ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଜୁ ନାଏକ ହାତେ ଧୈର୍ଯ୍ୟର ମଞ୍ଜୁଆତି 

ମଞ୍ଜୁ ନାଏକ ହାତେ ଧୈର୍ଯ୍ୟର ମଞ୍ଜୁଆତି 

 ମୟୂରଭଞ୍ଜ 12/4(ଅକ୍ଷୟ କୁମାର ବିଶ୍ବାଳ): ରାଇରଙ୍ଗପୁର ସହର ଅନ୍ତର୍ଗତ ଅଁଳାଡୁବା କୋହ୍ଲସାହିରେ ଆଦିବାସୀ ଝିଅ ମଞ୍ଜୁ ପରିବାର ରୁହନ୍ତି l ବାଲ୍ୟକାଳରୁ ଉପେକ୍ଷିତ, ଅବହେଳିତ ଓ ସରକାରୀ ସୁବିଧାରୁ ବଂଚିତ ହୋଇ ଆସିଛନ୍ତି ମଞ୍ଜୁ l ଆଦିବାସୀ ପରିବାରରେ ଜନ୍ମ ହୋଇ ସୁଦ୍ଧା ନିଜର ପ୍ରକୃତ ଜାତି ପରିଚୟ ହରାଇଥିଲେ l ତାଙ୍କରି ଜାତି କେବଳ ସରକାରୀ ରେକର୍ଡରେ ନୁହେଁ କଥିତରେ ସୀମିତ ଥିଲା l ନିଜର ଜାତି କୋହ୍ଲ ଏବଂ ଗୋତ୍ର ହେମ୍ବ୍ରମ ପରିଚୟ ଦେଉଥିବା ପରିବାରଙ୍କ ପୂର୍ବପୁରୁଷଙ୍କ ଜାତି ଅନୁସାରେ ରାଇରଙ୍ଗପୁର ସହରର ଅଁଳାଡୁବା କୋହ୍ଲସାହି ଗଢ଼ି ଉଠିଛି l ମାତ୍ର ଖୋଦ୍ ତାଙ୍କରି ପରିବାରର ପୁଅଝିଅଙ୍କ ଜାତି ପ୍ରମାଣପତ୍ର ପାଇଁ ଦିନେ ସଂଘର୍ଷ କରିବାକୁ ପଡ଼ିବ, ଏକଥା ହୁଏତ ତାଙ୍କରି ପରିବାର ଲୋକେ କେବେ କଳ୍ପନା କରି ନଥିଲେ l ଦିନ ମଜୁରିଆ ଆଦିବାସୀ ପରିବାରର ଝିଅ ମଞ୍ଜୁ ଜାତି ପ୍ରମାଣପତ୍ର ଅଭାବରୁ ସାଧାରଣ ବର୍ଗର ଛାତ୍ରୀ ରୁପେ ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି l ତାଙ୍କରି ଆଦିବାସୀ ସହପାଠୀମାନେ ଜାତି ପ୍ରମାଣପତ୍ର ଦେଇ ଷ୍ଟାଇପେଣ୍ଟ ଟଙ୍କା ସହିତ ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ସେଥିରୁ ସେ ବାଦ ପଡିଥିଲେ l ଜାତି ପ୍ରମାଣପତ୍ର ଅଭାବରୁ ମନର କୋହଭରା ଦୁଃଖକୁ ଛାତିରେ ଚାପି ଧରିଥିଲେ l ନିଜର ମେଧାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ଗତ ୨୦୨୪ ମସିହାରେ ମୟୂରଭଂଜ ଜିଲ୍ଲା ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ (ଉଦ୍ଭିଦ ବିଜ୍ଞାନ ସମ୍ମାନ) ଉତ୍ତୀର୍ଣ୍ଣ ହେଇଛନ୍ତି l ବିଜ୍ଞାନରେ ସ୍ନାତକ ଶେଷ କରି ଉଚ୍ଚ ଶିକ୍ଷା ପାଇଁ ଜାତି ପ୍ରମାଣପତ୍ର ଅଭାବରୁ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ l 

  ନିଜ ପରିବାର ସଦସ୍ୟଙ୍କ ନାଁ ରେ ଜମିପଟ୍ଟା ନାହିଁ, ତେଣୁ କାଟି ପ୍ରମାଣପତ୍ର ମିଳିବାରେ ସମସ୍ୟା ହେଉଥିଲା l ଦିନ ମଜୁରିଆ ମା ସୁରଥି ନିଜ ଝିଅ ମଞ୍ଜୁର ପାଠପଢ଼ା ପାଇଁ ଜାତି ପ୍ରମାଣପତ୍ର ପାଇଁ ଅନେକ କଷ୍ଟ କରି ସୁଦ୍ଧା ସଫଳ ହେଲେ ନାହିଁ l ରୋକଠୋକ ଜନସେବା କେନ୍ଦ୍ର ବାଲା ତୁମର ଜାତି ପ୍ରମାଣପତ୍ର ପାଇଁ ଜାତି ଲେଖାଥିବା ଜମିପଟ୍ଟା ନାହିଁ, ତେଣୁ ଜାତି ପ୍ରମାଣପତ୍ର ମିଳିବାର ସମ୍ଭାବନା ନାହିଁ ବୋଲି କହିଥିଲେ l ମା’ ଙ୍କ ପରେ ମଞ୍ଜୁ ନିଜର ଜାତି ପ୍ରମାଣପତ୍ର ପାଇଁ ସଂଘର୍ଷ ଆରମ୍ଭ କରିଥିଲେ l ତାଙ୍କରି ବିଶ୍ୱାସ ଥିଲା ନିଶ୍ଚିତ ଜାତି ପ୍ରମାଣପତ୍ର ପାଇବାରେ ସଫଳ ହେବେ ବୋଲି l ଏଥିପାଇଁ ବିଭିନ୍ନ ଅଧିକାରୀ, ସାମାଜିକ କର୍ମୀମାନଙ୍କର ପରାମର୍ଶ ନେଇଛନ୍ତି l ମୟୂରଭଞ୍ଜ ଜିଲ୍ଲାପାଳ, ରାଇରଙ୍ଗପୁର ତହସିଲଦାର ଏବଂ ରାଇରଙ୍ଗପୁର ବିଧାୟକଙ୍କୁ ଭେଟି ଜାତି ପ୍ରମାଣପତ୍ର ପାଇଁ ଗୁହାରି କରିଛନ୍ତି l ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ ଯୋଗୁଁ ଗତ ୯ ଜୁଲାଇ ୨୦୨୪ ରେ ରାଇରଙ୍ଗପୁର ତହସିଲ ରୁ ଆଦିବାସୀ ‘ କୋହ୍ଲ ‘ ଜାତି ପ୍ରମାଣପତ୍ରଟିଏ ହାସଲ କରିବାକୁ ସକ୍ଷମ ହେଲେ l ନିଜର ଜାତି ପ୍ରମାଣପତ୍ର ହେବା ପରେ ସାନଭାଇ ବଡରାମ ଓ ସାନଭଉଣୀ ରାକ୍ଷୀ ପାଇଁ ମଧ୍ୟ ଜାତି ପ୍ରମାଣପତ୍ର ସଂଗ୍ରହ କରିଥିଲେ l ନିଜ ମା’ ଙ୍କ ପରାମର୍ଶ ମାନି ଚାଲୁଥିବା ମଞ୍ଜୁ ନିଜ ପରିବାରର ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ ଦେଖୁଛନ୍ତି l ରୋଜଗାରକ୍ଷମ ହେବା ପାଇଁ ସରକାରୀ ଚାକିରିଟିଏ ଆଶା କରିଛନ୍ତି l ପରିବାରିକ ଆର୍ଥିକ ସମସ୍ୟା ସତ୍ତ୍ୱେ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି l ଏଥିପାଇଁ ମନରେ ଦୃଢ଼ ମନୋବଳ, ନିଷ୍ଠା ଓ ଅଦମ୍ୟ ସାହସ ରଖି କର୍ମ କରି ଚାଲିଛନ୍ତି l ମଞ୍ଜୁଙ୍କ ପାଇଁ ସରକାରୀ ଅଥବା ବେସରକାରୀ ସହଯୋଗ, ସମବେଦନାଟିଏ ନାହିଁ l ଏହା ସତ୍ତ୍ୱେ ମନରେ ଅଦମ୍ୟ ସାହସ ଓ ଉତ୍ସାହକୁ ନେଇ ଆଗକୁ ମାଡ଼ି ଯିବାର ଏକାଗ୍ରତା ତାଙ୍କରି ବ୍ୟକ୍ତିତ୍ଵକୁ ଗରିୟସୀ କରିଛି l ଗତ ୩୦ ମାର୍ଚ୍ଚ ୨୦୨୫ ଦିନ ରାଇରଙ୍ଗପୁର କଚେରୀ ପଡ଼ିଆଠାରେ ଆୟୋଜିତ ଜାତୀୟ ହୋ ଗାଲାଙ୍ଗ କାର୍ଯକ୍ରମରେ ତାଙ୍କରି କୃତିତ୍ୱ ପାଇଁ ତାଙ୍କୁ ରାଇରଙ୍ଗପୁର ବିଧାୟକ ଜଳେନ ନାଏକଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି l ଯାହାକି ତାଙ୍କୁ ଆଗକୁ ସଂଘର୍ଷ ପଥରେ ଆଗେଇ ନେବାରେ ପ୍ରେରଣା ପ୍ରଦାନ କରିଛି l ନିଜ କାଟି ସମାଜ ଠାରୁ ଏପରି ଏକ ଭବ୍ୟ ଉତ୍ସବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ନିଜକୁ ଗର୍ବ ଓ ଗୌରବ ଅନୁଭବ କରିବା ସହିତ ଖୁସିରେ ଅତ୍ୟନ୍ତ ଭାବ ପ୍ରବଣ ହୋଇ ଯାଇଥିଲେ l ଯେମିତି ମଞ୍ଜୁଆତିକୁ ଝିଅ, ମହିଳାମାନେ ନିଜ ହାତର ସୁନ୍ଦରତା ବୃଦ୍ଧି ପାଇଁ ଲଗାଇ ଥାଆନ୍ତି l ଠିକ୍ ସେମିତି ଅଁଳାଡୁବାର ମଞ୍ଜୁ ହାତରେ ଧୈର୍ଯ୍ୟର ମଞ୍ଜୁଆତିକୁ ଧରି ଆଗକୁ ବଢିବା ପାଇଁ କର୍ମ କରି ଚାଲିଛନ୍ତି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଅନୁଷ୍ଠିତ

masiha

କୋଣାର୍କ ସ୍ପିନିଂ ମିଲ୍ ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲା ସାଇନିଂ କଳାହାଣ୍ଡି

Sunil Chandra Nayak

Leave a Comment

error: Content is protected !!