ପ୍ରଭୁ ବିଷ୍ଣୁଙ୍କ ଏହି ଅନନ୍ତ ଶୟନ ପୀଠଟି ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ୬୭ କିଲୋମିଟର, ପରଜଙ୍ଗ ଠାରୁ ୧୦ କିଲୋମିଟର, ଅନୁଗୁଳରୁ ୨୩ କିଲୋମିଟର, ତାଳଚେରରୁ ୯ କିଲୋମିଟର ଏବଂ ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗ ଗେଟ ନିକଟରୁ ମାତ୍ର ୧୨ ଶହ ମିଟର ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀ ଗର୍ଭରେ ଥିବା ପ୍ରଭୁ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତୀରେ ରହିଛି ଭଗବାନ ବିଷ୍ଣୁଙ୍କ ୪ଟି ହାତ । ଯେଉଁ ଚାରୋଟି ହାତରେ ଶଙ୍ଖ, ଚକ୍ର ,ଗଦା ଏବଂ ପଦ୍ମ ଫୁଲ ରହିଛି । ଏବଂ ତାଙ୍କ ମୁଣ୍ଡକୁ ଅନନ୍ତ ସର୍ପ ଘେରି ରହିଥିବା ଦେଖିବାକୁ ମିଳିବ । ତୀକ୍ଷଣ ଥୋଡ଼ ,ବିଶିଷ୍ଟ ନାକ ଏବଂ ମୁଣ୍ଡରେ ମୁକୁଟ ରହିଛି । ଯାହାକୁ କିରିଟ ମୁକୁଟ କୁହାଯାଏ । ଏବଂ ନାଭିରେ ପଦ୍ମ ଆକୃତିର ବ୍ରହ୍ମା ଧ୍ୟାନରେ ବସିଥିବା ଦେଖି ପାରିବେ । ତେବେ ଐତିହ୍ୟ ସମ୍ପନ୍ନ ଏହି ପଥର ମୂର୍ତ୍ତି ଧୀରେ ଧୀରେ ଲୀନ ହେବାକୁ ବସିଲାଣି । ମୂର୍ତ୍ତିର ଅନେକ ଅଂଶ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି । ଦକ୍ଷିଣ ଭାରତର ଗୋମତେଶ୍ୱର ପଥର ମୂର୍ତ୍ତୀ ପରେ ଏହା ହେଉଛି ଭାରତର ଦ୍ୱିତୀୟ ବିଶାଳକାୟ ମୂର୍ତ୍ତି । ତେବେ ଶର୍ଯ୍ୟାଶାୟୀ ମୂର୍ତ୍ତି ଭାବରେ ଏହା ହେଉଛି ପୃଥିବୀର ସର୍ବଶ୍ରେଷ୍ଠ ବିଶାଳକାୟ ପଥର ମୂର୍ତ୍ତୀ । ଏହି ପୀଠକୁ ପ୍ରତିଦିନ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟକ ଲୋକ ଦେଖିବାକୁ ଆସିଥାନ୍ତି । ତେବେ ପୀଠର ଦାୟିତ୍ବହୀନତା ଯୋଗୁଁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା !
ବିଷ୍ଣୁଙ୍କ ଏହି ଅନନ୍ତ ଶୟନ ମୂର୍ତ୍ତୀ ଓଡିଶା ପର୍ଯ୍ୟଟନରେ ସ୍ଥାନ ପାଇଥିଲେ ମଧ୍ୟ ସରକାର ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ପର୍ଯ୍ୟଟନରୁ ଏହା ହଜି ଯିବା ସହ ବ୍ରାହ୍ମଣୀ ନଦୀରେ ଲୀନ ହୋଇଯିବ ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍