ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ
ଛୋଟ ଅପରାଧକୁ ବି ଅଣଦେଖା କରନାହିଁ :ଜିଲ୍ଲାପାଳ
ପ୍ରଶାସନ ଓ ପୁଲିସ ମିଳିତଭାବେ କାର୍ଯ୍ୟ କରିବା ଜରୁରୀ: ଆରକ୍ଷୀ ଅଧିକ୍ଷକ
ଢେଙ୍କାନାଳ୨୧/୦୭ : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ଆଇନଶୃଙ୍ଖଳା ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ବ୍ରୋକେନ ୱିଣ୍ଡୋ ସିଦ୍ଧାନ୍ତ ସମ୍ପର୍କରେ ଆଲୋକପାତ କରି ଜିଲ୍ଲାପାଳ କହିଥିଲେ, ଯେପରି କୌଣସି ବ୍ୟକ୍ତି ପ୍ରଥମେ କାହାର ଘରର କାଚ ଝରକାକୁ ଟେକା ମାରି ଭାଙ୍ଗିବାକୁ ସାହସ କଲେ ଯଦି ଆମେ ତାକୁ ନଅଟକାଇବା ତେବେ ପରବର୍ତ୍ତୀ ସମୟରେ ସେ ଘରଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବ। ସମାନ ସ୍ଥିତିରେ ଯଦି ଆମେ କୌଣସି ଏକ ଅପରାଧିକୁ ଛୋଟ ଅପରାଧ କରିବାପାଇଁ ନଅଟକାଇବା ତେବେ ଆଗାମୀ ଦିନରେ ସେ ବଡ ଅପରାଧ ଘଟାଇବାକୁ ସାହସ ପାଇବ । ଏଣୁ ଆରମ୍ଭରୁ ଅପରାଧିମାନଙ୍କ ଉପରେ ରୋକ୍ ଲଗାଇଲେ ବଡବଡ ଅପରାଧକୁ ରୋକାଯାଇପାରିବ । ଅପରାଧିଙ୍କ ସଂଖ୍ୟା ବି ହ୍ରାସ ପାଇବ।
ଆଇନଶୃଙ୍ଖଳା ପରିଚାଳନାରେ ପୁଲିସର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ ପ୍ରଶାସନର ଭୂମିକା ମଧ୍ୟ ସମପରିମାଣରେ ଗୁରୁତ୍ବପୂର୍ଣ୍ଣ। ଉଭୟ ମିଳିତ ଭାବେ କାର୍ଯ୍ୟକଲେ ଆଇନଶୃଙ୍ଖଳା ପରିଚାଳନା ଶୃଙ୍ଖଳିତ ଓ ବ୍ୟବସ୍ଥିତ ହୋଇପାରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ବୈଠକରେ ପ୍ରକାଶ କରିଥିଲେ । ଉଦାହାରଣ ଦେଇ କହିଥିଲେ, କୌଣସି ସ୍ଥାନରେ ଆଲୋକିକରଣ ବ୍ୟବସ୍ଥା ନଥିଲେ ଅନ୍ଧାରର ସୁଯୋଗ ନେଇ ଚୋରି ଓ ଅପରାଧିକ କାର୍ଯ୍ୟ ଘଟିଥାଏ। ଏଣୁ ପ୍ରଶାସନ ଆଲୋକୀକରଣ ବ୍ୟବସ୍ଥା କରିପାରିଲେ ଅପରାଧିକ କାର୍ଯ୍ୟ ସଂଗଠିତ ହେବା କଷ୍ଟ ହୋଇଯିବ। ବିଭିନ୍ନ ସମସ୍ୟା ନେଇ ଲୋକେ ଥାନାକୁ ଆସିଥାନ୍ତି । ସେମାନଙ୍କୁ ହେୟଜ୍ଞାନ ନକରି ସମସ୍ୟାକୁ ଶୁଣିବା ସହ ସହଯୋଗ ଯୋଗାଇଦେଲେ ପୁଲିସ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ । ଲୋକଙ୍କ ସହଯୋଗ ମିଳିଲେ ଅପରାଧକୁ ନିୟନ୍ତ୍ରଣ କରିବା ସହଜ ହେବ । କୌଣସି ଅପରାଧ ପୂର୍ବରୁ ପୁଲିସ ଆଗୁଆ ସତର୍କତାର ସହ କାମ କଲେ ତାହାକୁ ଏଡାଇ ଦିଆଯାଇପାରିବ। ଯେପରିକି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା, ମହିଳାକୁ ଅସଦାଚରଣ କରିବା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଅପରାଧକୁ ତ୍ବରିତ ସମାଧାନ କରିବାକୁ ଆରକ୍ଷୀ ଅଧିକ୍ଷକ କହିଥିଲେ । କୌଣସି ଘଟଣା ଘଟିଲେ ତୁରନ୍ତ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଘଟଣାକୁ ଆଣିବା ପାଈଁ ସେ କହିଥିଲେ । ପ୍ରତ୍ୟେକ ଘଟଣାର ଗୁରୁତ୍ଵକୁ ବୁଝି ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ଯୁବ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଶିକ୍ଷାନୁଷ୍ଠାନରେ ଏସବୁ କାର୍ଯ୍ୟାକ୍ରମ ବ୍ୟାପକ କରିବାକୁ ଗୁରୁତ୍ୱରୋପ କରିଥିଲେ । ମହିଳା ତଥା ଛାତ୍ରୀଙ୍କ କ୍ଷେତ୍ରରେ ଘଟୁଥିବା ସମ୍ବେଦନଶୀଳ ମାମଲାରେ ସେମାନଙ୍କୁ ନିରାଶ ନକରି ପ୍ରଥମେ ସେମାନଙ୍କ ମନବଳ ବଢାଇବା ସହ ଅଭିଯୋଗକୁ ଗୁରୁତ୍ବ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ପ୍ରଶାସନିକ କ୍ଷେତ୍ରରେ ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳଙ୍କର ଭୂମିକା ଗୁରୁତ୍ବ ବହନକରେ । ଏଣୁ ପ୍ରତି ମାସରେ ଉପଖଣ୍ଡ ସ୍ତରରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ବୈଠକ କରି ସ୍ଥାନୀୟ ସମସ୍ୟା ଦିଗରେ କାର୍ଯ୍ୟକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରମେଶଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିପ୍ତିରଞ୍ଜନ ସେଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଦିନମଣୀ ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଏସଡିପିଓ ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

