ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଅନୁକୂଳ ପରିବେଶ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ‘ନର୍ଚରିଂ ନେବରହୁଡସ୍ ୨.୦’ ଅଧୀନରେ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ

ଶିଶୁ ଅନୁକୂଳ ପରିବେଶ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ‘ନର୍ଚରିଂ ନେବରହୁଡସ୍ ୨.୦’ ଅଧୀନରେ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, ୨୪ ଜୁନ ୨୦୨୫: ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଏହି ଶିଶୁମାନଙ୍କ ଶୈଶବର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଏକ ଉତ୍ତମ ପରିବେଶରେ ବଢିବା ପାଇଁ ସୁଯୋଗ ଦେବା ଲାଗି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ‘ନର୍ଚରିଂ ନେବରହୁଡସ୍’ ‘ ଅଭିଯାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ତଥା ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟରେ ‘ନର୍ଚରିଂ ନେବରହୁଡ ଚ୍ୟାଲେଞ୍ଜ ୨.୦’ ଅଧୀନରେ, ଏହା ସହ ସଂଶ୍ଲିଷ୍ଟ ସଂସ୍ଥା ମାନଙ୍କୁ ନେଇ ମଙ୍ଗଳବାର ଦିନ ଏକ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ଭାନ୍ ଲିଅର ଫାଉଣ୍ଡେସନର ସହାୟତାରେ ଆୟୋଜିତ ଏହି ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନରେ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। ଏହି ସଫଳତା ପରେ, ସହରର ପରିବେଶକୁ ଶିଶୁ ଅନୁକୂଳ କରିବା ସକାଶେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ବିଶ୍ଵ ସମ୍ବଳ ପ୍ରତିଷ୍ଠାନ (WRI) ଭାରତର ବୈଷୟିକ ସହାୟତାରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରାଯାଇଛି। 

ଆଗାମୀ ଦିନରେ ଶିଶୁଙ୍କୁ(୦-୫ ବର୍ଷ ବୟସର ଶିଶୁ) ସୁହାଇବା ଭଳି ଆନନ୍ଦମୟ ପରିବେଶ ତିଆରି କରିବା ନିମନ୍ତେ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବା ତଥା ପ୍ରମୁଖ ଅଂଶୀଦାରମାନଙ୍କ ଉପସ୍ଥିତିରେ ଏକ ରୋଡ ମ୍ୟାପ ତିଆରି କରିବା ପାଇଁ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ବିକାଶର କାମକୁ ତ୍ୱରାନ୍ୱିତ କରିବା ସହ ରାଉରକେଲା ସହରକୁ ଶିଶୁମାନଙ୍କ ନିମନ୍ତେ ଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବାକୁ ଏହି ସମ୍ମିଳନୀରେ ଚର୍ଚ୍ଚା ହୋଇଥିଲା।

ନର୍ଚରିଂ ନେବରହୁଡସ୍’ ଅଭିଯାନରେ ରାଉରକେଲା ସହରର ପରିବେଶକୁ ଶିଶୁ ଅନୁକୂଳ କରିବା ସକାଶେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ବିଭିନ୍ନ ବିଭାଗର ସହାୟତାରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବିଶେଷକରି ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀର ଲୋକେ ବସବାସ କରୁଥିବା ଅଞ୍ଚଳ ଗୁଡିକୁ ପ୍ରାଧାନ୍ୟ ଦିଆଯାଇ ସେଠାକାର ପରିବେଶକୁ ଚାଇଲ୍ଡ ଫ୍ରେଣ୍ଡଲି କରାଯାଇଛି। ଶିଶୁମାନଙ୍କ ମାନସିକ ତଥା ଶାରୀରିକ ବିକାଶ ନିମନ୍ତେ ଖେଳକୁଦ ଜରୁରୀ ହୋଇଥିବା ବେଳେ ସହରରେ ଥିବା ଅବ୍ୟବହୃତ ଖୋଲା ସ୍ଥାନ ଗୁଡ଼ିକର ଉନ୍ନତିକରଣ କରାଯାଇ ଶିଶୁମାନଙ୍କ ଖେଳକୁଦ ପାଇଁ ଉତ୍ତମ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏଥି ସହ ପାର୍କ ଗୁଡିକର ମଧ୍ଯ ବିକାଶ କାର୍ଯ୍ୟ ଜାରି ରହିଛି। 

ସହରରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିସରକୁ ଶିଶୁ ଅନୁକୂଳ କରି ସାନ ସାନ ପିଲାମାନଙ୍କ ପ୍ରାରମ୍ଭିକ ଶିକ୍ଷାକୁ ଆନନ୍ଦଦାୟକ କରିବା ନିମନ୍ତେ ବାଲା ମଡେଲ (ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ)ରେ ନୂତନ ଅଙ୍ଗନବାଡି ନିର୍ମାଣ କରାଯାଉଛି। ଉତ୍ତମ ଗୃହ, ବିଶୁଦ୍ଧ ପାନୀୟ ଜଳ, ମମତା ଗୃହ, ଶୌଚାଳୟ, ଅଙ୍ଗନବାଡ଼ି ଗୃହର କାନ୍ଥ ଗୁଡିକରେ ନାନା ପ୍ରକାରର ଚିତ୍ର କରି ଆକର୍ଷଣୀୟ କରାଯାଉଛି । ଯାହା ଫଳରେ ଶିଶୁଙ୍କ ଉପସ୍ଥାନ ହାର ବୃଦ୍ଧି ହୋଇ ପାରିଛି। 

କେବଳ ଶିଶୁ ନୁହେଁ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ପାର୍କ ତଥା ଖୋଲା ସ୍ଥାନ ଗୁଡିକର ବିକାଶ କରାଯାଇ ସେଠାରେ ମୋବାଇଲ ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର ଓ ଖୋଲା ଜିମ ପ୍ରତିଷ୍ଠା କରାଯାଇଛି। ଯାହା ଫଳରେ କେବଳ ଶିଶୁ ନୁହେଁ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି ସୁନିଶ୍ଚିତ ହୋଇପାରିଛି। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ପ୍ରସୂତୀ ମା’ ମାନଙ୍କ ଲାଗି ସ୍ୱତନ୍ତ୍ର ସ୍ତନ୍ଯପାନ କକ୍ଷର ବ୍ୟବସ୍ଥା କରାଯାଉଛି। 

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି କହିଥିଲେ ଯେ, “ରାଉରକେଲା ସହରର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ବାସ କରୁଥିବା ଅଞ୍ଚଳରେ ସଫଳତାର ସହ ସାର୍ବଜନୀନ ସ୍ଥାନ ଗୁଡ଼ିକୁ ଛୋଟ ପିଲା ଏବଂ ସେମାନଙ୍କ ଅଭିଭାବକଙ୍କ ଲାଗି ଅନୁକୂଳ କରାଯାଇଛି। ଏହା ବ୍ୟତୀତ ଆମର ଲକ୍ଷ୍ୟ ରହିଛି ଆଗାମୀ ଦିନରେ ଏଭଳି ଅନେକ କ୍ଳଷ୍ଟର ତିଆରି କରିବା ଯାହା ଶିଶୁ ତଥା ସେମାନଙ୍କ ଅଭିଭାବକ ବିଶେଷକରି ମହିଳାମାନଙ୍କୁ ବେଶ୍ ସୁହାଇବ। 

ରାଉରକେଲା ସହରରେ ବହୁ ସଂଖ୍ୟକ ପ୍ରବାସୀ ଜନସଂଖ୍ୟାଙ୍କ ଉପସ୍ଥିତିକୁ ଧ୍ୟାନରେ ରଖି, ଆମେ ସେମାନଙ୍କ ପରିବାର ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛୁ। ଏହି କ୍ଲଷ୍ଟରଗୁଡ଼ିକ ସମ୍ପ୍ରଦାୟଗୁଡ଼ିକୁ ଉନ୍ନତି କରିବାରେ ଏବଂ ସହଭାଗୀ ଦାୟିତ୍ୱର ସଂସ୍କୃତି ଗଠନ କରିବାରେ ସାହାଯ୍ୟ କରିବ। ଏହି ଅଭିଯାନ ସହ ଜଡ଼ିତ ଥିବା ଅଂଶୀଦାରମାନଙ୍କ ସହଯୋଗରେ ଆମେ ବିଭିନ୍ନ ସମସ୍ୟାର ସମାଧାନ ପୂର୍ବକ ରାଉରକେଲାକୁ ଛୋଟ ପିଲା ଏବଂ ସେମାନଙ୍କ ଅଭିଭାବକଙ୍କ ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେଇ ପାରିବା ବୋଲି ସେ ମତ ଦେଇଥିଲେ।”

ଏଥିରେ ରାଉରକେଲା ମହାନଗର ନିଗମର ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ବିପିନ୍ ବିହାରୀ ମହାନ୍ତି, ଭାନ୍ ଲିର୍ ଫାଉଣ୍ଡେସନ୍‌ର ଇସିଡି ବିଶେଷଜ୍ଞ ଅଶ୍ୱିନୀ ଗଡସେ, ବିଶ୍ଵ ସମ୍ବଳ ପ୍ରତିଷ୍ଠାନ ଭାରତର ସଷ୍ଟେନେବଲ୍ ସିଟିଜ୍ ଆଣ୍ଡ୍ ଟ୍ରାନ୍ସପୋର୍ଟର ସିନିୟର୍ ପ୍ରୋଗ୍ରାମ ଆସୋସିଏଟ୍ ଅରୁଣିମା ସେନ୍, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବସ୍ତି ଉନ୍ନୟନ ସଂଘର ସଦସ୍ୟ, ଆରଏମସି ଓ ରାଉରକେଲା ସ୍ମାର୍ଟ ସିଟିର ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

masiha

ବିଶ୍ଵ ଜଳ ଦିବସ ପାଳିତ

Sunil Chandra Nayak

ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା ଓ ପଞ୍ଜୀକରଣ ଶିବିର

masiha

Leave a Comment

error: Content is protected !!