ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଛତ୍ରପୁର,ତା ୧୩/୦୫ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମର କମିଶନର ଏ ସସ୍ୟା ରେଡ୍ଡୀ, ଭଞ୍ଜନଗର ଉପଜିଲ୍ଲାପାଳ ଡ଼ଃ ଉମାଶଙ୍କର ବେହେରା , ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏହି ଆଲୋଚନାରେ ସମସ୍ୟା ଓ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ । ବିପର୍ଯ୍ୟୟ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମ୍ବନ୍ଧରେ ପାୱାର ପଏଣ୍ଟ ଜରିଆରେ ଉପସ୍ଥାପନ କରାଯାଇଥିଲା ଏବଂ ସେହି ଆଧାରରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ନଦୀବନ୍ଧ ଓ ସମୁଦ୍ରତଟ ସୁଦୃଢ଼ୀକରଣ, ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା, ଜଳ ନିଷ୍କାସନ, ଜନସାଧାରଣଙ୍କୁ ଆଗୁଆ ସୂଚନା ପ୍ରଦାନ, ସମ୍ବେଦନଶୀଳ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ, ଫସଲ କ୍ଷୟକ୍ଷତି, ସ୍ବାସ୍ଥ୍ୟ ଓ ପରିମଳ, ଆସନ୍ନ ପ୍ରସବା ମହିଳାଙ୍କୁ ଚିହ୍ନଟ ଓ ସେମାନଙ୍କର ଯତ୍ନ, ଯୋଗାଯୋଗ ସେବା, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ସମନ୍ୱୟ ଆଦି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପୂର୍ବରୁ ପ୍ରସ୍ତୁତ ରଖିବା ସହ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରାଇବା ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରବଣ ଜିଲ୍ଲା ଭାବେ ପରିଚିତ । ପ୍ରାକୃତିକ ବିପର୍ଯ୍ୟୟ ଜନିତ ଶୂନ୍ୟ ମୁତ୍ୟୁ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି । ସେହି ଅନୁଯାୟୀ ଜିଲ୍ଲାପ୍ରଶାସନକୁ ମୁଖ୍ୟତଃ କ୍ଷେତ୍ରୀୟ ସ୍ତରରେ ପ୍ରାକ ପ୍ରସ୍ତୁତି କରିବାକୁ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ପାନୀୟ ଜଳ, ଶୌଚାଳୟ ଆଦିର ସ୍ଥିତି ଠିକ୍ ଅଛି କି ନାହିଁ ତାହା ସାତ ଦିନ ମଧ୍ୟରେ ଜଣାଇବାକୁ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । 

ଅଗ୍ନିଶମ, ଓଡ୍ରାଫ୍,ଏନ୍.ଡି.ଆର୍.ଏଫ୍., ସ୍ୱାସ୍ଥ୍ୟ, ପରିମଳ, ଜଳ ସମ୍ପଦ, ପଶୁ ସମ୍ପଦ, ଯୋଗାଯୋଗ, ବିଦ୍ୟୁତ ବିଭାଗ, ଯୋଗାଣ ବିଭାଗକୁ ଆପାତକାଳୀନ ସ୍ଥିତିରେ ସଜାଗ ରହି ତତ୍କାଳ ସେବା ଯୋଗାଇ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଜନସାଧାରଣ ଗୁଜବରୁ ଦୂରେଇ ରହି ସରକାରୀ ସୂଚନାକୁ ଅନୁସରଣ କରିବା ପାଇଁ ଅନୁରୋଧ କରାଯାଇଛି । ନଦୀବନ୍ଧ ଗୁଡିକର ଦୁର୍ବଳ ସ୍ଥାନ ଗୁଡିକ ଚିହ୍ନଟ କରି ତୁରନ୍ତ ମରାମତି କାର୍ଯ୍ୟ କରିବାକୁ କହିଥିଲେ । ସମ୍ଭାବ୍ୟ ବନ୍ୟା, ବାତ୍ୟା କୁ ଦୃଷ୍ଟିରେ ରଖି ଶୁଖିଲା ଖାଦ୍ୟ, ଚୁଡା,ଗୁଡ ଆଦି ମହଜୁଦ୍ ରଖାଯାଇଥିବା କଥା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ଜିଲ୍ଲାରେ ଶିଶୁ ଖାଦ୍ୟ, ଔଷଧ ଓ.ଆର୍.ଏସ୍.ହାଲୋଜେନ୍ ବଟିକା ଯଥେଷ୍ଟ ପରିମାଣରେ ମହଜୁଦ୍ ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ । ଆବଶ୍ୟକୀୟ ଔଷଧ, ଗୋ ଖାଦ୍ୟ ମହଜୁଦ ଥିବା କଥା ଜିଲ୍ଲା ପଶୁସମ୍ପଦ ଅଧିକାରୀ ପ୍ରକାଶ କରିବା ସହ ପ୍ରାକ୍ ମୌସୁମୀ ନିମନ୍ତେ ପଶୁମାନଙ୍କର ଟୀକାକରଣ କାର୍ଯ୍ୟ ଚାଲୁ ରହିଥିବା କହିଥିଲେ । ଡ୍ରେନ୍ ଗୁଡିକର ସ୍ଥିତି ଯାଞ୍ଚ କରି ସେଗୁଡିକ ତୁରନ୍ତ ମରାମତି କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଶେଷରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ସୁନୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Sunil Chandra Nayak

ମ.ରାମପୁର ରେ ବିଶ୍ଵ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

ଯୋଗୀତି ଶକ୍ତି ପୀଠରେ ସାରସ୍ୱତ ସମାରୋହ: ଉନ୍ମୋଚିତ ହେଲା କବି ଚିତ୍ରସେନ ମହାରଣାଙ୍କ କବିତା ସଂକଳନ ‘ଚିତ୍ରସେନର ଚିନ୍ତାମଣି’

Sunil Chandra Nayak

Leave a Comment

error: Content is protected !!