ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଜୁନ ୨ ତାରିଖରୁ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ସମ୍ବିଧାନ ବଞ୍ଚାଅ ନେଇ କଂଗ୍ରେସ ଦଳର ସାମ୍ବାଦିକ ସମ୍ମିଳନୀ
ମୟୂରଭଞ୍ଜ – ୧/୦୬ — ଡବଲ ଇଞ୍ଜିନ ସରକାର ଓଡ଼ିଶା ଆସିଲା ପରେ ରାଇରଙ୍ଗପୁର ସହରକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ସୁଅ ଛୁଟିଛି ।ପ୍ରକଳ୍ପ ପାଇଁ ସରକାରୀ ଜମି ଆବଶ୍ୟକତା ରହିଛି । କିନ୍ତୁ ସରକାରୀ ଜମି ମାଫିଆ, ଜବରଦଖଲକାରୀ ଙ୍କ କବଜାରେ ।ଯାହାଫଳରେ ପ୍ରକଳ୍ପ ଆଗେଇ ପାରୁନାହିଁ । ସେଥିପାଇଁ ସରକାର ନିଜ ସରକାରୀ ଜମିକୁ ହାତକୁ ନେବାପାଇଁ ଜବରଦଖଲ ଉଛେଦ ଦିର୍ଘ ୩ ମାସ ହେଲା ଆରମ୍ଭ କରିଛନ୍ତି । କିଛି କିଛି ସ୍ଥାନରେ ଜଵରଦଖଲ ଉଛେଦ କରାଗଲାଣି ।ଉଛେଦ କ୍ଷତିଗ୍ରସ୍ତ ଲୋକଙ୍କୁ ତରବାରିଆ ଭାବରେ ଉଛେଦ କରାଯାଇଛି,କିଛି ସରକାରୀ ସ୍ଥାନରେ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର,ଆଲୁଅ,ପାଣି ଯୋଗାଇ ଯାଇଥିଲା ତାକୁ ମଧ୍ୟ ଡୋଜର ଲଗାଇ ଭଙ୍ଗା ଯାଇଛି ।ଵାଇଦାପୋଷୀ,ଦାଣ୍ଡଵୋଷ, ନୂଆଗାଁ ରେ ୬୦ ରୁ ଉର୍ଦ୍ଧ୍ବ ଜବରଦଖଲକାରୀଙ୍କୁ ତରବାରିଆ ଭାବରେ ଉଚ୍ଛେଦ କରାଯାଇଛି ବିନା ପଲ୍ଲୀ ସଭାରେ ।ଉଛେଦ କ୍ଷତିଗ୍ରସ୍ତ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ସେମାନଙ୍କୁ ମାନବୀୟ ସାହାଯ୍ୟ ,ସହଯୋଗ ଏବଂ ସେମାନଙ୍କୁ ନ୍ୟାୟ ଦେବାପାଇଁ ଅଣ୍ଟା ମିଳିଛି କଂଗ୍ରେସ ଦଳ ।ଇତି ମଧ୍ୟରେ କଂଗ୍ରେସ ଅନୁସନ୍ଧାନ କାରୀ ଦଳ,ପରେ ପରେ ପିସି ସଭାପତି ଭକ୍ତ ଦାସ କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି ଫେରି ଯାଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ମେ ୩୧ ତାରିଖ ଅପରାହ୍ନରେ କଂଗ୍ରେସ ଦଳ ତରଫରୁ ପୂର୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା ସଭାପତି ଭୁବନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପିସିସି ଓବିସି ସେଲ ସଭାପତି ଆଡଭୋକେଟ ଏବଂ ପରିବେଶବିତ୍ ମାନସ ମଲ୍ଲିକ, ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ରାଇରଙ୍ଗପୁର କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା,ପ୍ରାକ୍ତନ ଵହଳଦା ବିଧାୟକ ପ୍ରହଲ୍ଲାଦ ପୂର୍ତୀ,ବଡ଼ସାହି ବିଧାୟକ ପ୍ରାର୍ଥୀ ଖିରୋଦ ପାତ୍ର, ବସନ୍ତ ପଟ୍ଟନାୟକ, ଭାଗିରଥି ପାତ୍ର,ଚିକୁ ମହାନ୍ତି,ଭଜହରି ମହାନ୍ତ, ଏବଂ ଅନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଓବିସି ନେତା ମାନସ ମଲ୍ଲିକ କହିଥିଲେ ପିସିସି ସଭାପତିଙ୍କ ନିର୍ଦେଶକ୍ରମେ ରାଇରଙ୍ଗପୁର ଆଖପାଖ ଅଂଚଳର ଜବରଦଖଲ ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆବାସ ଯୋଜନା, କ୍ଷୟକ୍ଷତିପୂରଣ,ବିଶୋଇରେ କାଳବୈଶାଖୀ ରେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଏବଂ ସମ୍ବିଧାନ ବଞ୍ଚାଅ ନେଇ କଂଗ୍ରେସ ଦଳ ତରଫରୁ ଆସନ୍ତା ଜୁନ ୨ ତାରିଖରୁ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବିଶାଳ ପଦଯାତ୍ରା ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ପ୍ରତିବାଦ ଜଣାଇବା ସହ ଧାରଣାରେ ବସିବ । କଂଗ୍ରେସ ଦଳ ହେଉଛି ଗରୀବ,ଖଟିଖିଆ, ପ୍ରପିଡିତ,ଅସହାୟ ଦଳ ।ମା’ର ମାଟିମାନୁଷର ସ୍ବର । ସେମାନଙ୍କ ସମସ୍ଯା ପାଇଁ ରାଜରାସ୍ତାକୁ ଓହ୍ଲାଇବ । ତେଣୁ ସରକାର କ୍ଷତିଗ୍ରସ୍ତ ଲୋକଙ୍କୁ ଙ୍କ ନ୍ୟାୟ ତୁରନ୍ତ ଦେବାପାଇଁ ବ୍ୟବସ୍ଥା କରନ୍ତୁ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

