ବାବନା ଭୂତ କଥା
ରବୀନ୍ଦ୍ରକୁମାର ବେହେରା
ଆମ ବୈତରଣୀ ନଈ କୂଳ କୁ ଲାଗି ଯେଉଁ ମସ୍ତବଡ ବରଗଛ ଟାଏ ଅଛି ଠିକ ସେଇଠି ଥାଏ ଗୋଟାଏ ବଡ଼ ଭୂତ । ଭୂତ ତ ନୁହେଁ ଗୋଟାଏ ବଡ଼ ଆତଙ୍କ । ସଞ୍ଜ ଛଅ ଟା ହେଉ ନ ହେଉଣୁ ସେ ପାଖ ରାସ୍ତା ପୁରା ବନ୍ଦ । ଲୋକେ କହନ୍ତି ସେ କୁଆଡେ ଲୋକ ମାନଙ୍କୁ ଗଛ ଉପରକୁ ଉଠାଇ ନେଇ ଯାଏ । ବାପ ରେ ବାପ । ବଡ଼ ଲୋକ ତ ଡରନ୍ତି ସାନ ପିଲା ନ ଡରିବେ କାହିଁକି ।
ସେ ଦିନ ସୋନୁ ର ସ୍କୁଲଛୁଟି ହେଲା ବେଳକୁ ଖୁବ ବର୍ଷା ହେଲା । କିଏ କୁଆଡେ ଓଦା ମୋଦା ହୋଇ ନିଜ ନିଜ ପିଲାମାନଙ୍କୁ ଘରକୁ ନେଇଗଲେ । ସୋନୁ ର ରିକ୍ସାବାଲା ଆସିନାହିଁ । କେତେ ବେଳୁ ବର୍ଷା ବି ଛାଡି ଗଲାଣି । ସ୍କୁଲ ବାରଣ୍ଡା ରେ ସେ ଏକୁଟିଆ । ଶିକ୍ଷକ ମାନେ ମଧ୍ୟ ସ୍କୁଲ ରେ ଚାବି ଦେଇ ଚାଲି ଗଲାଣି । ସଞ୍ଜ ହୋଇ ରାତି ଆସିଲା । ଠିଆ ହୋଇ ସୋନୁ ର ଗୋଡ଼ ବିନ୍ଧିଲାଣି । ତା’ ସାଙ୍ଗକୁ ଏ ସଂଜୁଆ ମଶା ଗୁଡାକ ତା’ କଅଁଳିଆ ଗୋଡ କୁ ଛୁଞ୍ଚି ପରି ଫୋଡିଲେଣି । ସୋନୁ କୁ ଡର ମାଡ଼ିଲା । ରିକ୍ସାବାଲା ଉପରେ ସେତେ ରାଗ ଲାଗିଲା । ଧୀରେ ଧୀରେ ଚାଲି ଚାଲି ରାସ୍ତା ଉପରକୁ ଆସିଲା । ତା ପରେ ଚାଲିଲା ଘର ଆଡ଼େ । ଆଠ ବର୍ଷ ର ପିଲା ସୋନୁ । ଚାଲୁ ଚାଲୁ ଓଦା ରାସ୍ତା ଉପରେ କେତେ କଚଡl ଖାଇଲାଣି । ଘରକୁ ଯାଇ ମାଆ ଙ୍କ ଆଗରେ ରିକ୍ସାବାଲା ଯେମିତି ତାକୁ ହଇରାଣ କଲା ସବୁ କହିବ ।
ଏମିତି ଭାବୁ ଭାବୁ କେତେବେଳେ ସେ ସେ ଭୁତ ବରଗଛ ପାଖକୁ ଚାଲିଆସିଛି ଜାଣି ପାରି ନାହିଁ । ହଠାତ ମଡ଼ମଡ଼ ହୋଇ ବରଗଛ ର ଡାଳ ଟା ଉପରୁ ଓହ୍ଲାଇ ପଡିଲା ଗୋଟାଏ ବଡ଼ ଭୁତ । ଦେହ ଟା କଳା ମଚମଚ । ଶିଙ୍ଗ ଦ୍ଵି’ ଟା ଉଠିଛି ଉପରକୁ । ଆଖିଗୁଡ଼ାକ ରୁ ନିଆଁ ବାହାରୁଛି । ନାକ ପୋଡା ରୁ ଧୂଆଁ ଭୁସ ଭାସ୍ ହୋଇ ବାହାରୁଛି । ତା ହାତ ଦ୍ଵି ଟା ରେ ଗଛ ଉପରକୁ ଟେକି ନେଇଗଲା ସୋନୁ କୁ । ବିଚରା ସୋନୁ ଟା ଏତେ ଡରିଗଲା ଯେ ତା ଚେତା ଚାଲିଗଲା ।
ଭୁତ ର ପୁଅ ନାଁ ବାବୁନା । ସେ ତା ପୁଅ କୁ କହିଲା-
ମୁଁ ଯାଉଛି ତେଲ , ମସଲା ଆଣିବାକୁ । ତୁ ଏଇଟା କୁ ଜଗିଥିବୁ । ଆଜି ବର୍ଷା ପାଗ ରେ ଏହାକୁ ମାରି ତା’ର ମାଂସ ଭୋଜି କରିବା । ଭାରି ମଜା ହେବ ।
ଭୁତ ଚାଲିଗଲା । ବାବୁନା ସୋନୁ କୁ ଜଗି ରହିଲା । ଯେତେବେଳେ ତା’ ର ଚେତା ଆସିଲା କହିଲା-
ସୋନୁ ! ତୁ ଯେମିତି ସାନ ପିଲା , ମୁଁ ବି ସେମିତି । ତେଣୁ ତୁ ମୋର ସାଙ୍ଗ । ତୋର କିଛି ଅସୁବିଧା ହେବନି । ଚାଲ ସେ ନଈ କୂଳ ର ଜଙ୍ଗଲ ଭିତରେ ଲୁଚିଯିବା । ସେଇଆ ହେଲା । ଦୁଇ ଜଣ ଏମିତି ଲୁଚିଗଲେ ଯେ ଭୂତ ସେମାନଙ୍କୁ ଆଉ ପାଇଲା ନାହିଁ । ସୋନୁ ତା ପେଟ କୁ ଅଣ୍ଡାଳି ଅଣ୍ଡାଳି କହିଲା-
ମୋତେ ଭାରି ଭୋକ ଲାଗିଲାଣି ।
ବାବୁନା କହିଲା- ହଉ, ତୁ ଏଇଠି ଥା । ମୁଁ ଯାଉଛି ତୋ ପାଇଁ ଖାଇବାକୁ ଆଣିବି ।
ବାବୁନା ତ ଭୂତ । ତା ହାତ ଦ୍ଵି ଟା କୁ ଉପରକୁ ଟେକି ଏମିତି ଝlଡ଼ିଦେଲା ଯେ ଡେଣା ଦ୍ଵି ଟା ବାହାରି ପଡ଼ିଲା । ଆକାଶ ରେ ଉଡି ଉଡି ଯାଇ ପହଁଚି ଗଲା ଗୋଟିଏ ଛକ ହୋଟେଲ ରେ ।
ଦୁଆର ପାଖେ ଯେମିତି ହୋ କିନା କହିଦେଇଛି, ଭୂତ କୁ ନ ଡରେ କିଏ । ଯିଏ ଯୁଆଡେ ଥିଲେ ଭୂତ ଭୂତ କହି ହୋଟେଲ ଛାଡି ଦୌଡ଼ିଲେ । ବାବୁନା ଗୋଟାଏ ପଲିଥିନ ରେ ଯେତେ ପାରିଲା ସେତେ ଖାଦ୍ୟ ବାନ୍ଧିଲା । ତା ପରେ ପୁଣି ଉଡି ଉଡି ସୋନୁ ପାଖରେ ପହଞ୍ଚି ଗଲା । ସୋନୁ ଖାଇ ହାକୁଟି ମାରି ଆଉ ଟିକିଏ ପେଟ କୁ ଆଉଁସି ଦେଲା । କହିଲା-
ବାଃ ରେ ସାଙ୍ଗ ବାଃ । ଆଜି ବଢିଆ ଖାଇବାକୁ ଦେଲୁ ।
ଆଉ ଟିକିଏ ଗଲା । ସୋନୁ ପୁଣି କୁନ୍ଥେଇଲା ।
ବାବୁନା କହିଲା- କିରେ , ପୁଣି କଣ ହେଲା ?
ସୋନୁ କହିଲା- ମୋ ପ୍ୟାଣ୍ଟ ଟା । ଓଦା ହୋଇ ଗନ୍ଧ କଲାଣି ।
ବାବୁନା କହିଲା- ହଉ, ତୁ ଏଇଠି ଥା । ମୁଁ ଏଇ ସଙ୍ଗେ ସଙ୍ଗେ ଆସୁଛି ।
ବାବୁନା ପୁଣି ଆକାଶ ରେ ଉଡି ଉଡି ପହଞ୍ଚି ଗଲା ଡ୍ରେସ ଦୋକାନ ରେ ।
ଦୋକାନୀ ବୁଢା ର ଟେବୁଲ ତଳେ ପଶିଯାଇ ଯେତେବେଳେ ସେପଟେ ବାହାରି ହୋ କିନା କହିଦେଉଛି ଭୂତ ଭୂତ କହି ଯିଏ ଯୁଆଡେ ପାରିଲେ ଦୌଡ଼ିଲେ । ବାବୁନା ବିଦ୍ୟାଳୟ ଗଣ ବେଶ ର ପ୍ୟାଣ୍ଟ ଟିଏ ଆଉ ସାର୍ଟ ଟିଏ ଧରି ପୁଣି ସୋନୁ ପାଖରେ ପହଞ୍ଚି ଗଲା ।
ସକାଳ ହେଲା । ସୋନୁ ର ବାପା ମାଆ ରାତି ସାରା ତାକୁ ଖୋଜି ଖୋଜି ସକାଳ ୧୦ ଟା ବେଳେ ସ୍କୁଲ ରେ ପହଁଚିଲେ । ସୋନୁ ସେତେବେଳେ ପ୍ରାର୍ଥନା ଶ୍ରେଣୀ ରେ ବସି ଗାଉଥିଲା-
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ
ନଦୀକୂଳ ସାହୀ, ଶିଖରପୁର,କଟକ-୪