୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ
ସଂଘ ପକ୍ଷରୁ ଓଡିଶାର ସମସ୍ତ ବିଧାୟକ, ମନ୍ତ୍ରୀ ଓ ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ ପରେ ବି ମିଳିଲାନି ନ୍ୟାୟ
ରୁପ୍ରା, ୨୯/୧୧ (ଅଜୟ ସେନାପତି ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଥିଲେହେଁ ମୁଖ୍ୟତଃ ୧୩ଟି ଦାବିକୁ ନେଇ ସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ୮୦ ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେହେଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସମୁହ। ତେବେ ବିଧାନସଭାରେ ଏହି ସମସ୍ଯା ଗୁଡିକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମିଳିଥିବା ବେଳେ ବର୍ତ୍ତମାନ ଯାଏଁ କିଛି ଜଣା ନପଡିବାରୁ ୫ଦିନ ହେଲା କଳା ବ୍ୟାଚ୍ ଲଗାଇ ବିଦ୍ୟାଳୟ ସମ୍ମୁଖରେ ସ୍କୁଲ୍ ଛୁଟିହେବା ପରେ ଧାରଣା ଦେବାସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି । ନର୍ଲାର ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସମେତ ରାଜ୍ୟର ଆଉ ୩୧୩ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ସ୍ବର ଆଜି ଗୋଟିଏ ସ୍ବର ପାଲଟିଛି, “ଆମର ଦାବି ସରକାର ମାନି ନିଅନ୍ତୁ” ନାରା ଦେଉଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦୀର୍ଘ ୧୦ ବର୍ଷ ହେଲା ଆରମ୍ଭ ହେଲାଣି । ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ସିବିଏସଇ ବୋର୍ଡ ପରୀକ୍ଷାରେ ବିଗତ ବର୍ଷରେ ଭଲ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଟପ୍ ରାଙ୍କରେ ମଧ୍ୟ ସ୍ଥାନ ପାଇ ଆସୁଅଛନ୍ତି । JEE /NEET ଭଳି ପରୀକ୍ଷାରେ ମଧ୍ୟ ବେଶ ସଫଳତା ହାସଲ କରୁଛନ୍ତି ଏହି ସଫଳତାକୁ ନେଇ ରାଜ୍ୟ ସରକାର ରାଜ୍ୟ ବାହାରେ ଆଦର୍ଶ ବିଦ୍ୟାଳୟର ଗାରିମାକୁ ନେଇ ଡିମଡିମା ପିଟୁଛନ୍ତି । ମାତ୍ର ଦୀପତଳ ଅନ୍ଧାର ପରି ବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ନିଯୁକ୍ତ ଅଛନ୍ତି ସେମାନଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଆଜି ଘୋର ସଙ୍କଟରେ , ଆମେ ସରକରୀ କର୍ମଚାରୀ ନୁହଁ , ଆମ ବିଦ୍ୟାଳୟ ର ପିଲା ମାନେ ଛାତ୍ରବୃତ୍ତି ପରିକ୍ଷାରୁ ବଞ୍ଚିତ ହେଉଛନ୍ତି , ଶିକ୍ଷକ ମାନଙ୍କର ଚାକିରୀରେ ସର୍ତ୍ତାବଳୀ (କ୍ଯାଡ୍ ରୁଲ) ନାହିଁ, ଏଯାଏଁ ୨୪ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଜି ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ କାଣୀ କୋଉଡି ଟିଏ ବି ପାଇଲେ ନାହିଁ , ସମାନ କାମକୁ ସମାନ ଦରମା ଭଳି ଅନେକ ସମସ୍ଯା ଭିତରେ ଘାଣ୍ଟି ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସରକାରଙ୍କର ଏଭଳି ବୈମାତୃକ ମନୋଭାବ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ସରକାରୀ ଚାକିରି ଛାଡି ଏହି ସଂଗଠନ ରେ ନିୟୋଜିତ ହୋଇଥିବା ବେଳେ ସରକାରଙ୍କର ଏହିପରି ଅବହେଳାକୁ ସେମାନେ ନିରାଶ ହୋଇଥିବା କହିଛନ୍ତି। ବର୍ତ୍ତମାନ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆବେଦନ କରିବାକୁ ପଛଘୁଞ୍ଚା ଦେଉଥିବା ଶିକ୍ଷକ ସମୁହ କହିଛନ୍ତି । ଦୀର୍ଘ ୧୦ ବର୍ଷ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଦାବିପତ୍ର ମାଧ୍ୟମରେ ବାରମ୍ବାର ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରକଳ୍ପ ଅଧିକାରୀ, ଉପରିସ୍ଥ ଅଧିକାରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ, ସମସ୍ତ ଜନପ୍ରତିନିଧି (ଏମ୍.ଏଲ.ଏ,ଏମ୍.ପି.)ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଛନ୍ତି, ମାତ୍ର ସମସ୍ତ ଉଦ୍ୟମ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ।
ଯାହା ଫଳରେ ଶିକ୍ଷକ ସମାଜରେ ଆନ୍ଦୋଳନର ମୁଣ୍ଡ ଟେକିଛି । ଏପରି ଅନିଶ୍ଚିତତା ଭିତରେ ଅନେକ ଶିକ୍ଷକ-ଶିକ୍ଷୟତ୍ରୀ ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଛାଡି ଅନ୍ୟତ୍ର ଚାକିରୀ କରିବାକୁ ଚାଲିଯାଉଛନ୍ତି । ତଥାପି ରାଜ୍ୟ ସରକାରଙ୍କ ଚେତା ପଶିନାହିଁ । ରାଜ୍ୟ ସରକାରଙ୍କ ଏହି ପରି ମନୋଭାବ ଆଦର୍ଶ ବିଦ୍ୟାଳୟର ଉନ୍ନତି ଦିଗରେ ବିରାଟ ବାଧା ସୃଷ୍ଟି କରିପାରେ ଏଥିରେ ସନ୍ଦେହ ନାହିଁ । ଏବେବି ସମୟ ଅଛି ସରକାର ଆମ ଦାବି ମାନି ନିଅନ୍ତୁ ନହେଲେ ଡିସେମ୍ବର ୮ ରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ । ପରିଣତି ଯାହା ହେବ ସେଥିପ୍ରତି ସରକାର ଦାୟୀ ରହିବେ ବୋଲି ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟିତ୍ରୀ ମତ ପ୍ରକାଶ କରିଛନ୍ତି ।
ତାଙ୍କର ଦାବୀ ମଧ୍ୟରେ ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, HRMS ID ମାଧ୍ୟମରେ ଦରମା ଦେବା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ହାଇସ୍କୁଲ ଶିକ୍ଷକଙ୍କ ପରି ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକଟି ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା, ପ୍ରତ୍ୟେକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା, ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା, ଜୁନିୟର କ୍ଲାର୍କ କର୍ମଚାରୀଙ୍କ ଚାକିରି ନିୟମିତ କରିବା, ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବା, ବିଦ୍ୟାଳୟ ଓ ଗଣଶିକ୍ଷା ଛାତ୍ରଛାତ୍ରୀ ଭଳି ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ, ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା, ପୂର୍ବବତ୍ ରାଜ୍ୟସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା ଓ ପିଏମ୍ ଶ୍ରୀ ସ୍କୁଲରେ ଓଏଭିକୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

