ପାରିବାରିକ ସଂକଟକୁ ଜିତି ମାଟ୍ରିକରେ A1 ଗ୍ରେଡ୍—ପୂଜା ସ୍ୱାଇଁ ବ୍ଲକ ଟପ୍ପର
ପୁରୁଷୋତ୍ତମପୁର (୦୫/୦୫): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଟଙ୍କାଛାଇ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ସ୍ୱାଇଁ ଚଳିତ ବର୍ଷ ଦଶମ ପରୀକ୍ଷାରେ ୬୦୦ରୁ ୫୫୭ ମାର୍କ ରଖି A1 ଗ୍ରେଡ୍ ସହ ଉତ୍ତୀର୍ଣ୍ଣ ହୋଇ ଗାଁ ଓ ବିଦ୍ୟାଳୟର ଗୌରବ ବଢାଇବା ସହ ବ୍ଲକ ଟପ୍ପର ହୋଇଛନ୍ତି। ତାଙ୍କ ସଫଳତା ପଛରେ ଅଛି ଅନେକ ସଂଘର୍ଷ ଓ ଦୁଃଖର କାହାଣୀ। ପୂଜାଙ୍କ ପିତା ବାବୁ ସ୍ୱାଇଁ ସୁରତରେ କାମ କରୁଥିବା ସମୟରେ ମାନସିକ ସମସ୍ୟାରେ ପଡି ଗତ ୩ ବର୍ଷ ଧରି ନିଖୋଜ ଅଛନ୍ତି। ଏହା ସହ ତାଙ୍କ ମାତା ଝିଲି ସ୍ୱାଇଁଙ୍କ ସହାୟତା ବିନା ସେ ଏକାକୀ ଜୀବନ ଯାପନ କରି ଶିକ୍ଷାରେ ଅସାଧାରଣ ସଫଳତା ହାସଲ କରିଛନ୍ତି। ପାରିବାରିକ ସମସ୍ୟା ସତ୍ତ୍ୱେ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ତାଙ୍କୁ ସଫଳତାର ସିଢ଼ିରେ ପହଞ୍ଚାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ କୁମାର ମହନୀ, ବରିଷ୍ଠ ଶିକ୍ଷକ ଗୋଲକ ବିହାରୀ ସାହୁ, ସହକାରୀ ଶିକ୍ଷକ କେ. ଚନ୍ଦ୍ରଶେଖର ରାଓ ଓ ଅଶିମ କୁମାର ବେହେରା ପୂଜାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଛନ୍ତି। ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇ ଏହି ସଫଳତାକୁ ଉଦ୍ଯାପନ କରାଯାଇଛି। ଏହି ପରୀକ୍ଷାରେ ଅନ୍ୟ ଜଣେ ମେଧାବୀ ଛାତ୍ର ସୋନୁ ଗୌଡ଼ ମଧ୍ୟ ୫୪୦ ମାର୍କ ରଖି A1 ଗ୍ରେଡ୍ ହାସଲ କରିଛନ୍ତି। ଦୁଇଜଣ ଛାତ୍ରଛାତ୍ରୀଙ୍କ ଏହି ଉତ୍କୃଷ୍ଟ ଫଳାଫଳ ବିଦ୍ୟାଳୟକୁ ପୁରୁଷୋତ୍ତମପୁର ବ୍ଲକର ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କରାଇଛି। ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ ୬୦ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୨ ଜଣ A1, ୨ ଜଣ A2, ୪ ଜଣ B1, ୮ ଜଣ B2, ୧୪ ଜଣ C, ୧୭ ଜଣ D ଓ ୧୩ ଜଣ E ଗ୍ରେଡ୍ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂଜାଙ୍କ ସଫଳତା ଏବେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଏକ ଉଦାହରଣ ହୋଇଉଠିଛି।
ବିଜୟ କୁମାର ମହାପାତ୍ର ଙ୍କ ରିପୋର୍ଟ୍

