‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ
ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ
ରାଉରକେଲା, ୧୭ ସେପ୍ଟେମ୍ବର ୨୦୨୫: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ‘ମା’ ପାଇଁ ଗଛ ଟିଏ ‘ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଠାରୁ ଆରମ୍ଭ କରି ସ୍ଵଚ୍ଛ ଭାରତ ମିଶନ ଅଭିଯାନରେ ‘ସ୍ଵଚ୍ଛ ଉତ୍ସବ’, ପିଏମ୍ ସ୍ଵନିଧି ଯୋଜନା ଅଧୀନରେ’ ଲୋକ କଲ୍ୟାଣ ମେଳା’ ଏବଂ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ମାନନୀୟ ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ଆରଏମସି କମିଶନର ଦୀନା ଦସ୍ତଗୀର୍ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ ପୂର୍ବକ ଗଛ ଲଗାଇ ଥିଲେ। ରାଉରକେଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସହରର ବିଭିନ୍ନ ପାର୍କ, କଲ୍ଯାଣ ମଣ୍ଡପ, ଜଳାଶୟ, ରାସ୍ତା ପାର୍ଶ୍ଵରେ ସାଧାରଣ ଲୋକଙ୍କ ସହ ସ୍ଥାନୀୟ ଏସଏଚଜି ମହିଳା, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ସଂସ୍ଥା ପରିବେଶର ସୁରକ୍ଷା ପାଇଁ ଉତ୍ସାହର ସହ ବୃକ୍ଷରୋପଣ କରିଥିଲେ।
ଏଥିସହ ମହିଳା ଓ ବାଳିକାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ କାର୍ଯ୍ୟକ୍ରମ ସହରର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପାନପୋଷ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଉରକେଲା ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସୁସ୍ଥ ଜୀବନଶୈଳୀ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ।
ସ୍ଵଚ୍ଛ ଭାରତ ମିଶନ’ ଅଭିଯାନରେ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫ ଅଧୀନରେ ‘ସ୍ଵଚ୍ଛ ଉତ୍ସବ’ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଫେଇ କରାଯିବା ସହ ସେଠାରେ ବୃକ୍ଷରୋପଣ କରାଯାଇଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ସହରରେ ଥିବା ବିଭିନ୍ନ ଅବ୍ୟବହୃତ ଜାଗା ଗୁଡିକୁ ବ୍ୟବହାର ଯୋଗ୍ୟ କରାଯିବା ସହ ଖୋଲା ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ।
ଏହା ସହ ସହରର ସହରର ସମସ୍ତ ଉଠା ଦୋକାନୀ ଓ ବୁଲା ବିକାଳୀଙ୍କ ବ୍ୟବସାୟର ଗତିକୁ ଦ୍ରୁତ କରିବା ପାଇଁ ଆଜିଠାରୁ ପିଏମ୍ ସ୍ଵନିଧି ଯୋଜନା ଅଧୀନରେ ‘ଲୋକ କଲ୍ୟାଣ ମେଳା’ ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉଦିତନଗର ସ୍ଥିତ ମହାନଗର ପାଠାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଇଚ୍ଛୁକ ବ୍ୟବସାୟୀଙ୍କୁ ଆବଶ୍ୟକ ଋଣ ଦିଆଯିବା ସହ ବାଦ୍ ପଡିଥିବା ବ୍ୟବସାୟୀଙ୍କୁ ପଞ୍ଜୀକରଣ ମଧ୍ଯ କରାଯିବ।
ତେଣୁ ଏଥିନିମନ୍ତେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରଏମସି କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍। ଏହି ରଥ ସହର ସାରା ପରିକ୍ରମା କରିବା ପୂର୍ବକ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ଏହି ଯୋଜନାର ଅଂଶୀଦାର ହେବା ପାଇଁ ସଚେତନ କରାଇବ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

