ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ
ରାୟଗଡା :- ଗୁଣପୁର ୧୬/୮ ସ୍ଥାନୀୟ କପିଳପୁରରେ ବେଆଇନ ଭାବେ ଚାଲିଥିବା ଲକ୍ଷ୍ମଣ ଲାଭନ୍ୟା ମେଟ୍ରିନିଟି ହୋମ ରିସର୍ଚ ସେଣ୍ଟର କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗ ଚଢାଉ କରି ୬ ମହୋଲା କୋଠାକୁ ସିଲ କରିଛି। ଶନିବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତରେ ସମସ୍ତ କାଗଜ ପତ୍ର ତନ ତନ କରି ଦୀର୍ଘ ୬ ଘଣ୍ଟା ଧରି ଯାଞ୍ଚ କରିଥିଲେ। ଏହି ବେଆଇନ କ୍ଲିନିକର ପରିଚାଳନା ମୁଖ୍ୟ ହେଉଛନ୍ତି ଗୁଣପୁର ଉପଖଣ୍ତ ଚିକିତ୍ସାଳୟର ଭାରପ୍ରାପ୍ତ ସୁପରିଟେଣ୍ଡଣ୍ଟ ତଥା ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ପଣ୍ଡା । ଏହି କ୍ଲିନିକରେ ମୁଖ୍ୟତ ପ୍ରସ୍ତୁତି ମହିଳାଙ୍କ ପ୍ରସବ ,ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସା କରାଯାଉଥିଲା। ଏହି କ୍ଲିନିକ ଯୋଗୁଁ କିଛି ଲୋକଙ୍କ ସୁବିଧା ହୋଇଥିବା ବେଳେ ଅଧିକାଂଶଙ୍କ ଅସୁବିଧା ହେଉଥିବା ଅଭିଯୋଗ ରହିଛି। ସ୍ବାସ୍ଥ୍ୟ ବିଭାଗର ଯାଞ୍ଚରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମିଳିଥିବା ବେଳେ କ୍ଲିନିକାଲ ଲାଇସେନ୍ସ ପ୍ରମାଣ ପତ୍ର ଓ ଅଗ୍ନିଶମ ବିଭାଗର ସୁରକ୍ଷା ପ୍ରମାଣ ପତ୍ର ନଥିବା ଜଣାପଡିଥିଲା। ଅପର ପକ୍ଷରେ ଅଭିଯୋଗ ପରେ ଉକ୍ତ କ୍ଲିନିକକୁ ସିଲ କରାଯିବ ବୋଲି ସପ୍ତାହକ ପୂର୍ବରୁ ସିଡ଼ିଏମ୍ଓ ଘୋଷଣା କରିବା ଯୋଗୁଁ କ୍ଲିନିକରେ କେହି ପ୍ରସ୍ତୁତି ମହିଳା ନଥିବା ଏବଂ ଆଲଟ୍ରା ସାଉଣ୍ଡ ମେସିନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ଡାକ୍ତର ପଣ୍ଡା ସକ୍ଷମ ହୋଇଛନ୍ତି। କେବଳ ଆଲଟ୍ରା ସାଉଣ୍ଡ ମେସିନ ର କିଛି ଆନୁସାଙ୍ଗିକ ଯନ୍ତ୍ରପାତି ଯାଞ୍ଚ ବେଳେ ଠାବ କରାଯାଇଛି।ଏହି ଚଢାଉରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼. ବି . ସରୋଜିନି ଦେବୀ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼. ମମତା ସାହୁ ଓ ଡ଼. ପି କେ ମିଶ୍ର,ପୁଲିସ ଏସଡ଼ିପିଓ ବାବୁଲି ନାୟକ ଅଗ୍ନିଶମ ଅଧିକାରୀ ରଜନୀକାନ୍ତ ଗୌଡ଼ ଏବଂ ମାଜିଷ୍ଟ୍ରେଟ ରୁପେ ପଦ୍ମପୁର୍ ତହସିଲଦାର ଶଙ୍କର ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ତେବେ ଦୀର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ନାକ ତଳେ ବିନା ଲାଇସେନ୍ସରେ କ୍ଲିନିକ କେମିତି ଚାଲିଥିଲା ବୋଲି ସିଡିଏମଓଙ୍କୁ ପ୍ରଶ୍ନ ହେବାରୁ ସେ ନୂଆରେ ଆସିଛନ୍ତି ବୋଲି ଉତ୍ତର ଦେଇଥିଲେ। ଅନୁସନ୍ଧାନରୁ ଜଣାପଡିଛିଯେ ଏହି ଲାଇସେନ୍ସ ନଥିବା କ୍ଲିନିକରେ ଜନ୍ମିତ ପିଲା ମାନଙ୍କୁ ଅମ୍ବାଦଳା ଏକ ଘୋରଇ କ୍ଲିନିକରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଉ କିଛି ଜଣଙ୍କୁ ଆଜି ପର୍ଯ୍ୟନ୍ତ ଜନ୍ମ ପ୍ରମାଣ ପତ୍ର ମିଳିନଥିବା ଅଭିଯୋଗ ହୋଇଛି। ଏହି ବେ ଆଇନ କ୍ଳନିକ ଚଳାଉଥିବା ଡାକ୍ତର ପଣ୍ଡାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡ଼ିଏମଓ ଡ଼ . ସରୋଜିନୀ ସୂଚନା ଦେଇଛନ୍ତି।ଏହି କ୍ଳନିକ ନିର୍ମାଣରେ ମ୍ୟୁନିସିପାଲଟିର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। କେବଳ ଉକ୍ତ ବେଆଇନ କ୍ଳନିକକୁ ପ୍ରାୟ ୨୫ ଲକ୍ଷ ଟଙ୍କାର ମ୍ୟୁନିସିପାଲଟି ପକ୍ଷରୁ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ସେହିପରି ଦୁଇ ମହଲା କୋଠା ନିର୍ମାଣ ପାଇଁ ଟାଉନ ପ୍ଳାନିଂ ଓ ମ୍ୟୁନିସିପାଲଟିର ଅନୁମୋଦନ ମିଳିଛି। ତେବେ ବିନା ଅନୁମୋଦନରେ ୬ ମହଲା କୋଠା ନିର୍ମାଣ ବେଳେ ମ୍ୟୁନିସିପାଲଟି ଚୁପ କାହିଁକି ରହିଥିଲା ତାହା ତଦନ୍ତ ସାପେକ୍ଷ। ଉଲେଖଯୋଗ୍ୟ ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତର ପଣ୍ଡା ଗତ ଅଗଷ୍ଟ ୨୫ ତାରିଖ ୨୦୧୦ ମସିହାରେ ଗୁଣପୁର ଉପଖଣ୍ତ ଚିକିତ୍ସାଳୟରେ ଯୋଗ ଦେଇଥିଲେ। ତେବେ ଗତ ୨୦୨୧ ଏକ ବିବାଦୀୟ ଘଟଣାରେ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହାପରେ ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଅକ୍ଟୋବର ୧୦ ତାରିଖ ୨୦୧୯ରେ ଅବସ୍ଥାପିତ କରାଯାଇଥିଲା। ପ୍ରାୟ ଦୁଇ ବର୍ଷ ଛୁଟିରେ ରହି କ୍ଲିନିକ ଚଳେଇ ଆସୁ ଥିଲେ। ଏହାପରେ ସ୍ବାସ୍ଥ୍ୟ ବିଭାଗ ଗତ ନଭେମ୍ବର ୧୬ ତାରିଖ ୨୦୨୨ରେ ଡାକ୍ତର ପଣ୍ଡାଙ୍କୁ ପଦନ୍ନତି ଦେଇ ପୁଣି ଥରେ ତାଙ୍କୁ ଗୁଣପୁର ଉପଖଣ୍ତ ଚିକିତ୍ସାଳକୁ ବଦଳି ହୋଇଥିଲା। ଗତ ଏପ୍ରିଲ ୧୨ ତାରିଖ ୨୦୨୩ରେ ଆଉଥରେ ପଦନ୍ନତି ମିଳିବା ପରେ ବର୍ତ୍ତମାନ ଗୁଣପୁର ଉପଖଣ୍ତ ଡାକ୍ତରଖାନାର ଭାରପ୍ରାପ୍ତ ସୁପରିଟେଣ୍ଡଣ୍ଟ ରୂପେ ଦାୟିତ୍ୱ ସମ୍ଭାଳିଛନ୍ତି। ସୂଚନାଯୋଗ୍ୟ ଏହି ବେଆଇନ କ୍ଳନିକ ବିରୋଧରେ ସହରର ଜଣେ ସଚେତନ ଯୁବକ ତାଗୁଡୁ ସାଙ୍କେତ ଗୁଣପୁର ଆଦର୍ଶ ପୁଲିସ ଥାନାରେ ଅନ ଲାଇନରେ ଏତେଲା ଦେଇଥିଲେ। ଏହାପରେ ସ୍ବାସ୍ଥ୍ୟ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଥିଲା।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

