ବିଶିଷ୍ଟ ରାଜସ୍ବ ନିରୀକ୍ଷକ ତଥା ହୋମିଓ ଚିକିତ୍ସକ ହର ନାରାୟଣ ମିଶ୍ରଙ୍କ ମହାପ୍ରୟାଣ
ଢେଙ୍କାନାଳ: ତା.୨୦.୧୨.୨୦୨୫ ରିଖ:( ) ରାଜପୁରୋଧା ସ୍ଵର୍ଗତ ପଦ୍ମନାଭ ମିଶ୍ରଙ୍କ ସାନଭାଇ ଢେଙ୍କାନାଳ ନୂଆଶାସନ ନିବାସୀ ସ୍ୱର୍ଗତ ଚକ୍ରଧର ମିଶ୍ରଙ୍କ ବଡ଼ ପୁଅ ହର ନାରାୟଣ ମିଶ୍ର ଗତକାଲି ସନ୍ଧ୍ୟା ୭.୪୦ ରେ ପ୍ରାୟ ୭୯ ବର୍ଷ ବୟସରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଇହଲୀଳା ସମ୍ବରଣ କରିଛନ୍ତି। ସେ ପ୍ରାୟ ଏକ ବର୍ଷ କାଳ ଶଯ୍ୟାଶାୟୀ ହୋଇ ଚିକିତ୍ସାଧିନ ଅବସ୍ଥାରେ ଉତ୍ତମ ସେବା ଯତ୍ନରେ ସ୍ୱ ଗୃହରେ ଅବସ୍ଥାନ କରୁଥିଲେ।ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ,ଏକମାତ୍ର ପୁତ୍ର,ପୁତ୍ରବଧୁ,ଦୁଇ କନ୍ୟା,ଦୁଇ ଜୋଇଁ,ସମସ୍ତଙ୍କର ସନ୍ତାନ ସନ୍ତତି,ଭାଇ,ଭଉଣୀ,ଜୋଇଁ, ବନ୍ଧୁ,ପରିବାର ବର୍ଗ,ଜ୍ଞାତିକୁଟୁମ୍ବ,ସାଇ ପଡ଼ିଶା ଓ ବହୁ ଶୁଭେଚ୍ଛୁ ବୃନ୍ଦ ଉପସ୍ଥିତ ଥିଲେ।ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ଢେଙ୍କାନାଳ ସୁଆଗିସ୍ଥିତ ଶ୍ମଶାନରେ ଯଥାବିଧି ଦାହ କାର୍ଯ୍ୟ ସମାପନ କରାଯାଇଥିଲା। ତାଙ୍କର ଜ୍ୟେଷ୍ଠ ପୁତ୍ର ଆଶୁତୋଷ ମିଶ୍ର ମୁଖାଗ୍ନି ପ୍ରଦାନ କରିଥିଲେ।ସ୍ଵର୍ଗତ ହର ନାରାୟଣ ମିଶ୍ରଙ୍କର କର୍ମମୟ ଜୀବନ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ଥିଲା ପୁରୀ ଜିଲ୍ଲାର ସାତଶଙ୍ଖ ଠାରେ,ମାତ୍ର ଜଣେ ରାଜସ୍ବ ନିରୀକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଖଜୁରିଆକଟା, ପିଙ୍ଗୁଆ ଓ ଢେଙ୍କାନାଳରେ କଟିଥିଲା। ପରିଶେଷରେ ଢେଙ୍କାନାଳରେ ଜିନ୍ଦଲ ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟକରି ସେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ।ସମଗ୍ର ଚାକିରୀ ଜୀବନରେ କେବେ ମଧ୍ଯ କାହାଠାରୁ କୌଣସି ଉତ୍କୋଚ ଗ୍ରହଣ ନକରି ଅତି ସଚ୍ଚୋଟ ଓ ସ୍ପଷ୍ଟବାଦୀ ମଣିଷ ଭାବରେ ସମସ୍ତଙ୍କୁ ଯଥାସାଧ୍ୟ ସାହାଯ୍ୟ କରି ନିଜର କର୍ମମୟ ଘଟଣାବହୁଳ ଜୀବନଟି ଅତି ସୁନ୍ଦର ଅମାୟିକ ଭାବରେ ସମ୍ପୂର୍ଣ୍ଣ କରି ସର୍ବ ଜନାଦୃତ ହୋଇପାରିଥିଲେ।ସେ ଜଣେ ଲେଖକ ତଥା ହୋମିଓ ଚିକିତ୍ସକ ଭାବରେ କାହାଠାରୁ କୌଣସି ଅର୍ଥ ଗ୍ରହଣ ନକରି ମାଗଣାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ ସହ ଔଷଧ ମଧ୍ୟ ବିତରଣ କରୁଥିଲେ। ସେ ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ, ସ୍ନେହୀ,ପରୋପକାରୀ, ଧର୍ମପ୍ରାଣ ଓ ସମାଜରେ ଜଣେ ଉଦାହରଣର ଦେବାଭଳି ମଣିଷ ଥିଲେ।ସେ ତାଙ୍କର ସରଳତା ଓ ଆତ୍ମୀୟତା ଭାବ ଦ୍ଵାରା ସମସ୍ତଙ୍କୁ ନିଜର କରିପାରୁଥିଲେ I ଅନେକ ସମୟରେ ତାଙ୍କର ଉପସ୍ଥିତି,ଗମ୍ଭୀର ପରିବେଶକୁ ହାଲୁକା କରିଦିଏ I ତାଙ୍କର ମିଶାଣିଆ ସ୍ଵଭାବ ଯୋଗୁଁ ସମସ୍ତେ ତାଙ୍କୁ ଭଲପାଆନ୍ତି ଓ ସମ୍ମାନ ଦିଅନ୍ତି I ସେ ଜଣେ ଶାନ୍ତ,ସରଳ ନିଷ୍କପଟ ହୃଦୟର ମଣିଷ ଥିଲେ,ସମସ୍ତଙ୍କ ଠାରୁ ଯଥେଷ୍ଟ ବଡ଼ ଥିଲେ ମଧ୍ୟ ସମସ୍ତେ ତାଙ୍କ ସହିତ ଅତି ନିବିଡ଼ତା ସହକାରେ ,ଅତି ଆତ୍ମାୟୀୟତାର ସହ ମିଶି ପାରୁଥିଲେ। ସମସ୍ତଙ୍କ ପାଇଁ ହରଭାଇନା ଭାବରେ ସେ ସୁପରିଚିତ ଥିଲେ।ଆଜିର ଦୁନିଆଁରେ ଏମିତି ସରଳ ମଣିଷଟିଏ ମିଳିବା ଅତ୍ୟନ୍ତ ବିରଳ। ସମସ୍ତେ ତାଙ୍କ ସ୍ନେହ ଶ୍ରଦ୍ଧାକୁ ଜୀବନ ସାରା ମନେ ରଖିବେ। ତାଙ୍କର ଏପରି ହଠାତ୍ ଚାଲି ଯିବାଟା ସମସ୍ତଙ୍କ ପାଇଁ ଅଗ୍ରହଣୀୟ ଓ ମୋଟେ ବିଶ୍ୱାସ କରିହେଉନି ଓ ସମସ୍ତଙ୍କୁ ଦାରୁଣ ଦୁଃଖ ଦେଇଛି।ତାଙ୍କ ମର ଶରୀର ଆଉ ନଥିଲେ ମଧ୍ୟ ତାଙ୍କର ଆତ୍ମାକୁ ଚିର ଶାନ୍ତି ମିଳୁ,ଏହାହିଁ ସମସ୍ତେ ଆନ୍ତରିକ କାମନା କରିଛନ୍ତି। ତାଙ୍କର ଏହି ଅବର୍ତ୍ତମାନରେ ତାଙ୍କୁ ଜାଣିଥିବା ସମସ୍ତେ ଶୋକ ପ୍ରକଟ କରି ଅଶ୍ରୁଳ ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଡ଼ା.ଦେବୀ ପ୍ରସାଦ ମିଶ୍ର,

