ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

କରୋନାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଆମେ କେତେ ପ୍ରଭାବିତ?

କରୋନାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଆମେ କେତେ ପ୍ରଭାବିତ?

ମାନବ ସଭ୍ୟତାର ଇତିହାସ ସବୁବେଳେ ସଂଘର୍ଷର କାହାଣୀ କହିଥାଏ। କିନ୍ତୁ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଯେଉଁଭଳି ଭାବେ ଦୁର୍ଭାଗ୍ୟର ପେଡ଼ି ଖୋଲିଛି,ତାହା ପୃଥିବୀର ମାନଚିତ୍ରକୁ ଓଲଟପାଲଟ କରିଦେଇଛି।୨୦୨୦ର ସେହି ଅଭିଶପ୍ତ ସମୟ,ଯେତେବେଳେ କରୋନା ନାମକ ଏକ କ୍ଷୁଦ୍ର ଅଦୃଶ୍ୟ ଭୂତାଣୁ ସାରା ବିଶ୍ୱକୁ ‘ଲକ୍-ଡାଉନ୍’ କରିଦେଇଥିଲା,ସେତେବେଳେ ମଣିଷ ଭାବିଥିଲା ଏହାହିଁ ଶେଷ ସୀମା।କିନ୍ତୁ ସେହି ମହାମାରୀର କ୍ଷତ ଏବେ ବି ଶୁଖିନି,ଶ୍ମଶାନର ନିଆଁ ଏବେ ବି ଲିଭିନି, ଅଥଚ ମଣିଷର ରକ୍ତପିପାସୁ ପ୍ରବୃତ୍ତି ଆଜି ମଧ୍ୟପ୍ରାଚ୍ୟକୁ ଏକ ବିଶାଳ ବାରୁଦ ଗଦାରେ ପରିଣତ କରିସାରିଛି।ଆମେ ଭାରତୀୟ ଭାବେ ଏହି ଦୁଇଟି ମହାବିପତ୍ତିର ମଧ୍ୟବର୍ତ୍ତୀ ସମୟରେ କେତେ ପ୍ରଭାବିତ,ତାହାର ହିସାବ କେବଳ ଟଙ୍କା ପଇସାରେ ନୁହେଁ,ବରଂ ଆମର ଅସ୍ତିତ୍ୱ ଏବଂ ଭବିଷ୍ୟତର ଆଶଙ୍କାରେ ଲୁଚି ରହିଛି।

      କରୋନା କେବଳ ଏକ ରୋଗ ନଥିଲା,ଏହା ଥିଲା ଏକ ଆର୍ଥିକ ଓ ସାମାଜିକ ଦୁର୍ଗତିର ସୁନାମି।ଭାରତ ପରି ଏକ ଜନବହୁଳ ଦେଶରେ ଏହାର ପ୍ରଭାବ ଏବେ ବି ପ୍ରତିଟି ମଧ୍ୟବିତ୍ତ ପରିବାରର ରୋଷେଇ ଘରୁ ଆରମ୍ଭ କରି ପିଲାଙ୍କ ଶିକ୍ଷା ପର୍ଯ୍ୟନ୍ତ ଅନୁଭୂତ ହେଉଛି। ମହାମାରୀ ସମୟରେ ଯେଉଁ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଥିଲା,ତାହା ଏବେ ବି ସମ୍ପୂର୍ଣ୍ଣ ସଳଖି ପାରିନାହିଁ।କ୍ଷୁଦ୍ର ବ୍ୟବସାୟୀଙ୍କ ପୁଞ୍ଜି ଶେଷ ହୋଇଛି ଏବଂ ବେକାରୀ ସମସ୍ୟା ଏକ ଜଟିଳ ରୂପ ଧାରଣ କରିଛି।ଯେତେବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳତା ପଦାରେ ପଡ଼ିଲା,ସେତେବେଳେ ଆମେ ବୁଝିଲେ ଯେ ଜୀବନ କେତେ ସାମାନ୍ୟ।ଏହି ମହାମାରୀ ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ‘ନର୍ମାଲ’ ହେବାକୁ ଚେଷ୍ଟା କରୁଥିଲେ,ସେତେବେଳେ ବିଶ୍ୱ ରାଜନୀତିରେ ଯୁଦ୍ଧର କଳାବାଦଲ ଆମ ମୁଣ୍ଡ ଉପରେ ମାଡ଼ି ଆସିଲା।ଆମେ ସମସ୍ତେ ଜାଣୁ ମଧ୍ୟପ୍ରାଚ୍ୟ ବା ମିଡିଲ୍-ଇଷ୍ଟ୍ ବିଶ୍ୱର ଶକ୍ତି ଭଣ୍ଡାର।ଏଠାରେ ଚାଲିଥିବା ଇସ୍ରାଏଲ-ହମାସ କିମ୍ବା ଇରାନ-ୟୁସଏ-ଇସ୍ରାଏଲ ସଂଘର୍ଷ କେବଳ ଦୁଇଟି ଦେଶର ଲଢ଼େଇ ନୁହେଁ।ଏହା ସାରା ବିଶ୍ୱର ଯୋଗାଣ ଶୃଙ୍ଖଳା (ଗ୍ଲୋବାଲ ସପ୍ଲାଇ ଚେନ)କୁ ପ୍ରଭାବିତ କରୁଛି।ଭାରତ ନିଜର ଆବଶ୍ୟକୀୟ ଅଶୋଧିତ ତୈଳର ପ୍ରାୟ ୮୫% ଆମଦାନୀ କରିଥାଏ। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ମାନେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି। ଯଦି ବ୍ୟାରେଲ ପିଛା ଦର ୧୦୦ ଡଲାର ଟପିଯାଏ,ତେବେ ଭାରତର ଆର୍ଥିକ ଅଭିବୃଦ୍ଧି ହାର କମିବା ସହ ବଜେଟ୍ ନିଅଣ୍ଟ ବଢ଼ିବ।ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟି ଉପରେ ପଡ଼ିବ, ଯାହାଙ୍କ ପାଇଁ ପନିପରିବାଠାରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯିବ।ଭାରତର ପଶ୍ଚିମ ଏସିଆ ନୀତି ଏବେ ଏକ ବଡ଼ ପରୀକ୍ଷାର ସମ୍ମୁଖୀନ।ଏପଟେ ଆରବ ଦେଶମାନଙ୍କ ସହ ସୁସମ୍ପର୍କ ଏବଂ ସେପଟେ ଇସ୍ରାଏଲ୍ ସହ ରଣନୈତିକ ବନ୍ଧୁତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଭାରତ ପାଇଁ ଏକ କଣ୍ଟକିତ ପଥ।ଯଦି ଆମେ ପରିସଂଖ୍ୟାନକୁ ଦେଖିବା,କରୋନା କାଳରେ ଭାରତର ଜିଡିପି ସଙ୍କୁଚିତ ହୋଇଥିଲା।ଏବେ ଧୀରେ ଧୀରେ ଅର୍ଥନୀତି ସୁଧୁରିବା ବେଳକୁ ଯୁଦ୍ଧ ଯୋଗୁଁ ମୁଦ୍ରାସ୍ଫୀତି ଏକ ବଡ଼ ବାଧା ହୋଇ ଛିଡ଼ା ହୋଇଛି।ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ‘ସେଭିଙ୍ଗସ୍’କୁ ଶେଷ କରିଦେଉଛି।ବଜାରରେ ସୁନା ଦର ବୃଦ୍ଧି ପାଇବା ଏବଂ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଆମ ଆର୍ଥିକ ନିରାପତ୍ତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

       ମଧ୍ୟପ୍ରାଚ୍ୟରେ ପ୍ରାୟ ୯୦ ଲକ୍ଷରୁ ଅଧିକ ଭାରତୀୟ କାର୍ଯ୍ୟ କରନ୍ତି। ସେମାନେ ଭାରତକୁ ପଠାଉଥିବା ବିଦେଶୀ ମୁଦ୍ରା ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।ଯଦି ଯୁଦ୍ଧର ବ୍ୟାପ୍ତି ବଢ଼େ,ତେବେ ସେମାନଙ୍କ ଜୀବନ ଓ ଜୀବିକା ବିପଦରେ ପଡ଼ିବ।ପୂର୍ବରୁ କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଫେରିଆସିଥିଲେ,ଯାହା ଭାରତୀୟ ଶ୍ରମ ବଜାର ଉପରେ ଚାପ ପକାଇଥିଲା। ଏବେ ଯୁଦ୍ଧ ଯୋଗୁଁ ଯଦି ସମାନ ସ୍ଥିତି ଉପୁଜେ,ତେବେ ଏହା ଏକ ଭୟଙ୍କର ସାମାଜିକ ବିସ୍ଫୋରଣର କାରଣ ହୋଇପାରେ।

      ମଣିଷ କେବଳ ଖାଇବା ପାଇଁ ବଞ୍ଚେନାହିଁ,ସେ ଶାନ୍ତିରେ ବଞ୍ଚିବାକୁ ଚାହେଁ।କରୋନା ସମୟରେ ଆମେ ପ୍ରିୟଜନଙ୍କୁ ହରାଇବାର ଯେଉଁ ଭୟ ଦେଖିଥିଲେ, ଆଜି ଯୁଦ୍ଧର ବିଭୀଷିକା ସେହି ଭୟକୁ ଦ୍ୱିଗୁଣିତ କରିଛି। ଟିଭି ପରଦାରେ ଛୋଟ ପିଲାଙ୍କ ରକ୍ତାକ୍ତ ଶରୀର ଏବଂ ବିସ୍ଫୋରଣର ଦୃଶ୍ୟ ଆମର ଯୁବପିଢ଼ିଙ୍କୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି।ଏହା ଏକ ସାମୂହିକ ଅବସାଦ ସୃଷ୍ଟି କରୁଛି। ଭବିଷ୍ୟତ ପ୍ରତି ଅନିଶ୍ଚିତତା ଆମକୁ ଏକ ସ୍ଥାଣୁ ସମାଜ ଆଡ଼କୁ ଠେଲି ଦେଉଛି।

        କରୋନା ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଥିବା ସାମଞ୍ଜସ୍ୟ ହେଉଛି—ଉଭୟ କ୍ଷେତ୍ରରେ ସାଧାରଣ ନିରୀହ ଜନତା ବଳି ପଡ଼ନ୍ତି।ଶାସକଙ୍କ ନିଷ୍ପତ୍ତି କିମ୍ବା ପ୍ରକୃତିର ପ୍ରକୋପ,ସବୁବେଳେ ମାଡ଼ ହୁଏ ସେହିମାନଙ୍କ ଉପରେ ଯେଉଁମାନେ ଶାନ୍ତିରେ ଦି’ମୁଠା ଖାଇବାକୁ ଚାହାଁନ୍ତି।ବର୍ତ୍ତମାନ ପ୍ରଶ୍ନ ଉଠେ ଆମେ ପ୍ରଭାବିତ କି?ହଁ, ଆମେ ଗଭୀର ଭାବେ ପ୍ରଭାବିତ।ଆମର ସଞ୍ଚିତ ଅର୍ଥ କମୁଛି, ଆମର ସ୍ୱାସ୍ଥ୍ୟ ବିପଦରେ ଏବଂ ଆମର ଶାନ୍ତି ହଜିଯାଇଛି।କିନ୍ତୁ ଏହି ଅନ୍ଧକାର ମଧ୍ୟରେ ବି ଭାରତ ଭଳି ଏକ ସଭ୍ୟତାକୁ ଛିଡ଼ା ହେବାକୁ ପଡ଼ିବ।ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ—ଶକ୍ତି କ୍ଷେତ୍ରରେ,ଖାଦ୍ୟ କ୍ଷେତ୍ରରେ ଏବଂ ମାନସିକ ସ୍ତରରେ।ବିଶ୍ୱ ଆଜି ଏକ ଏମିତି ଛକ ଉପରେ ଛିଡ଼ା ହୋଇଛି,ଯେଉଁଠି ଗୋଟିଏ ଭୁଲ ନିଷ୍ପତ୍ତି ସଭ୍ୟତାକୁ ଶତାବ୍ଦୀ ବର୍ଷ ପଛକୁ ଠେଲି ଦେଇପାରେ।

ଯୁଦ୍ଧ ନୁହେଁ, ଶାନ୍ତି ହିଁ ଏକମାତ୍ର ପନ୍ଥା। କରୋନା ଶିଖାଇଥିଲା ଯେ ମଣିଷ ଜାତି କେତେ ଅସହାୟ,ଆଉ ଯୁଦ୍ଧ ଶିଖାଉଛି ମଣିଷ କେତେ ନିର୍ଦ୍ଦୟ।ଏହି ଦୁଇଟି ମଧ୍ୟରେ ଯଦି ମାନବିକତା ନଜିତିବ, ତେବେ ଇତିହାସ ଆମକୁ କେବେବି କ୍ଷମା ଦେବ ନାହିଁ।

(ପ୍ରଜ୍ଞା ପ୍ରସାଦ ତଥାଗତ ,ରମ୍ଭା,ଗଞ୍ଜାମ)

Related posts

ଆଜିର ଦିବସର ଅନୁଚିନ୍ତା : ଫେବୃୟାରୀ ୨୮: ବିଜ୍ଞାନର ବିଜୟ ଗାଥା ଓ ଇତିହାସର ଏକ ଅନନ୍ୟ ଦିଗ୍ ଦର୍ଶନ

Sunil Chandra Nayak

ଆଜି ୮୮ତମ ଓଡ଼ିଶା ଦିବସ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୨ ତାରିଖ :ଧରିତ୍ରୀର ସୁରକ୍ଷା ଓ ଇତିହାସର ପଦଧ୍ୱନି 

Sunil Chandra Nayak

Leave a Comment

error: Content is protected !!