ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ
ଢେ଼ଙ୍କାନାଳ (ମନିସ) ଇଂରେଜ ସରକାର ରାଜତ୍ଵ କାଳରେ ଭାରତ ବର୍ଷରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରୀତରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କ ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଧେଶ୍ୟରେ ସମଗ୍ର ଓଡ଼ିଶାକୁ ୨ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନନାମରେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଶୋଷଣ କରୁଥିଲେ। ଢେ଼ଙ୍କାନାଳର ବୀର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୁଦ୍ଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ଏହି ମଣ୍ଡଳରେ ସ୍ଵାଧୀନତା ସଂଗ୍ରାମୀ ମୂଷା ମଲ୍ଲିକ,ବୀର ବୈଷ୍ଣବ,ବାଜି ରାଉତ,ସାରଙ୍ଗଧର ଦାସ,ଶ୍ରୀକାନ୍ତ ରାଉତ,ନରୋତ୍ତମ ଦାସ,କୃତ୍ତିବସ ପ୍ରଧାନ,ମହେଶ ଚନ୍ଦ୍ର ସୁବାହୁସିଂହ,ବ୍ରଜ କିଶୋର ଧଳ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଆନନ୍ଦ ସ୍ୱାଇଁ,ବାଇଧର ସ୍ୱାଇଁ ପ୍ରଭାକର ସ୍ୱାଇଁ,ଜଗବନ୍ଧୁ ସ୍ୱାଇଁ ଦୁଃଶାସନ ମଲ୍ଲିକ ଆନ୍ଦୋଳନରେ ଭାଗ ନେଇଥିବା କେତେକ ତୁଙ୍ଗ ସଂଗ୍ରାମୀ ମାନଙ୍କ ମଧ୍ୟରୁ ସ୍ୱର୍ଗତ ବ୍ରଜ କିଶୋର ଧଳ ଅନ୍ୟତମ। ସ୍ୱର୍ଗତ ଧଳ ୧୯୧୨ ଏପ୍ରିଲ ୧୩ ରିଖରେ ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ (ଗଞ୍ଜେଇଡିହ )ଗ୍ରାମରେ ଏକ ଜଣାଶୁଣା ସ୍ଵଚ୍ଛଳ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବ୍ରଜ କିଶୋର ଧଳଙ୍କ ପିତା ସ୍ୱର୍ଗତ ଭୋଳେଶ୍ବର ଧଳ ଜଣେଭଦ୍ର,ସମାଜସେବୀ ଲୋକପ୍ରିୟ ମହାଜନ ଥିଲେ। ବ୍ରଜ କିଶୋର ଧଳଙ୍କର ୪ ଭାଇ ଓ ଗୋଟିଏ ଭଉଣୀ । ଅନ୍ୟ ଭାଇମାନେ ହେଲେ ନାରାୟଣ ପ୍ରସାଦ,ଭାଷାତତ୍ତ୍ଵବିତ୍ ଗୋଲକ ବିହାରୀ,ଅକାରଣ ଚନ୍ଦ୍ର,ନିବାରଣ ଚନ୍ଦ୍ର ଓ ଭଉଣୀ ଚଉରା ତାଙ୍କ ଭିଣେଇ ରଘୁନାଥ ନାୟକ ବଡମ୍ବା ଗୋପ-ମଥୁରା ଗ୍ରାମର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳର ନେତା ଥିଲେ। ସ୍ୱର୍ଗତ ବ୍ରଜକିଶୋର ଧଳ ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ)ରୁ ୧୯୨୯ ମସିହାରେ ମାଟ୍ରିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ୧୯୩୩ ମସିହାରେ ଢେଙ୍କାନାଳ ରାଜାଙ୍କ ଅଧିନରେ ଢେଙ୍କାନାଳ ରାଜ୍ୟ ପୋଲିସ ବିଭାଗରେ ସବଇନ୍ସପେକ୍ଟର ଭାବେ ଚାକିରୀ କରିଥିଲେ। ଓଡ଼ିଶାରେ ୨୬ ଗୋଟି ଗଡଜାତ ମଧ୍ୟରୁ ଢେ଼ଙ୍କାନାଳ ଗଡଜାତ’କ’ ଶ୍ରେଣୀର ଥିଲା । ୧୯୧୮ ମସିହାରେ ଢେ଼ଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁରଙ୍କ ପରଲୋକ ହେଲା। ସେ ଦୟାଳୁ ଓ ବିଚାରବନ୍ତ ରାଜା ଥିଲେ। ତାଙ୍କ ପର୍ଯ୍ୟନ୍ତ ସୁଶାସନ ଥିଲା। ତାଙ୍କ ପରେ ଶଙ୍କର ପ୍ରତାପ ରାଜା ହେଲେ। ଶଙ୍କର ପ୍ରତାପଙ୍କ ଶାସନ ଢେ଼ଙ୍କାନାଳବାସୀଙ୍କ ପାଇଁ କାଳ ହେଲା। ଲୋକମାନେ ତାଙ୍କ ଶାସନରେ ଅତିଷ୍ଠ ହେଲେ । ସେ ସମୟରେ ରାଜା ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର,ଶୋଷଣ,ନାରୀଧର୍ଷଣ,ଘରପୋଡି,ଅନ୍ୟାୟ,ବେଠି,ବେଘାରୀ,ମିଛ ମକଦ୍ଦମା,ଜୋଜବରଦସ୍ତି ଟିକସ ଅସୁଲ,ଜେଲଦଣ୍ଡ,ମନମୁଖି ଶାସନ ଏକ ଚଟିଆ ଆଇନ କରି ପ୍ରଜାମାନଙ୍କୁ ହଇରାଣ ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ। ସ୍ବର୍ଗତ ଧଳଙ୍କ ମନ ବିଦ୍ରୋହ କରି ଉଠିଲା ଏବଂ ସେ ୧୯୩୫ରେ ଚାକିରୀରୁ ଇସ୍ତଫା ଦେଇ ରାଜାଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗଭର ହେଲେ । ୧୯୩୧ ମସିହାରେ କଟକ ଠାରେ ଗୋବିନ୍ଦ ଚନ୍ଦ୍ର ମିଶ୍ର,ବ୍ରଜସୁନ୍ଦର ଦାସ,ରାଧାନାଥ ରଥ,ବାଲୁଙ୍କେଶ୍ୱର ଆଚାର୍ଯ୍ୟ,ଭୁବନାନନ୍ଦ ଦାସ,ମଧୁସୂଦନ ପଟ୍ଟନାୟକଙ୍କ ଉଦ୍ୟମରେ ଗଡଜାତ ସମ୍ମିଳନୀ ଆୟୋଜିତ ହୋଇଥିଲା । ୧୯୩୦ ମସିହାରେ ବ୍ରଜ କିଶୋରଙ୍କର ବାଙ୍କୀ ବିଶିଷ୍ଟ ଜମିଦାର ତଥା ମାଜିଷ୍ଟ୍ରେଟ ଦୀନବନ୍ଧୁ ମଙ୍ଗରାଜଙ୍କ କନ୍ୟା ଇନ୍ଦୁମତୀଙ୍କ ସହିତ ବିବାହ ହେଲା। ୧୯୩୮ମସିହାରେ ଢେ଼ଙ୍କାନାଳର ପ୍ରଜାମଣ୍ଡଳ ଆନ୍ଦୋଳନ ମୁଣ୍ଡଟେକି ନାଗରିକ ଅଧିକାର ଓ ଦାୟିତ୍ବ ମୂଳକ ଶାସନ ନିମନ୍ତେ ଦାବୀ ଉପସ୍ଥାପନ କରାଗଲା। ଏହି ଆନ୍ଦୋଳନର ପ୍ରଥମ ସଭା ବ୍ରଜ କିଶୋର ଧଳଙ୍କ ଦ୍ବାରା ଏବଂ ଧଳଙ୍କ ସଭାପତିତ୍ବରେ ଗଞ୍ଜେଇଡିହ ଗ୍ରାମରେ ୧.୮.୧୯୩୮ରେ ଅନୁଷ୍ଠିତ ହେଲା।୧୧.୮.୩୮ରେ ହଜାରରୁ ଅଧିକ ସଭ୍ୟଙ୍କୁ ନେଇ ବ୍ରଜ କିଶୋର ଧଳଙ୍କ ସଭାପତିତ୍ବରେ ଏକ ବଡ଼ ଧରଣର ସଭାରେ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ପ୍ରତି ଗ୍ରାମରେ ସ୍ଵେଚ୍ଛା ସେବକ ଗଠନ କରି ମନର ଭୟ ଦୂରକରି ରାଜାଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ଏବଂ ଶାସନ କଳକୁ ସବୁ ଦିଗରୁ ବିରୋଧ କରିବା ପାଇଁ ନିଷ୍ପତି ନିଆଗଲା। ପରଜଙ୍ଗ ଅଞ୍ଚଳରେ ବେଜେଲଗେଟଙ୍କ ନେତୃତ୍ଵରେ ଗୋରା ଫଉଜ ପ୍ରଥମେ ପହଞ୍ଚି ହାତୀ ଲଗାଇ ମହେଶ ଚନ୍ଦ୍ର ସୁବାହୁସଂହଙ୍କ ଘର ଭାଙ୍ଗିଦେଲେ।କୁଆଲୋ ଓ ମାଣିକମରା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ସ୍ବାମୀ ପୁତ୍ରଙ୍କ ଉପସ୍ଥିତିରେ ନାରୀ ଧର୍ଷଣ କରାଗଲା। ଅନେକ ଗ୍ରାମ ପୋଡ଼ି ଛାରଖାର କରି ଦିଆଗଲା । ତାପରେ ବେଜେଲଗେଟଙ୍କ ଦୃଷ୍ଟି ବ୍ରଜ କିଶୋରଙ୍କ ଗଞ୍ଜେଇଡିହ ଗ୍ରାମରେ ପଡ଼ିଲା ହତୀ,ଘୋଡ଼ା ପୋଲିସ ଧରି ଗାଁକୁ ଘେରାଉ କରିନେଲେ। ଫାଙ୍କା ଗୁଳି ଚାଳନା ଫୁଟାଇ ଏମୁଣ୍ଡ ରୁ ସେମୁଣ୍ଡ ମାର୍ଚ୍ଚିଙ୍ଗି କଲେ। କାନ୍ଥବାଡ଼ ସ୍ଲୋଗାନ ଲେଖି ଥିବାରୁ ସେଗୁଡିକୁ ଗୁଳି ଫୁଟାଇ ନଷ୍ଟ କରିଦେଲେ। ବ୍ରଜ କିଶୋରଙ୍କୁ ଗିରଫ କରିବାକୁ ଯାଇ ତାଙ୍କୁ ପାଇ ନଥିଲେ। ୧୯୩୮ ଅଗଷ୍ଟ ୧୨ରେ ଢେଙ୍କାନାଳ ଅଳସୁଆ ହାଟରେ ଏକ ବଡ଼ ଧରଣର ପ୍ରତିବାଦ ସଭା (ରାଜା ଶାସନର) ସ୍ଵର୍ଗତ ଧଳଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ସଭାକୁ ବାରଣ କରି ରାଜ୍ୟ ପ୍ରଶାସନ ୧୪୪ ଧାରା ଜାରି କରିଥିଲେ ମଧ୍ୟ ଏହି ସଭାରେ ମାଳତୀ ଚୌଧୁରୀ,ହରେକୃଷ୍ଣ ମହତାବ ଭଳି ସଂଗ୍ରାମୀ ଯୋଗ ଦେଇଥିଲେ। ଏହାପରେ ଧଳ ଛଦେଶ ଓ ଲକ୍ଷ୍ମୀପ୍ରସାଦ ଅଞ୍ଚଳର ସମ୍ପୂର୍ଣ ଦାୟିତ୍ବରେ ରହିଲେ ଏବଂ ତା ୮.୧୧.୧୯୩୮ରେ କଟକ ଜିଲ୍ଲା ତିଗିରିଆ ଗଡର ଘୋଳପୁର କ୍ୟାମ୍ପରେ ଗିରଫ ହୋଇ ବାଙ୍କୀ ସବ୍ଜେଲ୍ରେ ବନ୍ଦୀହୋଇ ରହିଲେ ୧୪.୧୧.୧୯୩୮ରେ ତାଙ୍କୁ ବାଙ୍କୀ ଜେଲରୁ କଟକ ଜେଲ ଏବଂ ୧୨.୬.୩୯ରେ ଜାମିନିରେ ଆସିଲେ। ୧୯୪୨ ଅଗଷ୍ଟ ୯,ଭାରତଛାଡ ଆନ୍ଦୋଳରେ ମହାତ୍ମାଗାନ୍ଧୀଙ୍କ ‘କର ବା ମର’ ଡାକରାରେ ଅଗଷ୍ଟ ୧୦ରେ ସ୍ୱର୍ଗତ ଧଳଙ୍କ ଘର ଏବଂ ଗ୍ରାମ ଉପରେ ପୋଲିସ ବାହିନୀ ଚଢ଼ାଉକରି ୨ୟ ବାର କାରାବରଣ କଲେ ଏବଂ ଢେଙ୍କାନାଳ ଜେଲରେ କିଛିଦିନ ରହି ଆଠଗଡ଼ ଜେଲ ସ୍ଥାନାନ୍ତର ହେଲେ ଏବଂ ବନ୍ଦୀ ବିନିମୟ ସୂତ୍ରରେ ୨୦.୧.୧୯୪୩ରେ ଢେଙ୍କାନାଳ ଜେଲ ଏବଂ ଅସୁସ୍ଥତା କାରଣରୁ ୧ ସପ୍ତାହ ପରେ ଜେଲରୁ ମୁକ୍ତ ହେଲେ। ଢେଙ୍କାନାଳ ୧୯୪୭ରେ ବ୍ରିଟିଶ ପାର୍ଲାମେଣ୍ଟରେ ଭାରତ ସ୍ଵାଧିନତା ଆଇନ ଗୃହୀତ ହେଲା ଏବଂ ରାଜା ରାଜୁଡ଼ା ଶାସନର ଅନ୍ତହେଲା। ଢେଙ୍କାନାଳ ରାଜ୍ୟ ସ୍ବାଧୀନ ହୋଇ ରହିବ,ନା ଓଡ଼ିଶା ପ୍ରଦେଶରେ ମିଶିବ,ତାହା ଏ ସମସ୍ୟା ହୋଇ ଓଡିଶା ଓ ଭାରତ ସରକାରଙ୍କ ଆଗରେ ଉଭା ହେଲା। ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ ନିଖିଳ ଉତ୍କଳ ପ୍ରଜା ପରିଷଦର ସମ୍ପାଦକ ତଥା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ସହାୟତରେ ସ୍ୱର୍ଗତ ଧଳ ସ୍ୱେଚ୍ଛାସେବୀ ଛଦେଶର ୪୦ ଜଣ ଯୁବକକଙ୍କୁ ନେଇ ଗଢିଥିବା ଲାଲବାହିନୀ ଓ ଢେଙ୍କାନାଳ ପ୍ରଜାମଣ୍ଡଳର ନେତୃତ୍ବ ନେଇ ରାଜାକୁ ଗାଦିଚ୍ୟୁତ କରି ପ୍ରଜାମଣ୍ଡଳର ଶାସନ ନିଜ ହାତକୁ ନେଇ ଢ଼େଙ୍କାନାଳ ରାଜ୍ୟକୁ ଓଡ଼ିଶା ପ୍ରଦେଶରେ ମିଶାଇବାରେ ମୁଖ୍ୟ ଭୂମିକା ନେଇଥିଲେ ୧୯୪୮ ମସିହାରେ। ସ୍ଵର୍ଗତ ଧଳ ୧୯୬୧ରୁ ୧୯୬୫ ପର୍ଯ୍ୟନ୍ତ ଢେ଼ଙ୍କାନାଳ ଜିଲ୍ଲାର ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ ଏବଂ ପରେ ଅନୁଗୁଳ କେନ୍ଦ୍ର ସଂଯୁକ୍ତ ବ୍ୟାଙ୍କରେ ସଭାପତି ଏବଂ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଭାପୁର ଛଦେଶ ଅଞ୍ଚଳର ଭୋଳେଶ୍ବର ଧଳ ଉଚ୍ଚ ବିଦ୍ୟାଳୟର ସଭାପତି,ବାଲ୍ୟମ୍ବା ପଞ୍ଚାୟତ ସରାକପାଟଣା ତନ୍ତୁବାୟ ସମିତିର ସଭାପତି,ବାବା ପଶ୍ଚିମେଶ୍ବର ଶିବ ମନ୍ଦିର ପରିଚାଳନା ପରିଷଦ ସଭାପତି,ଜନତା ଖାଉଟି ସମବାୟ ସମିତି ସଭାପତି ଇତ୍ୟାଦିରେ ଅଧିଷ୍ଠିତ ହୋଇଥିଲେ। ତାଙ୍କ ଦ୍ଵାରା ରଚିତ ୧୯୮୦ରେ‘ଭୁଲିବୁ ନାହିଁ ୧ମ ଓ ୨ୟ ଦୁଇଟି ବହି ସାରା ଦେଶରେ ଓ ବାହାରେ ବେଶ୍ ଆଦୃତ ହୋଇଥିଲା। ବ୍ରଜ କିଶୋର ଧଳ ଶେଷ ଜୀବନ ପର୍ଯ୍ୟନ୍ତ ଆଞ୍ଚଳିକ ତଥା ଗାଁର ଉନ୍ନତୀ ପାଇଁ କାର୍ଯ୍ୟରିତ ଥିଲେ ଏବଂ ସଦା ସର୍ବଦା ଖଦଡ଼ବସ୍ତ୍ର ପରିଧାନ କରି ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଥିଲେ। ତାଙ୍କ ସ୍ତ୍ରୀ ଇନ୍ଦୁମତୀ ଧଳ ମଧ୍ୟ ଜିଲ୍ଲାପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇ ସେ ୧୯୬୧ ଠାରୁ ୧୯୬୩ ପର୍ଯ୍ୟନ୍ତ ସେ ଜିଲ୍ଲା ପରିଷଦ ସଭାପତି ରହିଥିଲେ। ସ୍ୱର୍ଗତ ଧଳଙ୍କ କର୍ମମୟ ଜୀବନର ଅବସାନ ଘଟିଲା । ତାଙ୍କର ୧୭.୬.୨୦୦୧ରେ ଦେହାନ୍ତ ହୋଇଥିଲା । ଏଭଳି ଜଣେ ସୁପୁତ୍ର ପାଇଁ ଛଦେଶ ତଥା ଢେଙ୍କାନାଳ ସଦା ଗର୍ବିତ ରହିବ ।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

