ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ପାଳିତ ହେବ “ଓଡ଼ିଆ ପକ୍ଷ-୨୦୨୬”: ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲାରେ ପାଳିତ ହେବ “ଓଡ଼ିଆ ପକ୍ଷ-୨୦୨୬”: ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:( ତା ୨୬.୩.୨୦୨୬)(ରବି ନାରାୟଣ ମହାନ୍ତି)ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସଠାରୁ ଏପ୍ରିଲ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ “ଓଡ଼ିଆ ପକ୍ଷ-୨୦୨୬” ଅତି ଶ୍ରଦ୍ଧାର ସହିତ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ପିରାମଲ ଫାଉଣ୍ଡେସନ ଅଫିସ ଚାମ୍ବରଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ୧୪ ଦିନିଆ କାର୍ଯ୍ୟକ୍ରମ ଅନୁଯାୟୀ, ଏପ୍ରିଲ ୧ରେ ଓଡ଼ିଶା ଦିବସ ଅବସରରେ ପ୍ରଭାତ ଫେରି , ମହାପୁରୁଷ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ,ସଭା,ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ହେବ। ଏପ୍ରିଲ ୨ରେ ଖଡ଼ିଛୁଆଁ ଦିବସ ଜିଲ୍ଲା ଶିକ୍ଷା ଓ ମଙ୍ଗଳ ଵିଭାଗ ଦ୍ୱାରା, ୩ରେ ପାରମ୍ପରିକ ପୋଷାକ ଦିବସ ହସ୍ତଶିଳ୍ପ ଓ ବୟନ ଶିଳ୍ପ ଉପ-ନିର୍ଦ୍ଦେଶକଙ୍କ ଦ୍ୱାରା ଏବଂ ୪ରେ ଓଡ଼ିଆ ନାମ ଫଳକ ଅଭିଯାନ, ସଚେତନତା ପଦଯାତ୍ରା ଜିଲ୍ଲା ଶ୍ରମ ବିଭାଗଦ୍ୱାରା ଆୟୋଜିତ ହେବ। ସେହିପରି ୫ରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ନେତୃତ୍ୱରେ ଗଣ ଦୌଡ଼, ୬ରେ ପର୍ଯ୍ୟଟନ କାର୍ଯ୍ୟଲୟ ଦ୍ୱାରା ଐତିହ୍ୟ ସ୍ଥଳୀ ,ଦେବାଳୟ , ପର୍ୟ୍ୟଟନ ସ୍ଥଳୀ ସ୍ୱଚ୍ଛତା ଅଭିଯାନ, ୭ରେ ଜିଲ୍ଲା ଶିକ୍ଷା ଓ ସଂସ୍କୃତି ବିଭାଗ ଦ୍ୱାରା ବର୍ଣ୍ଣବୋଧ ବଣ୍ଟନ ଏବଂ ୮ରେ ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟଲୟ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏପ୍ରିଲ ୯ରେ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହଯୋଗରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଓ ୧୦ରେ ଜିଲ୍ଲା ସଂସ୍କୃତି କାର୍ଯ୍ୟଲୟ ଦ୍ୱାରା ଲୋକକଳା ଦିବସ ପାଳିତ ହେବ। ପକ୍ଷର ଶେଷ ଭାଗରେ ଏପ୍ରିଲ ୧୧ ଓ ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଯୁବ ଲେଖକ ସମ୍ମିଳନୀ ଓ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ହେବାକୁ ଥିବାବେଳେ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ଓ ୧୪ରେ ଓଡ଼ିଆ ନବବର୍ଷ ଉପଲକ୍ଷେ ଝୋଟି, ମୁରୁଜ ଓ ପିଠାପଣା ପ୍ରତିଯୋଗିତା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ । ବ୍ଲକ ସ୍ତରରେ ସମସ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ବୈଠକରେ ପୂର୍ବ ବର୍ଷର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯିବା ସହ ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମ,ସାମାଜିକ ଗଣମାଧ୍ୟମ ଓ ସରକାରୀ ୱେବସାଇଟରେ ବ୍ୟାପକ ପ୍ରଚାର କରିବାକୁ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଶ୍ଵଜିତ ରାୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଛୋଟ ରାୟ ଟୁଡୁ,ନବରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ୧୪ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗ କାମନା କରିଥିଲେ।

Related posts

ସମାଜସେବୀ ପତିତପାବନ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

ମହାନ ସଂଘ ପକ୍ଷରୁ ଓଡିଶାର ବିନ୍ଧାଣୀ ଗଜପତିଙ୍କ ତିରୋଧାନ ଦିବସ ପାଳିତ 

masiha

ରାମକୃଷ୍ଣ ମେମୋରିଆଲ ହାଇସ୍କୁଲ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!