ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ
ବ୍ରହ୍ମପୁର, ତା.୨୬/୦୩ ଆଜି ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ ଅବସରରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ରେଜିଷ୍ଟରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟର ଅଧିକାଂଶ ସରକାରୀ ବିଶ୍ଵବିଦ୍ୟାଳୟଗୁଡ଼ିକ ଏକ ପ୍ରକାର ନିଷ୍କ୍ରିୟ ଅବସ୍ଥାରେ ଗତି କରୁଛନ୍ତି। ବିଧାନସଭା ଅଧିବେଶନରେ ଆପଣଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବାନୁଯାୟୀ ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ୨୦୭୯ ଅଧ୍ୟାପକ ପଦବୀରୁ ୧୪୩୪ ପଦ ଖାଲି ପଡିଛି । ସେହିପରି ୨୯୪୦ ମଞ୍ଜୁରୀ ପ୍ରାପ୍ତ ଶିକ୍ଷା କର୍ମଚାରୀ ରହିବା ସ୍ଥାନରେ ୨୧୭୧ ପଦବୀ ଖାଲି ପଡିଛି । ଅଧିକାଂଶ ସ୍ଥାନରେ କୁଳପତି ପଦବୀ ଫାଙ୍କା ପଡିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ ବିଶ୍ବବିଦ୍ୟାଳୟ ଗୁଡିକ କିପରି ଚାଲିଛି। ବିଶ୍ବବିଦ୍ୟାଳୟଗୁଡିକରେ କୁଳପତି ପରି ସର୍ବୋଚ୍ଚ ପଦବୀ ଖାଲି ପଡ଼ିଥିବାରୁ ପ୍ରଶାସନିକ ତଥା ଶୈକ୍ଷିକ ନିଷ୍ପତ୍ତି ଗ୍ରହଣରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅଧ୍ୟାପକ, ପ୍ରଫେସର ଅଭାବରୁ ନିୟମିତ କ୍ଲାସ ହୋଇ ପାରୁନାହିଁ, ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ସ୍ଥାୟୀ ପ୍ରଫେସର ଓ ଗାଇଡ୍ମାନଙ୍କ ଅଭାବରୁ ବିଶ୍ବବିଦ୍ୟାଳୟ ସ୍ତରରେ ଗବେଷଣାମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି। ଆବଶ୍ୟକୀୟ କର୍ମଚାରୀ ନଥୁବାରୁ ବିଶ୍ବବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟ, ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଅହେତୁକ ବିଳମ୍ବ ଘଟୁଛି। ତେଣୁ ୧.ରାଜ୍ୟର ଯେଉଁ ସବୁ ସରକାରୀ ବିଶ୍ଵବିଦ୍ୟାଳୟରେ କୁଳପତି ପଦବୀ ଖାଲି ଅଛି, ସେଠାରେ ତୁରନ୍ତ ଯୋଗ୍ୟ କୁଳପତି ନିଯୁକ୍ତି ପ୍ରଦାନ କରିବା, ୨. ଖାଲି ପଡ଼ିଥିବା ସମସ୍ତ ଅଧ୍ୟାପକ ଓ ପ୍ରଫେସର ପଦବୀଗୁଡିକୁ ଅବିଳମ୍ବେ ପୂରଣ କରିବା, ୩. ବିଶ୍ବବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ଖାଲି ପଡିଥିବା ସମସ୍ତ ଶିକ୍ଷା କର୍ମଚାରୀ ପଦବୀରେ ତୁରନ୍ତ ନିଯୁକ୍ତି ପ୍ରଦାନ କରାବା ପାଇଁ ଏଆଇଡିଏସ୍ଓ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନାରାୟଣ ସାହୁଙ୍କ ସମେତ ଜିଲ୍ଲା କମିଟି ସଭ୍ୟା ଶୁଭସ୍ମିତା ପାଣିଗ୍ରାହୀ, ଜିଲ୍ଲା କମିଟି ସଭ୍ୟ କାମରାଜ ସାହୁ, ବାମିଆ ଉଗ୍ରସେଣ୍ଡି ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

