ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ପ୍ରତିଶ୍ରୁତି କେବଳ କଥାରେ ସୀମିତ : ଆଉଟସୋସିଂ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି 

ସରକାରଙ୍କ ପ୍ରତିଶ୍ରୁତି କେବଳ କଥାରେ ସୀମିତ : ଆଉଟସୋସିଂ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି 

ବ୍ରହ୍ମପୁର; ୧୧/୦୫ : ରାଜ୍ୟର ହଜାର ହଜାର ଆଉଟସୋସିଂ କର୍ମଚାରୀ ଆଜି ନିଜ ଭବିଷ୍ୟତକୁ ନେଇ ଗଭୀର ଅନିଶ୍ଚିତତାରେ ଜୀବନ ଯାପନ କରୁଛନ୍ତି। ବର୍ଷ ବର୍ଷ ଧରି ସରକାରୀ ବିଭାଗରେ କାମ କରି ଆସୁଥିବା ସତ୍ତ୍ୱେ ସେମାନଙ୍କ ପାଇଁ ନାହିଁ ଚାକିରିର ସ୍ଥାୟୀତ୍ୱ,ନାହିଁ ସାମାଜିକ ସୁରକ୍ଷା। ଏପରି ପରିସ୍ଥିତିରେ ନିଜ ନ୍ୟାୟସଙ୍ଗତ ଦାବି ନେଇ ଓଡ଼ିଶା ସରକାରୀ ଆଉଟସୋସିଂ କର୍ମଚାରୀ ମହାସଂଘ ଭୁବନେଶ୍ୱର ଲୋୟର ପିଏମଜି ଠାରେ ୧୦ ଦିନ ଧରି ଆନ୍ଦୋଳନ କରିବା ପରେ ସରକାର ଆଲୋଚନା ପାଇଁ ଡାକିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମହାସଂଘ ସହ ବୈଠକ ହୋଇ ଚାକିରି ସ୍ଥାୟୀକରଣ, ଛଟେଇ କର୍ମଚାରୀଙ୍କ ପୁନଃନିଯୁକ୍ତି ଏବଂ ଆଉଟସୋସିଂ ବ୍ୟବସ୍ଥାର ସୁଧାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ ବୋଲି ବଡ଼ ବଡ଼ କଥା କୁହାଯାଇଥିଲା। ସେତେବେଳେ ଲାଗିଥିଲା ଯେ ସରକାର ସତରେ କର୍ମଚାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତି କେବଳ ମଞ୍ଚର ଭାଷଣ ଓ କାଗଜ କଲମରେ ସୀମିତ ରହିଯାଇଛି।

          ସରକାରଙ୍କ ଏହି ନୀରବତା ଏବେ ପ୍ରଶ୍ନ ସୃଷ୍ଟି କରିଛି, ଆଉଟସୋସିଂ କର୍ମଚାରୀମାନେ କଣ କେବଳ ନିର୍ବାଚନ ସମୟର ଭୋଟ ବ୍ୟାଙ୍କ? କାମ ନେବାବେଳେ ସରକାରଙ୍କୁ ସେମାନେ ଆବଶ୍ୟକ, କିନ୍ତୁ ଅଧିକାର ଦେବାବେଳେ ସରକାରଙ୍କ ନୀତି ଓ ନିୟମ ମନେ ପଡ଼ୁଛି। ଦିନ ରାତି ସରକାରୀ କାର୍ଯ୍ୟାଳୟ ଚାଲୁ ରଖୁଥିବା କର୍ମଚାରୀମାନଙ୍କ ପ୍ରତି ଏପରି ଉଦାସୀନତା ସରକାରଙ୍କ ଶ୍ରମିକ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି।

          ରାଜ୍ୟର ପ୍ରାୟ ୭୦ ହଜାର ଆଉଟସୋସିଂ କର୍ମଚାରୀ ଆଜି ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ କାମ କରୁଛନ୍ତି। ଅତ୍ୟଳ୍ପ ଦରମା, ଚାକିରି ଯିବାର ଭୟ ଓ ପରିବାରର ଭବିଷ୍ୟତ ଚିନ୍ତାରେ ସେମାନେ ମାନସିକ ଚାପରେ ରହୁଛନ୍ତି। କିନ୍ତୁ ସରକାରଙ୍କ ପାଖରେ ଏହି ସମସ୍ୟାର ସମାଧାନ ପାଇଁ ନାହିଁ କୌଣସି ତତ୍ପରତା। ଯାହା ପ୍ରମାଣ କରୁଛି ଯେ ସରକାର କର୍ମଚାରୀଙ୍କ ଭାବନା ସହ ଖେଳ ଖେଳୁଛନ୍ତି।

           ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କୁ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। କର୍ମଚାରୀମାନଙ୍କ ଆଶା, ଜନପ୍ରତିନିଧିମାନେ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବେ ଏବଂ ଖାଲି ପ୍ରତିଶ୍ରୁତି ନୁହେଁ, ବାସ୍ତବ ପଦକ୍ଷେପ ନେବାକୁ ବାଧ୍ୟ କରିବେ।

           ଯଦି ସରକାର ଏବେ ମଧ୍ୟ ନିଦ୍ରାଭଙ୍ଗ ନ କରନ୍ତି, ତେବେ ଆଗାମୀ ଦିନରେ ଆଉଟସୋସିଂ କର୍ମଚାରୀଙ୍କ ଅସନ୍ତୋଷ ବଡ଼ ଆନ୍ଦୋଳନର ରୂପ ନେବା ସ୍ୱାଭାବିକ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମହାସଂଘ ସଭାପତି ସଞ୍ଜୟ ପଟ୍ଟନାୟକ । ଆଉଟସୋସିଂ କର୍ମଚାରୀମାନେ ଭିକ୍ଷା ନୁହେଁ, ନିଜ ହକ୍ ଓ ସମ୍ମାନ ଦାବି କରୁଛନ୍ତି। ସରକାରଙ୍କ ପାଇଁ ଏବେ ସମୟ ଆସିଛି, କଥା ନୁହେଁ, କାମ କରି ଦେଖାଇବାର। 

      ନଚେତ୍ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର ପ୍ରଭାବକୁ ଏଡାଇ ଦିଆଯାଇ ପାରିବ ନାହିଁ। ବର୍ଷ ବର୍ଷ ଧରି ଅବହେଳା ଓ ପ୍ରତାରଣାର ଶିକାର ହୋଇଥିବା ଆଉଟସୋସିଂ କର୍ମଚାରୀମାନେ ନିର୍ବାଚନ ସମୟରେ ନିଜ ଅସନ୍ତୋଷର ଜବାବ ଭୋଟ ମାଧ୍ୟମରେ ଦେବାକୁ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି। ସରକାର ଯଦି ଏବେ ମଧ୍ୟ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରିବେ ନାହିଁ, ତେବେ ଏହାର ରାଜନୈତିକ ପରିଣାମ ଭୋଗିବାକୁ ପଡ଼ିପାରେ।

Related posts

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

masiha

Leave a Comment

error: Content is protected !!