ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

ଭୁବନେଶ୍ଵର/ରାଉରକେଲା : ସରକାରୀ ଉଦ୍ୟୋଗ କିମ୍ବା ବୋର୍ଡ ସାଧାରଣତଃ ସରକାରୀ ଅର୍ଥର ବିନିଯୋଗରେ କାର୍ଯ୍ୟ କରେ ଏବଂ ସରକାରଙ୍କ ପ୍ରତ୍ୟେକ ବିଭାଗ ଅନୁରୂପ ଅଡିଟ ପରିସରଭୁକ୍ତ ହେବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା । ଏହାର ବାର୍ଷିକ ଆର୍ଥିକ ଅଡିଟ ବା ଷ୍ଟାଚୁଟାରୀ ଅଡିଟ୍ ନିୟମିତ ହୁଏ ନାହିଁ। କେବଳ ଏତିକି ନୁହେଁ; ବର୍ଷ ବର୍ଷ ଧରି ଏହି ଧାରା ଚାଲିଛି । ସରକାରୀ ଅର୍ଥର ଅଡିଟ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଅଡିଟ ପରିସରରେ ଆସିବା କଥା ହେଲେ ଏହି ସଂସ୍ଥାରେ ଏହାର ନାମଗନ୍ଧ ନାହିଁ । ଆରଟିଆଇ ତଥ୍ୟ ଅନୁଯାୟୀ ସଂସ୍ଥାରେ ଏଜି ଅଡିଟର କୌଣସି ଉଲ୍ଲେଖ ନାହିଁ । ଏଜି ଅଡିଟ ବ୍ୟତିତ ରାଜ୍ୟ ସରକାରଙ୍କ ଅଡିଟରଙ୍କ ଦ୍ବାରା ଏଫିସିଏନ୍ସି ଅଡିଟ ହେବା କଥା । କିନ୍ତୁ ନାମକୁ ମାତ୍ର ୧୯୯୨-୯୩ ଠାରୁ ୨୦୦୧-୦୨ ଆର୍ଥିକ ବର୍ଷ ପାଇଁ ୨୦୦୩-୦୪ ରେ ସରକାରୀ ଅଡିଟ ହୋଇଥିଲେ ବି ଏହାର ରିପୋର୍ଟ ସାର୍ବଜନୀନ କରାଯାଉନାହିଁ କିମ୍ବା ଏହି ଅଡିଟ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଏପରିକି ଆରଟିଆଇ ମାଧ୍ୟମରେ ଏହାର ରିପୋର୍ଟ ମଧ୍ୟ ଉପଲବ୍ଧ କରାଯାଇନାହିଁ। କୌଣସି ଏକ ଘରୋଇ କଂପାନୀ ଭଳି ଏହି ସଂସ୍ଥାର ଅଡିଟ ଘରୋଇ ଅଡିଟର ( ଚାଟାର୍ଡ ଆକାଉଣ୍ଟାଣ୍ଟ) ଦ୍ଵାରା କେବଳ ଆୟକର ଅଡିଟ୍ ଉଦ୍ଦେଶ୍ୟରେ କରାଯାଉଛି । ହାଉସିଂ ବୋର୍ଡ ର ନିୟମ ଅନୁସାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ ବାର୍ଷିକ ଆୟ ବ୍ୟୟ ହିସାବ ହୋଇ ସରକାରଙ୍କ ଦ୍ଵାରା ନିଯୁକ୍ତ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏହାର ଷ୍ଟାଚ୍ୟୁଟାରୀ ଅଡିଟ୍ କରିବା ବିଧେୟ । ବାର୍ଷିକ ହିସାବ ଓ ଷ୍ଟାଚୁଟାରୀ ଅଡିଟ ରିପୋର୍ଟ ବୋର୍ଡରେ ଉପସ୍ଥାପିତ ହୋଇ ଗୃହିତ ହେଲା ପରେ ଏହା ସରକାରଙ୍କ ପାଖକୁ ପ୍ରେରଣ କରାଯିବ। ସରକାର ଏହାକୁ ତର୍ଜମା କରି ଜନସାଧାରଣଙ୍କ ସୂଚନା ପାଇଁ ବିକ୍ରୟ ଉପଲବ୍ଧ ହେବ। କିନ୍ତୁ ଏକ ଆରଟିଆଇ ତଥ୍ୟ ଅନୁସାରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ହିସାବ ଓ ଅଡିଟ ୨୦୧୭ ଆର୍ଥିକ ବର୍ଷ ପଯ୍ୟନ୍ତ କେବଳ ଘରୋଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ସଂପନ୍ନ ହୋଇଛି। ତାହା ପୁଣି ୬ ବର୍ଷ ପରେ ଅର୍ଥାତ୍ ଏହାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ୨୦୨୪ ରେ ଦସ୍ତଖତ କରି ରିପୋର୍ଟ ଦେଇଛନ୍ତି। ଆରଟିଆଇ ତଥ୍ୟ ଅନୁସାରେ ୨୦୧୮-୧୯ ଠାରୁ ୨୦୨୪-୨୫ ପଯ୍ୟନ୍ତ ବାର୍ଷିକ ହିସାବ ପ୍ରସ୍ତୁତ କରାଯାଇ ନାହିଁ ଓ ହିସାବ ନିରୀକ୍ଷକ ମଧ୍ୟ ନିଯୁକ୍ତି ହୋଇନାହିଁ। 

 ଘରୋଇ ସଂସ୍ଥା ମାନେ ମଧ୍ୟ ନିୟମିତ ଅଡିଟ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ ଘରୋଇ ଅଡିଟରଙ୍କ( ଚାଟାର୍ଡ ଆକାଉଣ୍ଟାଣ୍ଟ) ଦ୍ୱାରା ସଂପନ୍ନ ଏହି ଅଡିଟରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କିମ୍ବା ଅଧ୍ୟକ୍ଷଙ୍କ ଦସ୍ତଖତ ରହୁ ନାହିଁ ବରଂ ଆର୍ଥିକ ପରିଚାଳନା କରୁଥିବା ଅଧିକାରୀ ଏଫ.ଏ ଓ ସି.ଏ.ଓ ନିଜ ଖର୍ଚ୍ଚର ଅଡିଟ ନିଜ ସୁବିଧା ଅନୁଯାୟୀ କରି ନିଜେ ଏଥିରେ ଦସ୍ତଖତ କରି କାମ ସାରି ଦେଉଛନ୍ତି । ଅଡିଟର ମାନେ ମଧ୍ୟ ଏ ପ୍ରକାର ଅକ୍ଷମଣୀୟ ଭୁଲ୍ କୁ ଜାଣି ଶୁଣି ରିପୋର୍ଟ ରେ ଉଲ୍ଲେଖ କରୁନାହାନ୍ତି । ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ଜାଣତରେ ହେଉଛି କି ସଲାସୁତରାରେ ହେଉଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗର ଆର୍ଥିକ ପରିଚାଳନାରେ ବର୍ଷ ବର୍ଷ ଧରି ଏପରି ବଡ ତ୍ରୁଟି ଛୋଟ କର୍ମଚାରୀ ନୁହେଁ ବରଂ ବଡ଼ ଅଧିକାରୀଙ୍କ ବିନା ପ୍ରଶୟରେ ସମ୍ଭବ ନୁହେଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ସଂସ୍ଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନ ରେ ଥିଲେ ମଧ୍ୟ ମନ୍ତ୍ରୀ ଓ ସଚିବ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେଣୁ ହାଉସିଂ ବୋର୍ଡ ର ନିୟମ ଅନୁସାରେ ଏକ ସ୍ଵତନ୍ତ୍ର ଅଡିଟ କରାଇ ଦୁର୍ନୀତି ର ପର୍ଦ୍ଦାଫାର୍ସ କରାଯାଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

masiha

ଠିକା ସଂସ୍ଥା ଭିଜନ ଇଣ୍ଡିଆ, ପାୱାର ଏମ୍ପ୍ଲ୍ୟୋଇସ ୟୂନିଅନ ଓ ଟାଟା ପାୱାର ସହିତ ତ୍ରିପାକ୍ଷିକ ଆଲୋଚନା

Sunil Chandra Nayak

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

masiha

Leave a Comment

error: Content is protected !!