ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ

ଢେଙ୍କାନାଳ: ତା.୨୪.୧୦.୨୦୨୫ରିଖ : ସ୍ଥାନୀୟ ହୋଟେଲ୍ ଦେବକନ୍ୟା କନ୍ଫରେନ୍ସ ହଲ୍ ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି ତଥା ଉଫୁନାର ରାଜ୍ୟ ସଭାପତି ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା କହିଲେ ଯେ ୨୦୨୫ ମସିହା ସମସ୍ତଙ୍କର ସର୍ବାଙ୍ଗୀନ ବିକାଶର ବର୍ଷ ହେଉ ଓ ଜାତିସଂଘ ସଚେତନତା ହିଁ ସୁରକ୍ଷା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଓଡ଼ିଶା ହାଇକୋର୍ଟ ଆଡ୍ ଭୋକେଟ୍ ଲଳିତେନ୍ଦୁ ମିଶ୍ର ସ୍ଵୀୟ ବକ୍ତବ୍ୟରେ ମିଳିତ ଜାତିସଂଘର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ଓ ସଂହତିର ପ୍ରତିଷ୍ଠା ବୋଲି ଦୃଢ଼ ମତପୋଷଣ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଯୋଗଦାନ କରି ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରଗତିଶୀଳ ବିଶ୍ୱ ଗଠନ ପାଇଁ ଜାତିସଙ୍ଘ ହିଁ ଏକାନ୍ତ ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ଜାତିସଙ୍ଘ ଦେଶ ଦେଶ ମଧ୍ୟରେ ଥିବା ଦ୍ଵନ୍ଦକୁ ଦୂରକରି ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିଥାଏ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଜଜ୍ ଭିକାରୀ ଚରଣ ରାଉତ ସ୍ଵୀୟ ବକ୍ତବ୍ୟର ବନ୍ୟା,ବାତ୍ୟା ଓ ମରୁଡ଼ି ପ୍ରପୀଡ଼ିତ ଦେଶ ମାନଙ୍କରେ ସାହାଯ୍ୟ ଯୋଗାଇବାରେ ମିଳିତ ଜାତିସଂଘ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ ବୋଲି ମତ ପ୍ରକାଶ କରିଥଲେ।ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି କଟକର ଅଧ୍ୟାପିକା ମୀରା ବେଉରା ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଜନସାଧାରଣଙ୍କର ସେବା କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ କାର୍ଯ୍ୟକ୍ରମମାନ ହାତକୁ ନେଇଥାନ୍ତି ବୋଲି କହିଥିଲେ।ଉଫୁନାର ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ସମାଜସେବୀ ବିନାୟକ ଶତପଥୀ, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଵାରେ ମିଳିତ ଜାତିସଂଘର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ମିଳିତ ଜାତିସଂଘ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ।ମିଳିତ ଜାତିସଂଘ ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ।ଉକ୍ତ ସଭାରେ ଉଫୁନାର ମହାସଚିବ ଦିପାୟନ ପଟ୍ଟନାୟକ ସ୍ୱୀୟ ବକ୍ତବ୍ୟରେ ମିଳିତ ଜାତିସଂଘର ଐତିହାସିକ ପୃଷ୍ଠଭୂମି,ଏହାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଗଠନମୂଳକ ଆଭିମୂଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି କହିଥିଲେ ଯେ ମିଳିତ ଜାତିସଂଘ ଦିବସ ହେଉଛି ମିଳିତ ଜାତିସଂଘ ସପ୍ତାହ(ଯାହାକି ୨୦-୨୬ ଅକ୍ଟୋବର ମଧ୍ୟରେ ପାଳିତ ହୁଏ)କାର୍ଯ୍ୟକ୍ରମର ଏକ ଅଂଶ।୧୯୪୮ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଏକ ପ୍ରସ୍ତାବ ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତିବର୍ଷ ଅକ୍ଟୋବର ୨୪କୁ ବିଶ୍ଵ ମିଳିତ ଜାତିସଂଘ ଦିବସ ରୂପେ ପାଳନ କରାଯିବ। ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଆଉ ଏକ ପ୍ରସ୍ତାବ (ରିଜୋଲ୍ୟୁସନ ସଂଖ୍ୟା- ୨୭୮୨) ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ମିଳିତ ଜାତିସଂଘ ଦିବସକୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶଗୁଡିକ ପାଳନ କରିବେ ଏବଂ ଏହା ଏକ ସାଧାରଣ ଛୁଟି ଦିବସ ହେବ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫,୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା।ଏହି ସମ୍ମିଳନୀରେ ମିଳିତ ଜାତିସଂଘ ଗଠନର ପ୍ରସ୍ତାବ ପାରିତ ହୋଇଥିଲା।୧୯୪୫ ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି।ମିଳିତ ଜାତିସଂଘର ପ୍ରତିଷ୍ଠା ପରଠାରୁ ଏହି ଅନୁଷ୍ଠାନଦ୍ୱାରା ଏହାର ଲକ୍ଷ୍ୟ ପୂରଣ ଦିଗରେ ଯେତେସବୁ ଉପଲବ୍ଧି ଅଛି ସେ ସବୁ ବିଷୟରେ ଜନ ମାନସରେ ସଚେତନତା ସୃଷ୍ଟି କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।

ମିଳିତ ଜାତିସଂଘର ଯେତେ ସବୁ ଉପଲବ୍ଧି ରହିଛି,ସେ ସବୁ ପଛରେ ମିଳିତ ଜାତିସଂଘ ଛଡା ଅନ୍ୟ କେତେକ ବିଶେଷ ସଂସ୍ଥାର ଅବଦାନ ରହିଛି।ସେମାନେ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ଖଦ୍ୟ ଏବଂ କୃଷି ସଂଗଠନ,ଆନ୍ତର୍ଜାତିକ ଶ୍ରମ ସଂଗଠନ,ମିଳିତ ଜାତିସଂଘ ମାନବାଧିକାର କାଉନସେଲ ଓ ମିଳିତ ଜାତିସଂଘ ବାଳ କୋଷ(ୟୁନିସେଫ୍ )ଭଳି ଅନେକ ସଂଗଠନର ସଂପୃକ୍ତି ରହିଛି।ଏହିସବୁ ସଂଗଠନ ସହାୟତାରେ ମିଳିତ ଜାତିସଂଘ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ,ବିଶେଷ ଭାବରେ ମାନବିକ ଅଧିକାର,ସ୍ୱାସ୍ଥ୍ୟ,ଶରଣାର୍ଥୀ ଥଇଥାନ, ବନ୍ୟା,ବାତ୍ୟା ତଥା ରୋଗ ନିରାକରଣ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।ଏହି ଦିନ ବିଶ୍ବସ୍ତରରେ,ଜାତୀୟ ସ୍ତରରେ,ଜିଲ୍ଲା ସ୍ତରରେ ଏବଂ ବ୍ଲକ୍ ସ୍ତରରେ ବିଭିନ୍ନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ଆଧାରରେ କ୍ୟାମ୍ପ୍ ,ଜନ ସଚେତନତା ମେଳା ଆଦିର ଆୟୋଜନ ପୂର୍ବକ ଏହି ଦିବସଟିକୁ ପାଳନ କରାଯାଇଥାଏ ଓ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ମଧ୍ୟ ଅବିରତ ଏହାର କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ସୂଚନା ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଓ ସମ୍ମାନୀୟ ବକ୍ତାବୃନ୍ଦଙ୍କ ମଧ୍ୟରେ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ଡ.ପ୍ରମୋଦ କୁମାର ନାୟକ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ଇଂ ଅବିନାଶ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ମାନସୀ କର,ଡ.ଅନୁପମା ମିଶ୍ର,କବୀ ମମତା ମିଶ୍ର,ମୈତ୍ରେୟୀ ଶୁଭଦା,ନନ୍ଦୀ କେଶରୀ ନାଥ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଡ.ପ୍ରମୋଦ କୁମାର ନାୟକ,ପ୍ରେମାନନ୍ଦ ଶତପଥୀ, ତରୁଣ କୁମାର ବିଶ୍ବାଳ,ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ,ପ୍ରାକୃତିକ ଚିକିତ୍ସା ବିଶାରଦ ପୀତବାସ ସାହୁ,ବିପିନ ବିହାରୀ ବେହେରା,ଦେବ ପ୍ରସାଦ ମିଶ୍ର,ଯୁଧିଷ୍ଟିର ସାହୁ,ଇଂ ଲଳିତ ମୋହନ ବେହେରା ପ୍ରମୁଖ ଇଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା, ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ, ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ମିଳିତ ଜାତିସଂଘ ସମ୍ପର୍କରେ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ କବିତା ପାଠ କରିଥିଲେ।ଅଧ୍ୟକ୍ଷ ଡ.ସମୀର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

masiha

କଳାହାଣ୍ଡି ଆଉଟ ସୋର୍ସଙ୍ଗ କର୍ମଚାରୀ ମହାସଂଘ ର ଜରୁରୀ ବୈଠକ

masiha

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!