ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ

ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ହାତୀ-ମନୁଷ୍ୟ ସଂଘର୍ଷ ହ୍ରାସ କରିବା ପାଇଁ ଜଙ୍ଗଲ ଭିତରେ ଖାଲି ସ୍ଥାନରେ ହାତୀଖାଦ୍ୟ ପାଇଁ ଧାନଚାଷ କରିବାକୁ ପରାମର୍ଶ
ବନୀକରଣ କାର୍ଯ୍ୟକ୍ରମରେ ଫଳ, ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ କରାଯାଉ-ମୁଖ୍ୟମନ୍ତ୍ରୀ 
ଦୁର୍ନୀତିରୁ ଦୂରରେ ରହିବାକୁ ଅଧିକାରୀ ମାନଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର–୦୫ ଅଗଷ୍ଟ ୨୦୨୫ —  ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ। ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନ ନେବେ। ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। 

ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବନ ଅଧିକାରୀମାନଙ୍କୁ କହିଥିଲେ ଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତ ବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ତଥା ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ। ଏଥିସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି। ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ। ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସୁରକ୍ଷା ମଞ୍ଚ ଇତ୍ୟାଦିର ସହଯୋଗ କାମନା କରିଥିଲେ। ଏଥିସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। 

 ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ପ୍ରତି ଗୁରୁତ୍ୱାରୋପ କରି ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

 ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ତେଣୁ, ଅଧିକାରୀ ମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଥିଲେ।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହେଉଛି ଏ ସମାଜର ଜୀବନ ରେଖା। ଏ ସୃଷ୍ଟିର ମୌଳିକତାକୁ ବଜାୟ ରଖିବାରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି। ନୂଆ ସରକାର ଆସିବା ପରେ ଜଙ୍ଗଲ ସଂରକ୍ଷଣ ଓ ଅଭିବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଉଛି। ଆଜି ଓଡିଶାରେ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଯାହା ବି ଅଭିବୃଦ୍ଧି ହୋଇଛି ଏହାର ଶ୍ରେୟ ଆମ ନିଷ୍ଠାପର ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କର। ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ଲୋକଙ୍କ ସହ ଯୋଡିହୋଇ କାମ କରି ବିଭାଗ ପାଇଁ ସୁନାମ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। 

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଆମ ରାଜ୍ୟ ହେଉଛି ଏକ ଜୈବ ବିବିଧତା ପୂର୍ଣ୍ଣ ରାଜ୍ୟ। ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ଜଙ୍ଗଲ ଭିତରେ ଏବଂ ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସଚେତନ କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର କୃଷକ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ। ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବିଭାଗର ସଫଳତା ଉପରେ ପର୍ଯ୍ୟବସିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। 

କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍‌ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ବନଖଣ୍ଡର ବନ ସଂରକ୍ଷକ, ଡିଏଫ୍‌ଓ, ଏସିଏଫଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ।ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। 

ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

Leave a Comment

error: Content is protected !!