ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର

ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଭଳି ନର୍ଲା ବ୍ଲକର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଶ୍ରେଣୀ ଖୋଲିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଏହା କରାଯାଇଥିବା କୁହାଯାଉଛି। ତେବେ ଏଥିପାଇଁ କୌଣସି ବ୍ୟବସ୍ଥା ନକରି ରାଜ୍ୟ ସରକାର ଏହା ଲାଗୁକରିଥିବାରୁ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଫଳରେ କୋମଳମତି ଶିଶୁଙ୍କ ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଶିକ୍ଷାବର୍ଷ ଆରମ୍ଭ ହୋଇ ସାତ ମାସ ବିତିବାକୁ ବସିଥିଲେ ସୁଦ୍ଧା ଏଯାବତ୍ ଶ୍ରେଣୀଗୃହ, ଖାଦ୍ୟ, ପୋଷାକ କିମ୍ବା ଶିକ୍ଷକ – କୌଣସି ବ୍ୟବସ୍ଥା ନଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନାହିଁ, ଯାହା ଫଳରେ ଛାତ୍ରଛାତ୍ରୀଙ୍କୁ ସଠିକ୍ ଭାବରେ ବସାଇ ପଢ଼ାଇବା ସମ୍ଭବ ହେଉନଥିବା ଶିକ୍ଷକମାନେ ପ୍ରକାଶ କରିଛନ୍ତି। ପିଏମ୍ ପୋଷଣ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ କରାଯିବା କଥା। କିନ୍ତୁ ଶିଶୁବାଟିକା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର କୌଣସି ବ୍ୟବସ୍ଥା ହୋଇନାହିଁ। ବିଭାଗୀୟ ଅଲିଖିତ ସହମତିରେ ପିଲାଙ୍କ ଭୋଜନ ବ୍ୟବସ୍ଥା ଚାଲିଛି। ସେହିପରି ପ୍ରଥମରୁ ଦଶମ ପିଲାଙ୍କ ପାଇଁ ୟୁନିଫର୍ମ ଓ ହାଉସ୍ ଡ୍ରେସ୍ ଟଙ୍କା ଆସି ପୋଷାକ ବଣ୍ଟନ ସରିଥିବା ବେଳେ ଶିଶୁ ବାଟିକା ପିଲା ଜଳକା ଭଳି ଚାହିଁ ରହିଛନ୍ତି। ସେମାନଙ୍କ ପାଇଁ କୌଣସି ପାଣ୍ଠି ଆସିନାହିଁ। ତେବେ ନର୍ଲା ବ୍ଲକର ବିଭିନ୍ନ ସ୍କୁଲରେ ପ୍ରଧାନଶିକ୍ଷକମାନେ ଶିଶୁ ବାଟିକା ପିଲାଙ୍କୁ ପୋଷାକ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ସେମାନେ କେମିତି ପଇସା ଭରଣା କରିବେ, ସେଥିପାଇଁ ଚିନ୍ତାରେ ଅଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଲା ଶିକ୍ଷକଙ୍କ ଅଭାବ। ଶିଶୁବାଟିକା ପାଇଁ ଶିଶୁ ସେବିକା ନିୟୋଜିତ ହୋଇ ନଥିବାରୁ ଶିକ୍ଷକମାନଙ୍କ ଉପରେ ଅତିରିକ୍ତ ଚାପ ପଡୁଛି। ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଜଣ ଲେଖାଏଁ ଶିକ୍ଷକ ଥିବା ବେଳେ ସେମାନଙ୍କୁ ଆଉଗୋଟେ ଶ୍ରେଣୀର ବୋଝ ଲଦି ଦିଆଯାଇଛି। ଏଭଳି ଅବହେଳା ଜାରି ରହିଲେ ରାଜ୍ୟରେ ଶିକ୍ଷାର ଭିତ୍ତି ଦୁର୍ବଳ ହୋଇଯିବ ବୋଲି ଶିକ୍ଷା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଏନେଇ ଅଭିଭାବକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କର ମତ ହେଲା, ସରକାର ଶିଶୁବାଟିକା ଖୋଲିବାର ଆଦେଶ ଦେଇ ଭୁଲିଗଲେଣି। କିଛି ବ୍ୟବସ୍ଥା ନକରି ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଛି। କୋମଳମତି ପିଲାଙ୍କ ଶିକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବାକୁ ସେମାନେ ଦାବି କରିଛନ୍ତି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

Leave a Comment

error: Content is protected !!