ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ 

ନବରଙ୍ଗପୁର :(ତା ୨୦.୪.୨୦୨୬ (ରବିନାରାୟଣମହାନ୍ତି)”ଶ୍ରୀତକମଳାକୁଚମଣ୍ଡଳ ହେ ଶ୍ରେଣୀକୁଣ୍ଡଳ ଏ… ଜୟ ଜୟ ଦେବ ହରେ…”। ମହାକବି ଜୟଦେବଙ୍କ ଅମର ସୃଷ୍ଟି ‘ଗୀତ ଗୋବିନ୍ଦ’ର ଏହି ମଧୁର ମୂର୍ଚ୍ଛନା ମଧ୍ୟରେ ଆଜି ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଟିକା ସମୟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ ଏବଂ ବିଶିଷ୍ଟ କବି ତଥା ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜୟଦେବଙ୍କ ସାରସ୍ୱତ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସ୍ବାଗତ ଭାଷଣ ସହ ସଭାଟିକୁ ଆୟୋଜନ ଓ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡି.ସି.ସି. ସଙ୍ଗୀତ ସ୍କୁଲର ଛାତ୍ରଛାତ୍ରୀମାନେ ସଙ୍ଗୀତ ଗୁରୁ ଯୁଗଳ କିଶୋର ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ହୃଦୟସ୍ପର୍ଶୀ ଭଜନ ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ। ଏହି ଅବସରରେ ଜିଲ୍ଲାର ବହୁ ବିଶିଷ୍ଟ ବକ୍ତା ଓ ସାରସ୍ୱତ ସାଧକ ନିରଞ୍ଜନ ମିଶ୍ର, ସଙ୍ଗୀତା ତ୍ରିପାଠୀ, ବିଜୟ ମିଶ୍ର, ବିଜୟ ଚୌଧୁରୀ, ଜେମାମଣି ବିଷୋୟୀ, ମନୋରମା ମାଝୀ, ସ୍ୱର୍ଣ୍ଣଲତା ପଟ୍ଟନାୟକ,ମନୋଜ ପଟ୍ଟନାୟକ ଏବଂ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି କାର୍ତ୍ତିକ ଭତ୍ରା ପ୍ରମୁଖ ଯୋଗଦେଇ ମହାକବି ଜୟଦେବଙ୍କ ଜୀବନୀ, ତାଙ୍କ ପତ୍ନୀ ପଦ୍ମାବତୀଙ୍କ ସମର୍ପଣ ଏବଂ ଜଗନ୍ନାଥ ସଂସ୍କୃତି ସହ ଗୀତ ଗୋବିନ୍ଦର ନିବିଡ଼ ସମ୍ପର୍କ ବିଷୟରେ ଚମତ୍କାର ଭାବେ ବର୍ଣ୍ଣନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କେନ୍ଦୁଲି ଶାସନରେ ଜନ୍ମିତ ଏହି ମହାନ୍ କବିଙ୍କ ଲେଖନୀରେ ସ୍ଵୟଂ ଭଗବାନ କିପରି **”ଦେହି ପଦପଲ୍ଲବମୁଦାରମ୍…”** ପଦଟି ଲେଖିଥିଲେ, ସେହି ଅଲୌକିକ କାହାଣୀ ଶ୍ରୋତାଙ୍କୁ ଅଭିଭୂତ କରିଥିଲା।ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ, ଶ୍ରୀମନ୍ଦିରରେ ମାହାରୀ ନୃତ୍ୟ ଓ ସେବା ସହ ଗୀତ ଗୋବିନ୍ଦର ପ୍ରଚଳନ ଆମ ଓଡ଼ିଆ ଅସ୍ମିତାର ପରିଚୟ। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁଲି ଗ୍ରାମର ବିକାଶ, ସେଠାରେ ଗ୍ରନ୍ଥାଗାର ଓ ସ୍ମୃତି ପୀଠ ନିର୍ମାଣ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଏକ ବଡ଼ ସମ୍ମାନ। ୫୦ରୁ ଅଧିକ ଗବେଷକ, ସାମ୍ବାଦିକ ଓ କଳାକାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଶିକ୍ଷାର୍ଥୀଙ୍କ ପାଇଁ ଓଡ଼ିଶାର ଗୌରବମୟ ଇତିହାସ ଜାଣିବାର ଏକ ସୁଯୋଗ ସୃଷ୍ଟି କରିଥିଲା। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତି ସହକାରୀ ଆତ୍ମ ପ୍ରକାଶ ସାହୁ ଏବଂ କର୍ମଚାରୀ ଏ. ସନ୍ତୋଷ କୁମାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

ଚାରିବର୍ଷ ହେଲା ସରୁନି ଠେଙ୍ଗାଧରା-ମନ୍ଦାର ବଡନଦୀ ପୋଲ କାମ, ମୁଖ୍ୟ ଯନ୍ତ୍ରୀଙ୍କ ଟେବୁଲତଳେ ୱାଲ ଡିଜାଇନ୍ ଫାଇଲ, ଅସୁବିଧାରେ ୧୧ ପଞ୍ଚାୟତବାସୀ

Sunil Chandra Nayak

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!