ଦୁନିଆରେ ଫୁଲର ବିଚିତ୍ର ସଂସାର…..
ବ୍ଲିଡିଙ୍ଗ ହାର୍ଟ ହୃତ୍ପିଣ୍ଡ ପରି ଦିଶୁଥିବା ସୁନ୍ଦର ଫୁଲ, ଯାହାକୁ ଦେଖିଲେ ମନେହୁଏ ଯେମିତି ସେଥିରୁ ରକ୍ତର ବୁନ୍ଦା ଝରି ପଡ଼ୁଛି । ଏହି ଫୁଲର ପାଖୁଡ଼ାର ଶେଷରେ ଏକ ବୁନ୍ଦା ଭଳି ଛୋଟିଆ ଆକୃତି ଲଟକି ରହିଥାଏ, ଯାହାର ତୁଳନା ରକ୍ତର ବୁନ୍ଦା ସହିତ କରାଯାଇଛି, ଏହି କାରଣରୁ ଭକ୍ତ ଫୁଲର ନାମ ବ୍ଲିଡିଙ୍ଗ ହାର୍ଟ ରଖାଯାଇଛି । ଏହାର ବୃକ୍ଷ ଦୁନିଆର ଅନେକ ଭାଗରେ ମିଳିଥାଏ, ଯାହାର ଉପଯୋଗ ଫୁଲଗୁଡ଼ିକର ଗହଣା ତିଆରିରେ କରାଯାଏ ଏହା ବିଷାକ୍ତ ହୋଇଥାଏ ଓ ଏହା ଦ୍ଵାରା ଗମ୍ଭୀର ଚର୍ମରୋଗ ହେବାର ବିପଦ ଥାଏ, ସେଥିପାଇଁ ଏହାଠାରୁ ଦୂରେଇ ରହିବା ହିଁ ଉତ୍ତମ ହୋଇଥାଏ ।ବସନ୍ତ ଋତୁ ସହିତ ସମ୍ପୂର୍ଣ୍ଣ ପ୍ରକୃତି ଯେମିତି ନାନା ରଙ୍ଗର ଫୁଲର ଶୃଙ୍ଗାରରେ ସଜେଇ ହୋଇଯାଏ । ଏହି ସମୟରେ ଚାରିଆଡ଼େ ରଙ୍ଗବେରଙ୍ଗ ଫୁଲଗୁଡ଼ିକର ସପ୍ତରଙ୍ଗର ଛଟା ଦେଖିବା ଭଳି ହୋଇଥାଏ । ଏହି ଫୁଲଗୁଡ଼ିକ ମଧ୍ୟରେ ଏମିତି କିଛି ଫୁଲ ଅଛନ୍ତି ଯେଉଁଗୁଡ଼ିକ ନିଜର ସୁନ୍ଦରତା ସହିତ ବିଚିତ୍ରତା ଧାରଣ କରିଥାନ୍ତି, ସେଗୁଡ଼ିକ ନିଜର ବିଲକ୍ଷଣତା କାରଣରୁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି ତଥା ଯେଉଁଗୁଡ଼ିକର ଦର୍ଶନ ଆମକୁ ବିସ୍ମିତ କରିଥାଏ । ବିଶ୍ଵ ଉଦ୍ୟାନରେ ବିସ୍ତାର ଲାଭ କରିଥିବା ଏହିପରି କିଛି ବିଚିତ୍ର ଓ ବିଶିଷ୍ଟ ଫୁଲଗୁଡ଼ିକର ରୋଚକ ସଂସାର ବିଷୟରେ ଏଠାରେ ଉପସ୍ଥାପନା କରାଯାଉଛି ।
ପ୍ୟାରଟ ଫ୍ଲାୱାର ଗୋଟିଏ ପାର୍ଶ୍ବରୁ ଦେଖିଲେ ଉଡ଼ୁଥିବା ଶୁଆ ପରି ମନେହୁଏ, ସେଥିପାଇଁ ଏହାର ନାମ ପ୍ୟାରଟ ଫ୍ଲାୱାର ରଖାଯାଇଛି । ଏହି ଅଦ୍ଭୁତ ଫୁଲର ରଙ୍ଗ ବାଇଗଣୀ ଓ ଲାଲ ହୋଇଥାଏ । ବ୍ରିଟିଶ ବନସ୍ପତି ବୈଜ୍ଞାନିକ ସାର୍ ଜୋସେଫ ଡାଲ୍ଟନ ହୁକର ପ୍ରଥମ ଥର ସନ ୧୯୦୧ରେ ଏହି ବୃକ୍ଷର ବୈଜ୍ଞାନିକ ବର୍ଣ୍ଣନ କରିଥିଲେ । ଏହି ଫୁଲର ଦୁର୍ଲଭ ବୃକ୍ଷ ଥାଇଲାଣ୍ଡ, ବର୍ମା ଓ ଭାରତର କିଛି ଅଂଶରେ ମିଳିଥାଏ ।
ଫ୍ଲାଇଙ୍ଗ ଡକ୍ ଅର୍କିଡ ବତକ ଭଳି ଦେଖାଯାଉଥିବା ଫୁଲ ଅଟେ । ଏହି ଫୁଲ ଦେଖିବାକୁ ବିଲକୁଲ ବତକ ପରି ମନେହୁଏ । ଏହା ଅଷ୍ଟ୍ରେଲିଆର ଉତ୍ତର ଓ ଦକ୍ଷିଣରେ ଥିବା ବଙ୍ଗଲରେ ମିଳିଥାଏ । ଏହି ଫୁଲ ବହୁତ ଛୋଟ ହୋଇଥାଏ ଓ ଲମ୍ବା ୧.୫ ରୁ ୨.୫ ସେ.ମି. ହୋଇଥାଏ । ଏହାର ଥଣ୍ଟକୁ ଛୁଇଁବା ମାତ୍ରେ ଏହା ତଳକୁ ସଂକୁଚିତ ହୋଇଯାଏ ଓ ନିଜ ମୁଣ୍ଡକୁ ଫମ୍ପା ପେଟ ଭିତରେ ଲୁଚାଇ ଦିଏ ।
ମଙ୍କି ଅର୍କିଡ ଏକ ଅତ୍ୟନ୍ତ ସୁନ୍ଦର ଫୁଲ, ଯାହା ଭିତରୁ ଦେଖିଲେ ମାଙ୍କଡ଼ ପରି ମନେହୁଏ । ଏହା ମଧ୍ୟ ଓ ଦକ୍ଷିଣ ୟୁରୋପରେ ବ୍ୟାପକ ରୂପେ ମିଳିଥାଏ । ଅର୍କିଡର ଏହି ଦୁର୍ଲଭ ପ୍ରଜାତି ଇକ୍ୱେଡର ଓ ପେରୁର ଦକ୍ଷିଣ-ପୂର୍ବ ଭାଗରେ ବର୍ଷା ଅରଣ୍ୟରେ ବି ଉତ୍ପନ୍ନ ହୋଇଥାଏ । ଏହାର ଫୁଲର ପାଖୁଡ଼ା ତଥା ଏହା ଉପରେ ନିର୍ମିତ କୁଜ ଓ ଦାଗ ମିଶି ଏକ ମାଙ୍କଡ଼ ଭଳି ମୁଖାକୃତି ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟଚକିତ କରିଥାଏ । ନେକେଡ ମ୍ୟାନ ଅର୍କିଡ ମଧ୍ୟ ଏକ ବିଚିତ୍ର ଫୁଲ, ଯାହାର ଉପରି ଭାଗରେ ଏକ ନଗ୍ନ ମନୁଷ୍ୟ ଭଳି ଆକୃତି ଗଠିତ ହୋଇଥାଏ । ଏହିପରି ବ୍ୟାଲେରିନା ଅର୍କିଡ ଏକ ସୁନ୍ଦର ଫୁଲ, ଯାହାକୁ ଦେଖିଲେ ଝିଅଟିଏ ନୃତ୍ୟ କରୁଥିବା ପରି ଜଣାପଡ଼େ ।
ହୁକର୍ସ ଲିପ୍ସ ଏମିତି ଏକ ଫୁଲ ଯାହାକୁ ଦେଖିଲେ ମନେହୁଏ କେହି ଯେପରି ଓଠ ଉପରେ ଲାଲ ରଙ୍ଗର ଲିପ୍ଷ୍ଟିକ ଲଗାଇଛି । ଅନେକ ଲୋକ ଏହାକୁ ଅତିରଞ୍ଜିତ ବିବରଣ ମାନି ପାରନ୍ତି, କିନ୍ତୁ ଏହା ଏକ ବିଲକୁଲ ବାସ୍ତବିକ ଫୁଲ । ଏହା ମଧ୍ୟ ଓ ଦକ୍ଷିଣ ଆଫ୍ରିକାର ଉଷ୍ଣ ବିଷୁବବୃତ୍ତ ଅଞ୍ଚଳର ବର୍ଷା ଅରଣ୍ୟରେ ମିଳିଥାଏ । ଏହି ବୃକ୍ଷ ନିଜର ଆକାର କାରଣରୁ ପରାଗଣ କରୁଥିବା ପ୍ରଜାପତି, ହମିଙ୍ଗବାର୍ଡ ଭଳି ଜୀବମାନଙ୍କୁ ଆକର୍ଷଣ କରିଥାଏ ।
ସ୍ନାପଡ୍ରାଗନ ଏକ ରୋଚକ ଫୁଲ ଅଟେ, ଯାହା ୟୁରୋପ, ଆମେରିକା ଓ ଉତ୍ତର ଆଫ୍ରିକାର ପଥୁରିଆ ଅଞ୍ଚଳରେ ମିଳିଥାଏ । ଏହାର ସୁନ୍ଦର ଫୁଲର ପାଖୁଡ଼ାଗୁଡ଼ିକ ଏକ ଅଜଗର ସାପର ମୁଖ ପରି ଦିଶେ, ଏଗୁଡ଼ିକୁ ଚିପୁଡ଼ିବା ବେଳେ ସାପର ମୁଖ ପରି ଖୋଲେ ଓ ବନ୍ଦ ହୋଇଯାଏ, କିନ୍ତୁ ଏହି ପାଖୁଡ଼ାଗୁଡ଼ିକ ଶୁଖିଯାଇ ଖସିଯିବା ପରେ ବୀଜର ଖୋଳପା ଅବଶିଷ୍ଟାଂଶ ରୂପେ ରହିଯାଏ, ଯାହା କାହାର ଖପୁରି ପରି ଦେଖାଯାଏ । ଏଠାକାର ପ୍ରାଚୀନ ସଂସ୍କୃତି ଗୁଡ଼ିକରେ ସ୍ନାପଡ଼୍ରାଗନକୁ ଅଲୌକିକ ଶକ୍ତିଗୁଡ଼ିକର ସ୍ଵାମୀ ମନେ କରାଯାଉଥିଲା ।
ସ୍ଵେଡଲ୍ଡ ବେବି ଫ୍ଲାୱାର ଏକ ଅଦ୍ଭୁତ ଫୁଲ, ଯାହା କପଡ଼ାରେ ଗୁଡ଼େଇ ହୋଇ ଶୋଇଥିବା ଶିଶୁ ପରି ଦେଖାଯାଏ । ଏହାର ବୃକ୍ଷ କଲମ୍ୱିଆନ ଏଣ୍ଡିଜରେ ମିଳିଥାଏ । ଏହାର ଫୁଲ କ୍ଷୀରର ସର ପରି ବା ଧଳା ମହମ ପରି ହୋଇଥାଏ । ଏହାର ସଂରଚନା ବହୁତ ଜଟିଳ ହୋଇଥାଏ, ଯାହାକୁ ଖୋଲିଲେ କପଡ଼ା ମଧ୍ୟରେ ଥିବା ଏକ ଶିଶୁ ପରି ଦେଖାଯାଏ । ମନେହୁଏ ଯେମିତି ଏକ ଶିଶୁ କପଡ଼ା ମଧ୍ୟରେ ଶୋଇଛି । ଏହା ଧଳା ରଙ୍ଗର ହୋଇଥାଏ ତଥା ଏଥିରୁ ଭତ୍ତମ ସୁଗନ୍ଧ ବାହାରେ ଓ ଏହା ବସନ୍ତ ତଥା ଗ୍ରୀଷ୍ମଋତୁରେ ଫୁଟିଥାଏ ।
ଗୋଲାପକୁ ବିଶ୍ବର ସବୁଠାରୁ ସୁନ୍ଦର ଫୁଲଗୁଡ଼ିକ ମଧ୍ୟରେ ଗୋଟିଏ ମନେ କରାଯାଏ । ସେଥିପାଇଁ ଏହାକୁ ଫୁଲମାନଙ୍କର ରାଜା କୁହାଯାଏ । ଏହା ସାରା ବିଶ୍ବରେ ସବୁଠାରୁ ଅଧିକ ଲୋକପ୍ରିୟ ଫୁଲଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଏହା କେତେ ପ୍ରକାର ଆକାର ଓ ରଙ୍ଗରେ ମିଳିଥାଏ । ନୀଳ ଗୋଲାପ ଏହାର ଏକ ଦୁର୍ଲଭ ପ୍ରକାର ହୋଇଥାଏ । ଏହା ପ୍ରାକୃତିକ ରୂପେ ମିଳେ ନାହିଁ, ଲୋକେ ଏହାକୁ ରଙ୍ଗାଇ ବା କୃତ୍ରିମ ଉପାୟରେ ଗୁଣସୂତ୍ରର ଅଭିବର୍ଦ୍ଧନ ଆଧାରରେ ପ୍ରସ୍ତୁତ କରିଛନ୍ତି । ଏହି ରଙ୍ଗର ଗୋଲାପକୁ ଦୁର୍ଲଭ ଏବଂ ସ୍ଵୟଂରେ ଅଦ୍ବିତୀୟ ଫୁଲ ମନେ କରାଯାଏ, ଯାହା ବହୁତ ମହଙ୍ଗା ଦରରେ ବିକ୍ରି ହୁଏ ।
ତକ୍କା ଚେଣ୍ଟରିଅର ବା କଳା ବାଦୁଡ଼ି ଫୁଲ, ଫୁଲର ଏକ ବିଚିତ୍ର ପ୍ରଜାତି । ବାଦୁଡ଼ି ପରି ଦିଶୁଥିବା ଏହି ଫୁଲର ରଙ୍ଗ କଳା, ଯେଉଁଥିରେ ଆଣ୍ଟିନା ଭଳି ଏକ ଅଙ୍ଗ ଲାଗିଥାଏ, ଯାହା ଲେଡିଜ ସ୍ଲିପର ନାମରେ ପରିଚିତ । ଏହାର ଆବିଷ୍କାର ଚାର୍ଲସ ଡାରୱିନ ଦକ୍ଷିଣ ଆମେରିକା ଆଖପାଖରେ ନିଜର ଅନ୍ଵେଷଣ ସମୟରେ କରିଥିଲେ ।
ରାଫ୍ଲେସିଆ ଅର୍ନୋଲ୍ଡ ବିଶ୍ୱର ସର୍ବବୃହତ ଫୁଟୁଥିବା । ଫୁଲ, ଯାହା ମୁଖ୍ୟତଃ ମାଲେସିଆ ଓ ଇଣ୍ଡୋନେସିଆରେ ମିଳିଥାଏ । ଏହାର ବ୍ୟାସ ୧ ମିଟର ତଥା ଓଜନ ୧୦ ରୁ ୧୨ କି.ଗ୍ରା, ପର୍ଯ୍ୟନ୍ତ ହୋଇପାରେ । ଫୁଲକୁ ଛୁଇଁଲେ ମାଂସ ପରି ମନେହୁଏ ଏବଂ ଏହି ଫୁଲରୁ ପଟା ମାଂସର ଦୁର୍ଗନ୍ଧ ବାହାରି ଥାଏ, ଯଦ୍ଦ୍ବାରା କିଛି ବିଶେଷ କୀଟପତଙ୍ଗ ଏଥିପ୍ରତି ଆକୃଷ୍ଟ ହୁଅନ୍ତି । ଏହା ଏକ ଆଶ୍ଚର୍ଯ୍ୟଜନକ ପରଜୀବୀ ବୃକ୍ଷ, ଯେଉଁଥିରେ କେବଳ ଫୁଲ ହିଁ ଏପରି ଏକ ଭାଗ, ଯାହା ଭୂମି ଉପରକୁ ରହିଥାଏ । ବାକି ସମସ୍ତ ଅଂଶ କେବଳ ଜାଲ ଭଳି ପତଳା ହୋଇଥାଏ ଏବଂ ଭୂମି ତଳେ ହଁ ସୂତା ରୂପେ ପରିବ୍ୟାପ୍ତ ହୋଇଥାଏ, ଯାହା ଅନ୍ୟ ବୃକ୍ଷଗୁଡ଼ିକର ମୂଳରୁ ଖାଦ୍ୟ ଶୋଷଣ କରିଥାଏ । ଏହି ଫୁଲ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସତେଜ ଫୁଟି ରହିଥାଏ ।
ଏମୋର୍ଫୋଫେଲ୍ସ ଟାଇଟେନମ ଦୁନିଆର ସବୁଠାରୁ ବଡ଼ ଓ ଉଚ୍ଚ ଫୁଲଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା ଇଣ୍ଡୋନେସିଆରେ ମିଳିଥାଏ । ୪୮ ଘଣ୍ଟା ପର୍ଯ୍ୟନ୍ତ ଫୁଟି ରହୁଥିବା ଏହି ଫୁଲ ମଧ୍ୟ ପଚା ମାଂସ ପରି ଦୁର୍ଗନ୍ଧ ଖେଳାଇ ଥାଏ । ଫୁଟିବା ପରେ ଏହାର ଉଚ୍ଚତା ୩ ମିଟର ଏବଂ ଓଜନ ୫ କି.ଗ୍ରା ପର୍ଯ୍ୟନ୍ତ ହୋଇଥାଏ । ଏହି ଫୁଲ ୯ ବର୍ଷରେ ଥରେ ଫୁଟିଥାଏ ଏବଂ ଏହା ଫୁଟିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ । ସନ ୨୦୧୮ରେ କେରଳର ଉତ୍ତର ୱାୟନଡର ପେରିଆ ନିକଟସ୍ଥ ଅଲାଟଟିଲ ଗୁରୁକୁଳ ସେଙ୍କଚୁଆରୀରେ ଏହି ଫୁଲ ଫୁଟିଥିଲା, ଯାହାର ଦର୍ଶନ ପାଇଁ ହଜାର ହଜାର ଲୋକଙ୍କର ଭିଡ଼ ଲାଗିଥିଲା । ଏହି ଫୁଲକୁ ଇଣ୍ଡୋନେସିଆର ସୁମାତ୍ରା କ୍ଷେତ୍ରରୁ ଏଠାକୁ ଅଣାଯାଇଥିଲା ।
ଏହା ହେଉଛି ଫୁଲଗୁଡ଼ିକର ବିଚିତ୍ର ସଂସାରର ଏକ ଛୋଟିଆ ଝଲକ, ଯାହାକୁ ଦେଖି ପ୍ରକୃତିର ଅଦ୍ଭୁତ କଳାକାରିତାର ପରିଚୟ ମିଳିଥାଏ, ଯାହାର ପଛରେ ଲୁଚି ରହିଥିବା ରହସ୍ୟକୁ ଠିକ୍ ରୂପେ ଜାଣି ପାରିବା ମନୁଷ୍ୟ ପାଇଁ ସର୍ବଦା ସମ୍ଭବ ହୋଇ ନ ଥାଏ ।