ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ 

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ 

ଗଞ୍ଜାମର ଜୀବନରେଖା ଭାବେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ସୋରଡ଼ା ବ୍ଳକର ପିପଳପଙ୍କା ଠାରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ନଦୀବନ୍ଧ ଜରିଆରେ ଋଷିକୂଲ୍ୟାର ପାଣିକୁ ଶହେ କି.ମି ଲମ୍ବା ପାଇପ୍ ଲାଇନ୍ ଯୋଗେ ନିଆଯାଇ ଛତ୍ରପୁର ଓ ଗୋପାଳପୁର ଶିଳ୍ପ କରିଡ଼ର଼ରେ ଥିବା ଶିଳ୍ପମାନଙ୍କୁ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଉପର ମୁଣ୍ଡରୁ ପାଣିକୁ କମ୍ପାନୀମାନଙ୍କ ପାଇଁ ନେଇଗଲେ ଋଷିକୂଲ୍ୟା ନଦୀ ଜଳଶୁନ୍ୟ ହୋଇଯିବ ଏବଂ ତା’ ଉପରେ ନିର୍ଭରଶୀଳ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଚାଷ ଓ ପିଇବା ପାଣି ପ୍ରଭାବିତ ହେବ ବୋଲି ଆଜି ଋଷିକୂଲ୍ୟା ନଦୀ ସୁରକ୍ଷା କନ୍‌ଭେନ୍‌ସନ୍‌ରେ ମତ ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଳବାୟୁ ସଙ୍କଟ ଓ ନଦୀଶଯ୍ୟାରୁ ବ୍ୟାପକ ବାଲି ଖନନ ଫଳରେ ବର୍ତ୍ତମାନ ଋଷିକୂଲ୍ୟା ନଦୀ ଏକ ଶୁଷ୍କ ନଦୀରେ ପରିଣତ ହୋଇଛି। ବର୍ଷାଦିନର ତିନି ଚାରି ମାସକୁ ଛାଡ଼ିଲେ ବର୍ଷର ଅଧିକାଂଶ ସମୟ ନଦୀରେ କୌଣସି ପାଣି ରହୁନି। ଏପରି ସ୍ଥଳେ ଉପରମୁଣ୍ଡରୁ ନଦୀର ପାଣି ନେଇ କମ୍ପାନୀଙ୍କୁ ଦେଇଦେଲେ ନଦୀ ଉପରେ ଚାଷ ଓ ପିଇବା ପାଣି ପାଇଁ ନିର୍ଭରଶୀଳ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ। ନଦୀର ପାଣି ଶୁଖିଗଲେ ଦୁଇ ପାଶ୍ୱର୍ରେ ଥିବା ଶତାଧିକ ଗ୍ରାମର ଭୂତଳ ଜଳ ହ୍ରାସ ପାଇ ଗ୍ରାମବାସୀଙ୍କ ପାଇଁ ସଙ୍କଟ ସୃଷ୍ଟି ହେବ। ଏହା ସହ ନଦୀର ପାଣି ଉପରେ ନିର୍ଭର କରୁଥିବା ବ୍ରହ୍ମପୁର, ଆସିକା, ପୁରୁଷୋତ୍ତମପୁର, ଛତ୍ରପୁର, ଗଞ୍ଜାମ, ଗୋପାଳପୁର ଆଦି ସହରର ଲକ୍ଷାଧିକ ବାସିନ୍ଦାଙ୍କ ପିଇବା ପାଣି ବ୍ୟବସ୍ଥା ପ୍ରଭାବିତ ହେବ। ପୁନଶ୍ଚ ନଦୀର ପାଣି କମିଗଲେ ନଦୀ ମୁହାଣ ଦେଇ ସମୁଦ୍ରର ଲୁଣି ପାଣି ବହୁତ ଭିତରକୁ ଆସିବା ଫଳରେ ଲୋକଙ୍କ ଚାଷ ଓ ପିଇବା ପାଣି କ୍ଷତିଗ୍ରସ୍ତ ହେବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟାର ସୁରକ୍ଷା ପାଇଁ ଲଗାତାର ଅଭିଯାନ ଚଳାଇ ଆସିଥିବା ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଏନ୍‌ଜିଓ ହଲ୍ ଠାରେ ଜିଲ୍ଲାର ସବୁ ରାଜନୈତିକ ଦଳର ନେତା ଓ ଲୋକ ପ୍ରତିନିଧିମାନଙ୍କୁ ଡ଼ାକି ଏକ ରାଉଣ୍ଡ ଟେବୁଲ କନ୍‌ଭେନସନ୍ ଅନୁଷ୍ଠିତ ହୋଇଥିଲା। କମିଟିର ଆବାହକ ସୁଧୀର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କନ୍‌ଭେନସନ୍‌ରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କମିଟିର ସଂଯୋଜକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଋଷିକୂଲ୍ୟା ନଦୀର ବର୍ତ୍ତମାନର ସ୍ଥିତି ଏବଂ ଅବାଧ ବାଲି ଖନନ ଓ ପ୍ରସ୍ତାବିତ ପିପଳପଙ୍କା ଡ଼୍ୟାମ୍ ଦ୍ୱାରା କିଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି, ତା’ର ଉପସ୍ଥାପନା କରିଥିଲେ। କମ୍ପାନୀଙ୍କ ସ୍ୱାର୍ଥରେ ସରକାର ଯେଉଁ ନଦୀବନ୍ଧ କରିବାକୁ ଯାଉଛନ୍ତି ତା’ରି ଫଳରେ ଆଗାମୀ ଦିନରେ ଜିଲ୍ଲାର କୃଷି, କୃଷକ, ମତ୍ସ୍ୟଜିବୀ ଓ ଋଷିକୂଲ୍ୟାର ପାନୀୟ ଜଳ ଉପରେ ନିର୍ଭରଶୀଳ ସାଧାରଣ ଜନତା ସଙ୍କଟରେ ପଡ଼ିବେ ବୋଲି କହିଥିଲେ। ଦଳମତ ନିର୍ବିଶେଷଲ୍ସେବୁ ରାଜନୈତିକ ନେତା, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସମସ୍ତେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଆଗେଇ ଆସିବାକୁ ନିବେଦନ କରିଥିଲେ।

କନ୍‌ଭେନସନ୍‌ରେ ଯୋଗଦେଇ ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ଡ଼ାଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଞ୍ଜାମ ବାସୀଙ୍କ ସ୍ୱାର୍ଥରେ ଋଷିକୂଲ୍ୟା ସୁରକ୍ଷା ଅଭିଯାନକୁ ସମର୍ଥନ କରିଥିଲେ ଏବଂ ଦଳମତ ନିର୍ବିଶେଷରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ। କଂଗ୍ରେସର ଗଞ୍ଜାମ ପୂର୍ବ କମିଟି ସଭାପତି ରଶ୍ମୀ ରଂଜନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ଋଷିକୂଲ୍ୟା ନଦୀ ଓ ତା’ ଉପରେ ନିର୍ଭରଶୀଳ ଗଞ୍ଜାମବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପିପଳପଙ୍କାରେ ଡ଼୍ୟାମ୍ ନିର୍ମାଣକୁ ବିରୋଧ କରିଥିଲେ ଏବଂ ନଦୀ ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରିଥିଲେ। ସିପିଏମ୍‌ର ଜିଲ୍ଲା ସମ୍ପାଦକ ଯୁଦ୍ଧିଷ୍ଠିର ବେହେରା ନିଜର ବକ୍ତବ୍ୟ ରଖି ଋଷିକୂଲ୍ୟା ନଦୀର ପାଣିକୁ କମ୍ପାନୀମାନଙ୍କୁ ଦେବାକୁ ତଥା ଅବାଧ ବାଲି ଖନନକୁ ବିରୋଧ କରିଥିଲେ। ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଋଷିକୂଲ୍ୟା ସୁରକ୍ଷା ଆନ୍ଦୋଳନକୁ ସମର୍ଥନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ସିପିଆଇ(ଏମ୍‌ଏଲ୍‌) ରେଡ଼ଷ୍ଟାରର ଜିଲ୍ଲା ସମ୍ପାଦକ ଶଙ୍କର ଇନ୍‌କିଲାବ୍‌, ସିପିଆଇ(ଏମ୍‌ଏଲ୍‌) ନିଉ ଡ଼େମୋକ୍ରାସୀର ଜିଲ୍ଲା ସମ୍ପାଦକ ପ୍ରତାପ ନାୟକ, ଏସ୍‌ୟୁସିଆଇ(ସି)ର ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଗଞ୍ଜାମ ବ୍ଳକ୍‌ର ମତ୍ସ୍ୟଜୀବି ନେତା ମାଗତା ବେହେରା, ପିପଳପଙ୍କା ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପକ୍ଷର କାଳୀଚରଣ ନାୟକ, ଗଞ୍ଜାମ ଜିଲ୍ଲା ବିକାଶ ମଂଚ ପକ୍ଷରୁ ରାଜେନ୍ଦ୍ର ପଣ୍ଡା, ଗଗନ ଚନ୍ଦ୍ର ମଳିକ, ଲେଖିକା ଡ଼ଃ ବିଧୂପ୍ରଭା ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସାମ୍ବାଦିକ ରବି ରଖ ପ୍ରମୁଖ ଋଷିକୂଲ୍ୟା ନଦୀ ଓ ଗଞ୍ଜାମବାସୀଙ୍କ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଜଳଭଣ୍ଡାର ଓ ଅବାଧ ବାଲି ଖନନକୁ ବିରୋଧ କରିଥିଲେ। ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ମଧ୍ୟ ନିଜର ବକ୍ତବ୍ୟରେ ଋଷିକୂଲ୍ୟା ନଦୀର ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ସୁବାଷ ମହାରଣା, ଆପ୍ ନେତା ସୁବାଷ ରାଉତ, ଶ୍ରମିକ ନେତା ପି.ପାର୍ବତୀ, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଅଧ୍ୟାପକ ଲୋକନାଥ ପରିଡ଼ା, ସଞ୍ଜୀବ ରେଡ୍ଡୀ, କିଶୋର ସ୍ୱାଇଁ, ଲକ୍ଷ୍ମୀ ନୃସିଂହ ରଥ, ଶ୍ରମିକ ନେତା ଅଳକନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କମିଟିର ସଦସ୍ୟ ଅଶୋକ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। 

 

Related posts

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

masiha

କଳାହାଣ୍ଡି ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ

masiha

A Leading Researcher in the field of MEP : Er.Jitendra Yadav

Sunil Chandra Nayak

Leave a Comment

error: Content is protected !!