ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଛତ୍ରପୁର ୨୬.୦୧.୨୬ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ ମୁଖ୍ୟ ଅତିଥି ରୁପେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନମନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେଯେ, ଆଜିର ଏହି ପବିତ୍ର ଗଣତନ୍ତ୍ର ଦିବସ ଆମ ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବର ଦିବସ ।

           ଘୁମୁସୁର ବିଦ୍ରୋହ, ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ୱାଧୀନତା ସଂଗ୍ରାମ ପଦଧ୍ୱନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି । ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ବୀରତ୍ୱ ଇତିହାସରେ ସୁନାର ଅକ୍ଷରରେ ଲିପିବଦ୍ଧ ହୋଇରହିଛି ।  ଗଞ୍ଜାମ ମାଟିର ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣି ପଟ୍ଟନାୟକ, ଶଶିଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ୱନାଥ ଦାସ, ବାଞ୍ଛାନିଧି ପଟ୍ଟନାୟକ, ହରିହର ପଟ୍ଟନାୟକ, ଈଶ୍ୱର ସାହୁ, କୁଞ୍ଜଲତା ଦେବୀ, ଘନଶ୍ୟାମ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ନନ୍ଦକିଶୋର ମିଶ୍ର, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀଙ୍କୁ ଏହି ଅବସରରେ ଭକ୍ତିପୂତ ପ୍ରଣାମ ଜଣାଇଥିଲେ । 

          ଗଞ୍ଜାମ ମାଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳକୃଷ୍ଣ, ବାସୁଦେବ ରଥଶର୍ମାଙ୍କୁ ଜନ୍ମ ଦେଇଛି, ଯେଉଁମାନେ ଓଡ଼ିଶା ସାହିତ୍ୟ ଓ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତି ।

            ଓଡ଼ିଶାର ସାମାଜିକ-ସାଂସ୍କୃତିକ-ରାଜନୈତିକ-ଅର୍ଥନୈତିକ ଓ ଆଧ୍ୟାତ୍ମିକ ବିକାଶରେ ଗଞ୍ଜାମର ଅବଦାନ ଅତୁଳନୀୟ । ଗଞ୍ଜାମ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତି ଅନନ୍ୟ । ଗୋପାଳପୁର ବେଳାଭୂମି ମହୋତ୍ସବ ଠାରୁ ଆରମ୍ଭକରି ଜିଲ୍ଲାର ସମସ୍ତ ବଡ  ମହୋତ୍ସବରେ ଆମେ ଆମର ଲୋକକଳା ଓ ଲୋକନୃତ୍ୟକୁ ପ୍ରାଧାନ୍ୟ ଦେଉଛୁ । କାରଣ ଏଗୁଡିକ ଆମର ପ୍ରକୃତ ପରିଚୟ ।

                 ନୂଆ ବର୍ଷ ରେ ‘’ପ୍ରଗତି ପାଇଁ ପ୍ରତିଜ୍ଞା’’ ଅଭିଯାନ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି । ପରିବେଶ ସୁରକ୍ଷା ଓ ଏହାର ସମୃଦ୍ଧି ଏହାର ଲକ୍ଷ୍ୟ । ଏହି ଅଭିଯାନରେ ସାମିଲ ହୋଇ ପ୍ରଚୁର ପରିମାଣରେ ଚାରା ରୋପଣ ଓ ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସେ ଅନୁରୋଧ କରିଥିଲେ । ଜିଲ୍ଲାର ୟୁ.ପ.ଏସ୍.ସି. ଓ ଅନ୍ୟାନ୍ୟ ପ୍ରଶିକ୍ଷାର୍ଥୀଙ୍କ ମାର୍ଗ ଦର୍ଶନ ପାଇଁ ‘’ଲକ୍ଷ୍ଯ ନିକେତନ’’ ଆରମ୍ଭ କରାଯାଇଛି । ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରତିଭାଶାଳୀ ଯୁବକ ମାନଙ୍କୁ ଭଞ୍ଜନଗର, ବ୍ରହ୍ମପୁର ଓ ଛତ୍ରପୁର ଉପଖଣ୍ଡରେ ମାଗଣାରେ ହଷ୍ଟେଲ ସୁବିଧା, ପୁସ୍ତକାଳୟ ସୁବିଧା ସହିତ କୋଚିଂ ଦିଆଯିବାର ବ୍ଯବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସମସ୍ତ କାର୍ଯ୍ଯାଳୟକୁ ପେପରଲେସ୍ କରିବା ପାଇଁ ଆମେ ପ୍ରତିବଦ୍ଧ । ତାଙ୍କ କାର୍ଯ୍ୟାଳୟ ପ୍ରାୟତଃ କାଗଜମୁକ୍ତ ହୋଇସାରିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପ୍ୟାରେଡରେ ୩୭ ଟି ଦଳ ଅଂଶ ଗ୍ରହଣ କରିଥିଲେ । ୪ ଟି ଦଳ ଶାରୀରିକ କ୍ରୀଡା ପ୍ରଦର୍ଶନ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ବିକାଶ ଚନ୍ଦ୍ର ସେନାପତି ଓ ସେକେଣ୍ଡ ଇନ କମାଣ୍ଡ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିଶ୍ବମ୍ବର କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ୟାରେଡ୍ ପରିଚାଳିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ସିମାଞ୍ଚଳ ପାତ୍ର, ଡାକ୍ତର ରାଜେନ୍ଦ୍ର ପ୍ରଧାନ କ୍ରୀଡାବିତ୍ ଶ୍ରୀମାନ୍ ତେପ୍ପାଲା ଶଙ୍କର ସଫଳ ଚାଷୀ ଶ୍ରୀ କେଦାର ଜେନା, ଦାସକାଠିଆ ଗାୟକ ଭୂଷଣ, ଶ୍ରୀ ଉପେନ୍ଦ୍ର ପାଣିଗ୍ରାହୀଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ ପରେପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ।

       ଏହି ସମାରୋହରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ, ଉପାଧ୍ଯକ୍ଷା ଏସ୍. ରାଜେଶ୍ବରୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ସୁଧାଂଶୁ କୁମାର ଭୋଇ, ସୁନୀଲ କୁମାର କେର୍କେଟା ଓ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଉପ- ଜିଲ୍ଲାପାଳ ଶୀବାଶିଷ ବରାଳଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ଅଧିକାରୀ, ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରୁ ଓ୍ବିନର୍ ଏବଂ ରନର୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ହାରା ଜିଲ୍ଲା ପ୍ରଶାସନ ତରଫରୁ ଟ୍ରଫି ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜନରାଜ୍ୟ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

            ଏହି ଜାତୀୟ ଦିବସ ଉପଲକ୍ଷେ ପୂର୍ବାହ୍ନ ୧୧ ଘ. ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣ ମାଧ୍ୟମ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ବାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ ଓ ଗଣମାଧ୍ୟମ ଏକାଦଶ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଗଣମାଧ୍ଯମର ବ୍ଯକ୍ତି ବିଶେଷ ଖେଳିଥିଲେ । ଅପରାହ୍ନ ୩ ଘ. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ ଓ ସଂପାଦ ଦିଲ୍ଲୀପ କୁମାର ପଲେଇଙ୍କ ଅଧ୍ୟକ୍ଷତାରେ ବହୁଭାଷୀ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବିତା ଗୁଡିକୁ ସଂଯୋଜନା ତୁଳସୀରାମ ମେହେର ସଂଯୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସରକାରୀ ବିଜ୍ଞାନ ମହାବିଦ୍ଯାଳୟର ଅଧ୍ଯକ୍ଷ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଧ୍ଯା ସମୟରେ ପି.ଏମ୍.ଶ୍ରୀ ଅନସ୍ଲୋ ହାଇସ୍କୁଲରେ ବିଦ୍ଯାଳୟ ଓ ମହାବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ମଧ୍ଯରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

 

Related posts

ସୁବାଷ ବୋଷ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ଡାଲଗୁମା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

Leave a Comment

error: Content is protected !!