ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ବର୍ଣ୍ଣାଢ଼୍ୟ ୮୨ ତମ ଜୟନ୍ତୀ ଉତ୍ସବ-୨୦୨୫ ପାଳିତ
ନିର୍ଲିପ୍ତ ନିର୍ବିକାର ବହୁମୁଖୀ ପ୍ରତିଭାଧର ନିଆରା ବିଜ୍ଞାନମନସ୍କ ମଣିଷ ପରି ମଣିଷ ଥିଲେ ଶିକ୍ଷାବିତ୍ ଶତୃଘ୍ନ ଭୁତିଆ
ଢେଙ୍କାନାଳ:ତା.୧୧.୦୮.୨୦୨୫ରିଖ :ପୂର୍ବାହ୍ନ ୧୦ ଘଟିକା ୩୦ମିନିଟ୍ ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଆନୁକୁଲ୍ୟରେ ସଂସ୍କୃତି ଭବନ ଓ ବ୍ରଜନାଥ ପାଠାଗାର ସଭାଗୃହ ପରିସରରେ ଲାଉପାଳରେ ଜନ୍ମିତ,ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ୮୨ ତମ ବର୍ଣ୍ଣାଢ଼୍ୟ ଜୟନ୍ତୀ -୨୦୨୫ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀଙ୍କର ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରହ୍ଲାଦ ତ୍ରିପାଠୀ ଯୋଗଦାନ କରି ଶିକ୍ଷାବିତ୍ ଭୂତିଆଙ୍କ ବହୁମୁଖୀ
ପ୍ରତିଭାର ପରିବ୍ୟାପ୍ତ ଦିଗବଳୟର ସୁଦୂର ପ୍ରସାରୀ ଆଭା ସବୁଦିନ ପାଇଁ ଜ୍ଞାନାଲୋକରେ ବିଶ୍ବକୁ ତାର ବିଚିତ୍ର ବର୍ଣ୍ଣବିଭାରେ ଉଦ୍ ଭାସିତ କରୁଥିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥଲେ।ସ୍ବର୍ଗତ ଭୂତିଆ ଥିଲେ ଜଣେ ନୀର୍ଲିପ୍ତ,ନିର୍ବିକାର,ସ୍ଵାଭିମାନୀ,ଆଦର୍ଶ ଶିକ୍ଷକ,କବି ଓ ପ୍ରାବନ୍ଧିକ ତଥା ସମୟକୁ ପରଖି ଥିବା ବିଜ୍ଞାନ ମନସ୍କ ନିଆରା ମଣିଷ ପରି ମଣିଷଟିଏ ଥିଲେ ବୋଲି ମଧ୍ୟ ସଭାପତି ମତବ୍ୟକ୍ତ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦାନ କରି ଭୂତିଆ ସାର୍ ମହାନ୍ ଆଧ୍ୟାତ୍ମ୍ୟ ମାନବ ବାଦୀ, ହେତୁବାଦୀ,ବିଜ୍ଞାନ ମନସ୍କ ଲେଖକ ଭାବରେ ସର୍ବ ଜନାଦୃତ ହୋଇ ରହିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ସ୍ୱର୍ଗତଃ ଭୂତିଆ ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ରୂପେ ଓ ଏନସିସି ଚିଫ୍ ଅଫିସର୍ ରୂପେ ଚିରଦିନ ପାଇଁ ଢେଙ୍କାନାଳ ତଥା ଓଡ଼ିଶାର ଶତାଧିକ ଛାତ୍ରୀ,ଛାତ୍ରମାନଙ୍କ ହୃଦୟରେ ସ୍ଵତନ୍ତ୍ର ଭାବେ ସ୍ଥାନିତ ହୋଇ ପାରିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସ୍ୱର୍ଗତଃ ଭୁତିଆଙ୍କ ସ୍ମୃତିଚାରଣ ଅବସରରେ ତାଙ୍କର ପୁତ୍ରବତ୍ ସବୁଠାରୁ ପ୍ରିୟ ଛାତ୍ର,ସମଧର୍ମୀ,ସହକର୍ମୀ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର
ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆ ଜଣେ ବ୍ୟକ୍ତି ନୁହଁନ୍ତି ସେ ଶିକ୍ଷାଜଗତର ଜଣେ ଅମଳିନ ଧ୍ରୁବତାରା ଯିଏକି ଚିରଦିନ ପାଇଁ ଶିକ୍ଷା କ୍ଷେତ୍ରରେ ପଥ ପ୍ରଦର୍ଶକ ହୋଇ ରହିଥିବେ ବୋଲି ଦୃଢ଼ ମତପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ଜୀବନୀ ଉପରେ ଆଧାରିତ ସ୍ବରଚିତ ଏହି ନିଜର,ତାଙ୍କ ସୁପୁତ୍ର ଡାକ୍ତର ଅନୁପମ ଦେବାଶିଷ ମିଶ୍ର ଓ ସହଧର୍ମିଣୀ ଡ.ଅନୁପମା ମିଶ୍ରଙ୍କ ଲିଖିତ ପାଞ୍ଚଗୋଟି କବିତା ପାଠ କରିଥିଲେ।ସ୍ବର୍ଗତ ଭୂତିଆ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର ପ୍ରଚେଷ୍ଟା ଅନବଦ୍ୟ ଥିଲା ବୋଲି ଉଦ୍ ବୋଧିତ କରିଥିଲେ। ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଦ୍ଵିତଳ ପ୍ରସାଦ ତାଙ୍କର ବଳିଷ୍ଠ ଉଦ୍ୟମ ଓ ଦୃଢ଼ ନେତୃତ୍ୱରେ ନିର୍ମାଣ କରାଯାଇ ଥିବାରୁ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାଯାଉ ବୋଲି ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ।ଅତିଥିମାନେ ସ୍ୱର୍ଗତଃ ଭୁତିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସଭାପ୍ରାରମ୍ଭରେ ବରିଷ୍ଠା କଵୀ ବୈଜୟନ୍ତୀ ପଟ୍ଟନାୟକ ଓ ସୁକାନ୍ତି ସାହୁଙ୍କର ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ ମଧୁକ୍ଷରା ରେ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ।ପ୍ରାରମ୍ଭରେ ଭୂତିଆ ସାର୍ ଙ୍କ ନାତୁଣୀ ଶ୍ରଦ୍ଧା ସମର୍ପିତା ଓଡ଼ିଶୀ ନୃତ୍ୟାଭିନୟ ମାଧ୍ୟମରେ ଅତି ମନୋହର ଚିତ୍ତାକର୍ଷକ ଦଶ ଅବତାର ପରିବେଷଣ କରିଥିଲେ ଯାହାକି ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ଗୀତାପାଠ କରାଯିବା ପରେ ସ୍ୱର୍ଗତ ଭୂତିଆଙ୍କ ଜ୍ୟେଷ୍ଠା କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ (ରିନା) ଓ ଜାମାତା ଭାଗିରଥି ବେହେରା ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ମର୍ମସ୍ପର୍ଶୀ କବିତା ଆବୃତ୍ତି କରିବା ସଙ୍ଗେ ସଙ୍ଗେ ନିଜ ପିତାଙ୍କ ସହିତ ନିଜ ନିଜ ନିଜ ଜୀବନର ସଜଳ ସ୍ମୃତି ସବୁକୁ ରୋମନ୍ଥନ ଥିଲେ।ଅତିଥିବୃନ୍ଦ ସ୍ୱର୍ଗତଃ ଭୂତିଆଙ୍କର ବାଲ୍ୟ ଜୀବନ,ବୃତ୍ତିଗତ ଜୀବନ,ସାମାଜିକ ଜୀବନ ସଂପର୍କରେ ସ୍ମୃତି ଚାରଣ କରିଥିଲେ। ଜଣେ ବହୁମୁଖୀ ପ୍ରତିଭାର ପ୍ରତୀକ ପ୍ରଥମେ ରାଷ୍ଟ୍ରୀୟ ବିଦ୍ୟାଳୟ ରାଜଗାଙ୍ଗପୁରରେ ବିଜ୍ଞାନ ଶିକ୍ଷକ,ତାପରେ କ୍ରମାନ୍ୱୟରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଯୁବରାଜ ହାଇସ୍କୁଲ, ତାଳଚେର, ଗୋତମରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଢେଙ୍କାନାଳର ବିତ୍ତ ଓ ପ୍ରଶାସନିକ ଅଧିକାରୀ, ଢେଙ୍କାନାଳର ଭାରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ,ବି.ବି.ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଲୋକପ୍ରିୟ ଗଣିତ ଓ ବିଜ୍ଞାନ ଶିକ୍ଷକ,ରାଜ୍ୟ ଓ ଜାତୀୟ ପୁରସ୍କାପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍, ରାଜ୍ୟ ମାଧ୍ୟମିକ ସରକାରୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖାର ପ୍ରାକ୍ତନ ସଭାପତି,ଢେଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ,ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାକ୍ତନ ସଭାପତି,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ସଭାପତି,ପ୍ରଖ୍ୟାତ ହେତୁବାଦୀ,ବିଜ୍ଞାନ ମନସ୍କ ଲେଖକ, ପ୍ରାବନ୍ଧିକ,କବି,ସୁସାହିତ୍ୟିକ,ସେ ଜଣେ ଅତ୍ୟନ୍ତ ସ୍ନେହୀ, ସଦଗୁଣଧାରୀ,ଅମାୟିକ,ଉଦାରବାଦୀ,ପରୋପକାରୀ,ଜଣେ ନିଷ୍ଠାପର କର୍ମଜୀବୀ,ଧର୍ମପ୍ରାଣ,ମାନବ ବାଦୀ,ହେତୁବାଦୀ ବିଜ୍ଞାନମନସ୍କ ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ଅନାକୃତିକୁ ଆକୃତି,ଅଦୃଶ୍ୟକୁ ଦୃଶ୍ୟ ଦେବାର ସର୍ବଜନାଦୃତ ଜଣେ ନିଆରା କାରିଗର ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ।ସେ ତାଙ୍କ ଜୀବଦ୍ଦଶାରେ ଉତ୍କୃଷ୍ଟ ଚିନ୍ତାଧାରା ସମ୍ପର୍ନ୍ନ ମଣିଷ ଭାବରେ ବିଜ୍ଞାନର ଜୟଗାନ (କବିତା),ଯାଦବ ଓଗାଳ(କବିତା),ଯାଦବ ଓଗାଳ ଓ ଲଉଡ଼ି ନୃତ୍ୟ ସଂଗୀତ (କବିତା),ଅଲୌକିକତାର ପଶ୍ଚାତରେ ବିଜ୍ଞାନ (ପ୍ରବନ୍ଧ),ଜୀବନର ଚଲାପଥେ,ବିଜ୍ଞାନ,ହେତୁବାଦ ଓ ସମାଜ (ପ୍ରବନ୍ଧ),ସଂଗ୍ରାମର ସ୍ୱର (କବିତା),କୁନି କବିତା ଓ ବିଜ୍ଞାନର କୁହୁକ ପେଡ଼ି ଭଳି ପ୍ରାୟ ଦଶ ଖଣ୍ଡ ପୁସ୍ତକ ରଚନା କରି ପ୍ରକାଶିତ କରିଥିଲେ। ଏତଦ୍ ବ୍ୟତୀତ ବିଜ୍ଞାନର ଯାଦୁ,ବିଜ୍ଞାନ ପରୀକ୍ଷଣ,ବିଜ୍ଞାନ ଗୀତିକା (କବିତା) ଓ ଥଣ୍ଟିଆ କକା (ଅନୁବାଦ) ପୁସ୍ତକ ଗୁଡ଼ିକ ତାଙ୍କର ଯନ୍ତ୍ରସ୍ଥ ଅବସ୍ଥାରେ ରହିଛି। ସେ ଜଣେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଓ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ଶତ୍ରୁଘ୍ନ ନାଥ ପୁରସ୍କାର ପ୍ରାପ୍ତ ଶିକ୍ଷକ।ତାଙ୍କର ହତଭାଗ୍ୟ ଜ୍ୟେଷ୍ଠପୁତ୍ର ଷ୍ଟେସନ ମାଷ୍ଟର ସତ୍ୟଜିତ୍ ଭୂତିଆ,ଜ୍ୟେଷ୍ଠ ପୁତ୍ରବଧୂ ଜୟଶ୍ରୀ ଭୂତିଆ,ଉଭୟ କନିଷ୍ଠ ପୁତ୍ର ଶିବ ପ୍ରସାଦ ଯାଦବ ଓ ପୁତ୍ରବଧୂ ନିବେଦିତା ନାୟକ,ଉଭୟେ ଇନଫୋସିସ୍ ଭୁବନେଶ୍ୱରର ସଫ୍ଟୱେର ଇଞ୍ଜିନିୟର,ଜ୍ୟେଷ୍ଠ ଜ୍ୱାଇଁ ଇଞ୍ଜିନିୟର ଭାଗିରଥି ବେହେରା ଓ ଜ୍ୟେଷ୍ଠ। କନ୍ୟା ଜ୍ୟୋତ୍ସ୍ନାମୟୀ ଭୂତିଆ,ଅନ୍ୟତମ ଜ୍ୱାଇଁ ଡାକ୍ତର ଭରତ କୁମାର ବେହେରା ଓ କନ୍ୟା ଇନ୍ଦିରା ଭୂତିଆ,ସୁନିଲ ବାରିକ ଓ ଦୀପ୍ତିମୟୀ ଭୂତିଆ,ଅଶୋକ ବେହେରା,ବିଦ୍ୟାଧର ବେହେରା, କେଦାର ପରିଡ଼ା ,ନାତୁଣୀମାନଙ୍କ ମଧ୍ୟରେ ଶ୍ୱେତା ଶୁଭ୍ରଜ୍ୟୋତ୍ସ୍ନା, ଶ୍ୱେତା ସ୍ୱୟଂସିଦ୍ଧା,ଶ୍ରଦ୍ଧା ସମର୍ପିତା,ସୌମ୍ୟା ଶାଶ୍ବତୀ, ଶୁଭଦୀପ୍ତି,ସ୍ମୃତିଶ୍ରୀ ବିଦ୍ୟା ଓ ନାତି ବି.ଶକ୍ତି ସାର୍ଥକ ଓ ଅନେକ ଶୁଭେଚ୍ଛୁ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରି ସ୍ୱ ସ୍ଵ ସ୍ମୃତିଚାରଣ କରିଥିଲେ।ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ,ବାଳକୃଷ୍ଣ ସାହିତ୍ୟ ସଂସଦ,ଶିକ୍ଷାବିତ୍ ପଣ୍ଡିତ ରୁଦ୍ର ନାରାୟଣ ମିଶ୍ର ସ୍ମୃତି ସଂସଦ,ରେଣୁବାଳା ସୃତିସଂସଦ,ରମଣ ବିଜ୍ଞାନ ସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ଯୁଗ୍ମ ସମ୍ପାଦକ ତଥା ଆଜୀବନ ସଦସ୍ୟ ଭାବରେ ଡ଼ା.ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦ୍ ଗତି କାମନା କରିଥିଲେ।ପୂଜ୍ୟ ଶିକ୍ଷକଙ୍କ ସାହିତ୍ୟ କୃତି ତଥା ଜୀବନୀ ସମ୍ୱନ୍ଧରେ ମଧ୍ଯ ସବିଶେଷ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସୁକାନ୍ତି ସାହୁ,ମହମ୍ମଦ ରଫିକ୍,ବୈଜୟନ୍ତୀ ପଟ୍ଟନାୟକ, ପ୍ରାଧ୍ୟାପକ ପ୍ରକାଶ ପଟ୍ଟନାୟକ,ଜ୍ୟୋତିର୍ମୟୀ ନାଥ,ବିଦ୍ୟାଧର ବାରିକ,ମାନସୀ କର,ପ୍ରଭୃତି ଶତାଧିକ ସୁଧୀବୃନ୍ଦ ଯୋଗଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତଃ ଭୁତିଆଙ୍କ ପରିବାରର ପୁତ୍ର ସତ୍ୟଜିତ୍ ଭୁତିଆ ଓ ଶିବ ପ୍ରସାଦ ଯାଦବ ଏବଂ କନ୍ୟା ଜ୍ୟୋତ୍ସ୍ନାମୟୀ, ଇନ୍ଦିରା ଏବଂ ଦୀପ୍ତିମୟୀ ଏବଂ ଜାମାତା ଭାଗିରଥୀ ,ଭରତ,ସୁନିଲ,ପୁତ୍ରବଧୂ ଜୟଶ୍ରୀ ଓ ନିବେଦିତାଙ୍କ ସହିତ ସମସ୍ତ ନାତି ଓ ନାତୁଣୀମାନେ ଯୋଗଦାନ କରିଥିଲେ।ସ୍ୱର୍ଗତଃ ଭୂତିଆଙ୍କର ଅନେକ ଶୁଭେଚ୍ଛୁ,ଅନୁଗାମୀମାନଙ୍କ ଉପସ୍ଥିତିରେ ପରିବାର ତରଫରୁ ସମସ୍ତ କାର୍ଯ୍ୟ ସୁଚାରୂ ରୂପେ ସଂପାଦନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଲେଖକ ସଂସଦର ସଂପାଦକ ହୃଦାନନ୍ଦ ଦ୍ୱିବେଦୀ ମଞ୍ଚ ସଂଚାଳନ କରିଥିଲେ ଏବଂ ପରିଶେଷରେ ପରିଚାଳନା ସମ୍ପାଦକ ଅଞ୍ଜନ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାକ୍ତନ ଯୁଗ୍ମ ସମ୍ପାଦକ ତଥା ଆଜୀବନ ସଦସ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍

