ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

ବ୍ରହ୍ମପୁର,ତା ୧୫/୦୪ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୧୦ ତାରିଖ ଦିନ ରାଜ୍ୟର ସମସ୍ତ କଲେଜ,ବିଶ୍ଵବିଦ୍ୟାଳୟ ମାନଙ୍କରେ ଚରମ ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇଛି । ଏହି ସଂହିତା ଅନୁଯାୟୀ, କ୍ୟାମ୍ପସ ମଧ୍ୟରେ କୌଣସି ସଭା,ସମିତି,ସମାବେଶ, ଆନ୍ଦୋଳନ କିମ୍ବା ହରତାଳ କରିବାକୁ ହେଲେ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ । ଏହି ଆଚରଣ ସଂହିତାକୁ ତୁରନ୍ତ ପ୍ରତ୍ୟାହାର କରିବା, ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣତାନ୍ତ୍ରିକ ଓ ଶୈକ୍ଷିକ ବାତାବରଣକୁ ସୁରକ୍ଷା ଦେବା, ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ(ଏଆଇଡିଏସଓ) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ରେଭେନସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ଚରମ ଦୁର୍ଦ୍ଦଶା ମଧ୍ଯଦେଇ ଗତି କରୁଛି। ଶିକ୍ଷା ଓ ସଭ୍ୟତା ବିରୋଧୀ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ କରାଯାଇଛି। ଫଳରେ ପାଠ ପଢ଼ା ଠାରୁ ଆରମ୍ଭ କରି ପରୀକ୍ଷା ଫଳ ପ୍ରକାଶନରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି।ହଜାର ହଜାର ସଂଖ୍ୟାରେ ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିବା ଓ ଫିସ ବୃଦ୍ଧି, ବିଭିନ୍ନ ସାଧାରଣ କୋର୍ସକୁ ସେଲ୍ଫଫାଇନାନ୍ସରେ ପରିଣତ କରିବା, ହଷ୍ଟେଲ ଅଭାବ, ଲାଇବ୍ରେରୀ ଓ ଲାବ୍ରୋଟରୀର ଅବ୍ୟବସ୍ଥା, ଗବେଷଣାର ଅନୁଦାନ ହ୍ରାସ ଭଳି ବହୁବିଧ ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରିଛି । ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ଏଣୁ ଏହି ସମସ୍ୟା ବିରୁଦ୍ଧରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ସଂଗଠିତ କରୁଛନ୍ତି । ଏହି ଆନ୍ଦୋଳନକୁ ଅଙ୍କୁରେ ବିନାଶ କରିବା ପାଇଁ ରାଜ୍ୟ ସରକାର ବିଜେପି ଗୋଟିଏ ପଟେ ଛାତ୍ରସଂସଦ ନର୍ବାଚନକୁ ବନ୍ଦ କରି ଦେଇଛନ୍ତି ଏବଂ ଅନ୍ୟପଟେ ହିଟଲରୀ ଶାସନ ସମ ଫାଶୀବାଦୀ ଆଚରଣ ସଂହିତା ଲାଗୁ କରିଛନ୍ତି । 

           ଏଠାରେ ସୁଚନାଯୋଗ୍ୟ, ପ୍ରତିବାଦ କରିବା, ଭିନ୍ନମତ ପୋଷଣ କରିବା, ସଂଗଠନ ତିଆରି କରିବା ଇତ୍ୟାଦି ହେଉଛି ପ୍ରତ୍ୟକ ନାଗରିକର ମୌଳିକ ଗଣତାନ୍ତ୍ରିକ ଅଧିକାର ଏବଂ ଦୀର୍ଘ ଦୁଇ ଶହ ବର୍ଷ ଧରି ବହୁ ଜୀବନ ବଳିଦାନ ଦେଇ ଇଂରେଜ ବିରୁଦ୍ଧରେ ରକ୍ତକ୍ଷୟୀ ସଂଗ୍ରାମ କରି ଦେଶବାସୀ ଏହି ଅଧିକାର ଅର୍ଜ୍ଜନ କରିଛନ୍ତି। ମାତ୍ର ରାଜ୍ୟ ସରକାର ଅତ୍ୟନ୍ତ ଅନ୍ୟାୟ ଭାବରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଂପୂର୍ଣ୍ଣଭାବେ ନିଜ ନିୟନ୍ତ୍ରଣକୁ ନେଇ କ୍ୟାମ୍ପସ ମଧ୍ୟରେ ନିଜର ସଭ୍ୟତା ବିରୋଧୀ ପ୍ରତିକ୍ରିୟାଶୀଳ ରାଜନୀତିକୁ ପ୍ରତିଷ୍ଠା କରିବା ପାଇଁ ଏହି ସଂହିତା ଲାଗୁ କରୁଛନ୍ତି। ଅର୍ଥାତ୍ ଛାତ୍ରଛାତ୍ରୀଙ୍କୁ ସେଇ ପୁରୁଣା ମଧ୍ୟଯୁଗୀୟ କୂପମଣ୍ଡୁକତା ଅନ୍ଧତା,କୁସଂସ୍କାର ସାମ୍ପ୍ରଦାୟିକତା ଚିନ୍ତା ମଧ୍ୟକୁ ନିକ୍ଷେପ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ତେଣୁ ଏହି ଧରଣର ଅତ୍ୟନ୍ତ ଶିକ୍ଷା ସଭ୍ୟତା ବିରୋଧୀ ଆଚରଣ ସଂହିତାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। 

                ଆଜିର ବିକ୍ଷୋଭରେ ସଂଗଠନର ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଜିଲ୍ଲା ଉପ-ସଭାପତି ପପୁନ୍ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ କିସାନ କୁମାର ସାହୁ, ଜିଲ୍ଲା କମିଟି ସମ୍ପାଦକ ମଣ୍ଡଳୀ ସଦସ୍ୟା ଶୁଭସ୍ମିତା ପାଣିଗ୍ରାହୀ ଓ କାମରାଜ ସାହୁଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related posts

କୁସୁର୍ଲା, ଯୋରାଡବରା- ମ.ରାମପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

masiha

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

Leave a Comment

error: Content is protected !!