ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ : ପ୍ରତି ଗ୍ରାମେ ଗ୍ରାମେ ବିଜ୍ଞାନ, ପ୍ରତି ଗୃହେ ଗୃହେ ବିଜ୍ଞାନ : ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଓ ବିଜ୍ଞାନ ଆଲୋଚନାଚକ୍ର ଭୁବନରେ ଅନୁଷ୍ଠିତ

ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ : ପ୍ରତି ଗ୍ରାମେ ଗ୍ରାମେ ବିଜ୍ଞାନ, ପ୍ରତି ଗୃହେ ଗୃହେ ବିଜ୍ଞାନ :
ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଓ ବିଜ୍ଞାନ ଆଲୋଚନାଚକ୍ର ଭୁବନରେ ଅନୁଷ୍ଠିତ

ଭୁବନ: ତା ୨୭.୦୮.୨୦୨୫ ରିଖ:  ଓଡ଼ିଶା ବିଜ୍ଞାନ ଚେତନା ମଞ୍ଚ ଢେଙ୍କାନାଳ ଜିଲ୍ଲା ଭୁବନ ଶାଖା ଆନୁକୁଲ୍ୟରେ ଭୁବନ ବ୍ଲକ୍ ଆବାହକ ଶ୍ରୀଧର ପୃଷ୍ଟିଙ୍କ ସଂଯୋଜନା କ୍ରମେ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଗୋଡ଼ିପୋଖରୀଛକରୁ ବାହାରି ବସଷ୍ଟାଣ୍ଡ ଦେଇ ନଗର ପରିକ୍ରମା କରିଥିଲା ଓ ଭୁବନ ସରସ୍ଵତୀ ଶିଶୁ ମନ୍ଦିରରେ ସମାପ୍ତ ହୋଇଥିଲା। ଏହି ଉପଲକ୍ଷେ ଶ୍ରୀଧର ପୃଷ୍ଟିଙ୍କ ଆବାହକତ୍ୱ ଓ ପୋରୋହିତ୍ୟରେ ଭୁବନ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଏକ ବିଜ୍ଞାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଭାରତ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟିର ଜାତୀୟ ଉପସଭାପତି ତଥା ଓଡ଼ିଶା ରାଜ୍ୟ ବିଜ୍ଞାନ ଚେତନା ମଞ୍ଚର ସଂପାଦକ,ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ କେଏସ୍ କେ ଭରଦ୍ବାଜ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ,କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ,ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ,ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ ଆଜି ଯୁଗର ଆବଶ୍ୟକତା। କୌଣସି କଥାକୁ ଅନ୍ଧ ଭାବେ ଗ୍ରହଣ ନକରି ତା ପଛରେ ଥିବା କାରଣ ଖୋଜିବା ଓ କାରଣ ଆଧାରରେ ସିଦ୍ଧାନ୍ତରେ ଉପନୀତ ହେବାକୁ ବିଜ୍ଞାନ କୁହାଯାଏ।ବିଜ୍ଞାନ କଦାପି ବିଶ୍ୱାସ ହୋଇ ନ ପାରେ ବରଂ ସତ୍ୟର ଚଟାଣ ଉପରେ ଏକ ସୁନ୍ଦର ଉପଲବ୍ଧିକୁ ବୁଝାଏ। ପ୍ରଶ୍ନ ପଚାରିବା,କାରଣ ଖୋଜିବା,ପରୀକ୍ଷା ନିରୀକ୍ଷା କରିବା,ଯୁକ୍ତି କରିବା ଆଦି ପ୍ରକ୍ରିୟା ଗୁଡିକ ବିଜ୍ଞାନର ପରିଭାଷା ଅଟନ୍ତି।ତେଣୁ,ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ଆଜିର ଶିକ୍ଷକ,ଶିକ୍ଷିକାମାନଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟତମ ମୁଖ୍ୟବକ୍ତା ଭାବରେ ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ଅବସରପ୍ରାପ୍ତ ବରିଷ୍ଠ ଗଣିତ,ବିଜ୍ଞାନ ଶିକ୍ଷକ,ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଓଡ଼ିଶା ରାଜ୍ୟ ବିଜ୍ଞାନ ଚେତନା ମଞ୍ଚର ଢେଙ୍କାନାଳ ଜିଲ୍ଲା ଆବାହକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଭାରତରେ ବିଜ୍ଞାନ ପଦଯାତ୍ରାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ମହତ୍ତ୍ଵ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଦ୍ଵାରା ହିଁ ବିଶ୍ବରେ ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇ ପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ସଙ୍ଗଠିକା ଡ.ଶୁଭ୍ରା ରାୟ,ବିଜ୍ଞାନ ସଙ୍ଗଠକ ଵିନୋଦ ସେଠୀ,କାମାକ୍ଷାନଗରର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସଦାନନ୍ଦ ସାହୁ, ବିଜ୍ଞାନ ଚେତନା ମଞ୍ଚର ଆଜୀବନ ସଦସ୍ୟ ନରେନ୍ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ।ମଞ୍ଚାସୀନ ଅତିଥିବୃନ୍ଦ ସ୍ଵୀୟ ବକ୍ତବ୍ୟରେ ୨୦୧୭ ମସିହାରେ ପ୍ରଥମ କରି ସାରା ବିଶ୍ୱରେ ପ୍ରାୟ ୬୦୦ଟି ସହରରେ ବିଜ୍ଞାନ ପାଇଁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଜ୍ଞାନିକମାନଙ୍କ ସହ,ଶିକ୍ଷକ,ଛାତ୍ର ଓ ସବୁ ସ୍ତରର ଲକ୍ଷ ଲକ୍ଷ ଜନତା ଯୋଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଭାରତ ତଥା ଓଡ଼ିଶାର ବିଭିନ୍ନ ସହରରେ ମଧ୍ୟ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ବୈଜ୍ଞାନିକମାନଙ୍କର ଫଟୋଚିତ୍ର ହାତରେ ଧରି,ବୈଜ୍ଞାନିକ ଚିନ୍ତାର ପ୍ରଚାର ପ୍ରସାର କରିବା ଓ ସମାଜରେ ଅନ୍ଧବିଶ୍ଵାସ ଦୂର କରିବାର ସ୍ଲୋଗାନକୁ କାନ୍ଧରେ ବହନ କରି ସାଧାରଣ ଜନତା ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।ଏହା ପରେ ପ୍ରତି ବର୍ଷ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରାର ଡାକରାରେ ବୈଜ୍ଞାନିକ ଚିନ୍ତାର ପ୍ରଚାର ପ୍ରସାର ପାଇଁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି।ଚଳିତ ବର୍ଷ ମଧ୍ୟ ଅଗଷ୍ଟ ମାସ ୧୬ ରୁ ୨୪ ତାରିଖ ମଧ୍ୟରେ ସାରା ଭାରତବର୍ଷ ବ୍ୟାପୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି। ଓଡ଼ିଶାରେ ମଧ୍ୟ୍ୟ ପ୍ରତିଟି ଗାଆଁ -ସହରକୁ ଯୋଡି ଏହି ବିଜ୍ଞାନ ପାଇଁ ପଦଯାତ୍ରାର ଆୟୋଜନ କରାଯାଉଛି।ଆଜି ପରିବେଶ ପ୍ରଦୁଷଣ ଓ ଏହା ସହ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ ଏକ ସର୍ବବୃହତ୍ ସଂକଟ ଭାବରେ ଉଭା ହେଇଛି। ଜଳବାୟୁ ପରିବର୍ତ୍ତନର କରାଳ ପ୍ରକୋପରେ କେବେ ଅସମୟରେ ତୁମୁଳ ବର୍ଷା ଫଳରେ ଭୟାବହ ବନ୍ୟା ସୃଷ୍ଟି ହେଉଛି ତ ଅନ୍ୟ ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହେଉଛି। ତାପମାତ୍ରା ବୃଦ୍ଧି ଫଳରେ ଓଡ଼ିଶା ଉପକୂଳରେ ଲଗାତାର ଲଘୁଚାପ ସୃଷ୍ଟି ହୋଇ ପ୍ରତି ବର୍ଷ ଜନଜୀବନ ହାନି ହେଉଛି। ତାପମାତ୍ରା ବୃଦ୍ଧି ଫଳରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।ସାଟେଲାଇଟ୍ ଚି଼ତ୍ରରୁ ସ୍ପଷ୍ଟ ହେଉଛି ଯେ ହିମାଳୟରେ ଥିବା ହିମବାହର ପରିମାଣ ଧିରେ ଧିରେ କମି କମି ଯାଉଛି।ଖୁବ୍ ଶୀଘ୍ର ଏପରି ପରିସ୍ଥିତି ଆସିବ ଯେବେ ହିମାଳୟରୁ ବାହାରୁ ଥିବା ନଦୀ ଗୁଡିକ ଯଥା -ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ଜଳଶୂନ୍ୟ ହୋଇଯିବ।ଗାଁ,ସହର ତଥା କଳକାରଖାନାର ପ୍ରଦୂଷିତ ଜଳକୁ ସିଧା ସଳଖ ନଦୀରେ ଛାଡି ଦେବା ଫଳରେ ନଦୀ ଜଳ ପ୍ରଦୁଷିତ ହେଉଛି।ସେଇପରି ବଡ଼ ବଡ ସହରରେ ବାୟୁ ପ୍ରଦୂଷଣ ଏପରି ଭୟାବହ ରୂପ ନେଲାଣି ଯେ ଏହା ବିଭିନ୍ନ ଶ୍ଵାସଜନିତ ରୋଗର ମୁଖ୍ୟକାରଣ ହେଇଛି।ଭାରତର ବିଜ୍ଞାନ ପାଇଁ ପଦଯାତ୍ରା ଏହି ପ୍ରଶ୍ନର କାରଣ ଖୋଜିବା ସହିତ,ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ କୁ ରୋକିବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମାଧାନର ରାସ୍ତାକୁ ପ୍ରଶସ୍ଥ କରିବ।ପ୍ରକୃତିରେ ନିରନ୍ତର ହେଉଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ପଚାରିବା ଓ ତାର ଉତ୍ତର ଖୋଜିବା – ଏହି ପ୍ରକ୍ରିୟାରେ ସତ୍ୟର ନିକଟତର ହେବା ହିଁ ହେଉଛି ବିଜ୍ଞାନ। ଆଧୁନିକ ବିଜ୍ଞାନ କହେ ଯାହା ପରୀକ୍ଷିତ ସତ୍ୟ ତାହା ହିଁ ସତ୍ୟ।ପରୀକ୍ଷା ନିରୀକ୍ଷା ବ୍ୟତୀତ ଯେ କୌଣସି ବିଷୟ ସମ୍ପର୍କରେ ଅନୁମାନ କରାଯାଇପାରିବ କିନ୍ତୁ ସେହି ଅନୁମାନକୁ ସତ୍ୟ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ।ଏହି ଅଳ୍ପ କେଇ ଧାଡିରେ ପ୍ରକାଶିତ ହେଉଥିବା ବିଜ୍ଞାନର ମୂଳ ସ୍ରୋତକୁ ଆଧାର କରି ଗତ ପ୍ରାୟ ୪୦୦ବର୍ଷ ମଧ୍ୟରେ ମଣିଷ ଆଗରେ ଏକ ନୂଆ ଦୁନିଆ ପରିଭାସିତ ହୋଇଛି। ସେ କ୍ଷୁଦ୍ରାତି କ୍ଷୁଦ୍ର ଅଣୁ ପରମାଣୁ ଏବଂ ତା ମଧ୍ୟ୍ୟରେ ଥିବା କଣିକା ଠାରୁ ଆରମ୍ଭ କରି ବିଶାଳକାୟ ତାରା,ଗ୍ରହ,ଉଲ୍ କାର ଗତି,ପ୍ରକୁତିର ଅନେକ ଦିଗ ଆଜି ମଣିଷ ଆଗରେ ଉଜାଗର ହୋଇଛି।ଏହି ସମସ୍ତ ଜ୍ଞାନ ସହ ତାଳଦେଇ ବୈଷୟିକ କୌଶଳ ମଧ୍ୟ୍ୟ ଅନେକ ଆଗକୁ ଆସିପାରିଛି।ଆଜି ମଣିଷ ମହାକାଶରେ ଘର ତିଆରି କରିଛି।ଯେଉଁଠାରେ ସେ ଇଚ୍ଛା ମୁତାବକ ଯାଇ ରହିପାରୁଛି ଓ ପୁଣି ସେଠାରୁ ଫେରି ଆସିପାରୁଛି।ଆମ ଜୀବନର ଛୋଟ ବଡ ପ୍ରତ୍ୟେକଟି କାର୍ଯ୍ୟକଳାପ ଆଜି ବିଜ୍ଞାନର ସ୍ପର୍ଶରେ ସହଜ ଓ ସରଳ ହେବା ସହ ଗୁଣଗତ ଭାବରେ ଉନ୍ନତତର ହୋଇପାରିଛି।ସ୍ୱାସ୍ଥ୍ୟ,ଗମନାଗମନ,ଯୋଗାଯୋଗ କ୍ଷେତ୍ରରେ ଯେଉଁ ବିକାଶ ଘଟିଛି ତାହା ସମସ୍ତ ମାନବ ଜାତିକୁ ଗୋଟିଏ ସୂତାରେ ବାନ୍ଧି ରଖିଛି।ଗୋଟିଏ ଲୋକର ରକ୍ତ, ଆଖି,ଯକୃତ ପରି ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅନ୍ୟର ଜୀବନ ବଞ୍ଚାଇ ଦେଇ ପାରୁଛି।କିନ୍ତୁ,ଅନ୍ୟ ପଟରେ ଆଜି ମଧ୍ୟ୍ୟ ସମାଜରେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ମଣିଷ ମନରେ ଘର କରି ରହିଛି।ଗାଁ-ଗହଳିରେ ଡାହାଣୀ ଚିହ୍ନଟ କରି ମହିଳାମାନଙ୍କୁ ପ୍ରତାରିତ କରିବା,ଛୋଟ ପିଲାମାନଙ୍କୁ ଗରମ ଲୁହାର ଚେଙ୍କଦେବା ପରି କୁପ୍ରଥାମାନ ଆଜିବି ପ୍ରଚଳିତ ଅଛି।କେହି ସାପ କାମୁଡାର ଶୀକାର ହେଲେ ତାକୁ ଡାକ୍ତରଖାନା ନନେଇ ତାଙ୍କୁ ମନ୍ଦିର ପିଣ୍ଡାରେ ଶୁଆଇ ରଖି ପାଣି ଢାଳିବା ଫଳରେ ଅନେକ ଜୀବନ ହାନୀ ହେଉଛି।ଯଦିଓ ସ୍କୁଲ ସ୍ତରରେ ହିଁ ଏହା ପଢ଼ା ଯାଉଛି ଯେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହେଉଛି ଛାଇ ଆଲୁଆର ଖେଳ,କିନ୍ତୁ ଏହାକୁ ନେଇ ବିଭିନ୍ନ ଧାରଣର କୁସଂସ୍କାର ମଣିଷ ମନରେ ଭରି ରହିଛି।ଆଜି ସମାଜର ବିଡ଼ମ୍ବନା ହେଉଛି ଗୋଟିଏ ପଟେ ମଣିଷ ହାତରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସର୍ବୋତ୍କୃଷ୍ଟ ଉପକରଣ କିନ୍ତୁ ଅନ୍ୟ ପଟରେ ମନରେ ବହୁରକମର ପୁରାତନ ସଂସ୍କାର,ବିଶ୍ୱlସ ଓ ପ୍ରଚଳିତ ପ୍ରଥାର ଏକ ଅଡୁଆ ସୁତା।ଏହି ପରି ଚିନ୍ତା ଭିତରେ ବାଟବଣା ହେଉଥିବା ସାଧାରଣ ମଣିଷ ପାଖକୁ ବିଜ୍ଞାନର ଆଲୋକ ନେଇ ଯିବାର ଏକ ପ୍ରୟାସ ହେଉଛି ଏହି ବିଜ୍ଞାନ ପାଇଁ ପଦଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।ବୈଜ୍ଞାନିକ ଚିନ୍ତାର ସୂତାଖିଅରେ ଜାତି, ଧର୍ମ ଓ ଆଞ୍ଚଳିକତାର ଉର୍ଦ୍ଧ୍ବରେ ସମସ୍ତ ମଣିଷ ସମାଜକୁ ମାଳାପରି ଗଢିବା ହିଁ ହେଉଛି ଏହି ପଦଯାତ୍ରାର ସ୍ଲୋଗାନ୍।ଏଥିପାଇଁ ଵିଜ୍ଞାନ ଚେତନା ମଞ୍ଚ ଓଡିଶା ପକ୍ଷରୁ ଅଗଷ୍ଟ ୧୬ ରୁ ୨୪ ତାରିଖ ସାରା ଓଡ଼ିଶା ବ୍ୟାପି ଆଲୋଚନା,ସେମିନାର, ପଦଯାତ୍ରା ପରି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି।ନିମ୍ନରେ ଦିଆଯାଇଥିବା ବକ୍ତବ୍ୟ ଗୁଡିକ ହିଁ ଏହି ସପ୍ତାହବ୍ୟାପି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ:୧.ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ବୈଜ୍ଞାନିକ ଚିନ୍ତାର ପ୍ରଚାର -ପ୍ରସାର କରିବା।୨.ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଜନଜାଗୃତି ସୁଷ୍ଟି କରିବା ଓ ସେଥିପାଇଁ ନୀତି ନିର୍ଦ୍ଧାରଣ କରିବା।୩.ସ୍କୁଲ ପାଠ୍ୟକ୍ରମରେ ଡାରୱିନ ତତ୍ତ୍ଵ ଓ ପିରିୟଡିକ୍ ଟେବୁଲ ପରି ମୌଳିକ ବିଷୟ ଅନ୍ତର୍ଭୁକ୍ତ କରିବା।ସ୍କୁଲ କଲେଜରେ ବିଜ୍ଞାନ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷାକୁ ଗୁରୁତ୍ୱ ଦେବା।୪.କେନ୍ଦ୍ର ବଜେଟର ୧୦ ପ୍ରତିଶତ ଓ ରାଜ୍ୟ ବଜେଟର ୩୦ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା।୫.ବିଜ୍ଞାନକୁ କେବଳ ମଣିଷ କଲ୍ୟାଣରେ ବ୍ୟବହାର କରିବା।ଏହି ବାର୍ତ୍ତାକୁ ସମସ୍ତ ସ୍ତରର ଜନଗଣଙ୍କ ପାଖକୁ ନେଇଯିବା ଉଦ୍ଦେଶ୍ୟରେ ‘ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା’ ର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ସକ୍ରିୟ ଯୋଗଦାନ ରଖନ୍ତୁ ବୋଲି ସମସ୍ତ ଜନଗଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।ଗଁଦିଆ,ଭୁବନ ବ୍ଲକ୍ ଓ ଭୁବନ ଏନ୍ ଏସିର ବହୁ ବିଜ୍ଞାନ ଶିକ୍ଷକ ଯୋଗଦେଇଥିଲେ।ବିଜ୍ଞାନ ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ବକ୍ତୃତା ପ୍ରତିଯୋଗଗିତାରେ ଭାଗନେଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅନନ୍ତପୁର ଶିକ୍ଷକ ଗିରିଧାରୀ ମହାନ୍ତ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଏକତାଳିର ଶିକ୍ଷକ ପତିତପାବନ ସାମଲ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ମନ୍ଦାର ,ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ,ଲହଡ଼ାର ଶିକ୍ଷକ ରୋହିତାଶ୍ଵର ନାୟକ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଭୁବନର ଶିକ୍ଷକ ନିରୋଦ କୁମାର ନାୟକ, ପ୍ରଭାତ କୁମାର ଶତପଥି ଓ ତପନ କୁମାର ସାମନ୍ତ, ବାଜିରାଉତ ମେମୋରିଆଲ୍ ଉଚ୍ଚ ବିଦ୍ୟାଳୟ, ପୁରୁଷୋତ୍ତମ ପୁରର ଶିକ୍ଷକ ଅଜୟ କୁମାର ବେହେରା,ବିନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ପାତ୍ର, ସେଣ୍ଟ୍ ଜାଭିୟର ହାଇସ୍କୁଲ୍,ମୃଦଙ୍ଗାର ଶିକ୍ଷକ ରତ୍ନାକର ଦାସ, ଭୁବନ ମହିଳା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ସମ୍ବିତ କୁମାର ନନ୍ଦ,ବାଜିରାଉତ୍ ସ୍ମୃତି ବିଦ୍ୟାମନ୍ଦିର,ଭୁବନର ପ୍ରଧାନ ଶିକ୍ଷକ ପୂର୍ଣ୍ଣାନନ୍ଦ ମିଶ୍ର,ସମାଜସେବୀ ତଥା ସ୍ବାସ୍ଥ୍ୟକର୍ମୀ କୁମୁଦ ଚନ୍ଦ୍ର ସାହୁ,ସମାଜସେବୀ ଅମ୍ବୁଜ କୁମାର ସାହୁ, ନରେନ୍ଦ୍ର କୁମାର ବେହେରା,ନଗେନ୍ କୁମାର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ସାହୁ, ଭୁବନ ସରସ୍ଵତୀ ଶିଶୁମନ୍ଦିର ପ୍ରଧାନ ଗୁରୁଜୀ ଦିନେଶ ନନ୍ଦୀ ପ୍ରମୁଖ ସମସ୍ତ ଗୁରୂମା,ଗୁରୁଜୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ। ବରିଷ୍ଠ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସଦାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କୀତ ପ୍ରତିଯୋଗିତା ଆସନ୍ତା ୨୨ରେ….

masiha

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

Sunil Chandra Nayak

Leave a Comment

error: Content is protected !!