, ହାରାବତୀ ହରଣ, ନୃସିଂହ ପୁରାଣ (୩ ଖଣ୍ଡ), ଲାବଣ୍ୟନିଧି କାବ୍ୟ, କାର୍ତ୍ତିକ ମାହାତ୍ମ୍ୟ, ନୈଷଧ ଚରିତ, ରାମାୟଣ (କିସ୍କିନ୍ଧ୍ୟା କାଣ୍ଡ), ବାଲ୍ମିକୀ ରାମାୟଣ, ସିନ୍ଧୁ ରାମାୟଣ ପ୍ରଭୃତି । ଏହା ବ୍ୟତୀତ ଅଲିଖିତ ଖେଦା ୨ ଖଣ୍ଡ, ଶିବ ପୁରାଣର କାଗଜ ପ୍ରତିଲିପି ମଧ୍ଯ ପ୍ରଦାନ କରିଛନ୍ତି । ଏହି ପୋଥିଗୁଡିକ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହାଳୟରେ ରଖାଯାଇଛି । ପୋଥିଗୁଡିକ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ନୂତନ ଦିଶା ଦେଖାଇବ ବୋଲି ସେ ସ୍ଵଇଚ୍ଛାରେ ପୋଥି ପ୍ରଦାନ କରିଛନ୍ତି । ଏହିଭଳି ମହତ କର୍ମ ପାଇଁ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ତଥା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଶଂସା କରିଛନ୍ତି । 

( ମ ନି ସ ) 

Related posts

ଦାସୀଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୫ ଅନ୍ତର୍ଗତ ନବରଂଗପୁର ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ 

masiha

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

masiha

Leave a Comment

error: Content is protected !!