ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁ ଧର ସୁତାର ଙ୍କ କବିତା ମାଆ

ମାଆ

ବେଣୁ ଧର ସୁତାର

 

ବାସନ୍ତୀ ଉଷାର ଅରୁଣିମା ସେତ

ବସନ୍ତ କୋକିଳ ଗୀତି

ନୟନେ ଯା ଭରା ନୀଳନୀଳସ୍ବପ୍ନ

ପୂଜାରିଣୀ ପୁଣ୍ୟବତୀ ।।

ମାଆ ଏକ ମଧୁ ଶବ୍ଦର ନିନାଦ

ହୃଦୟର ଅନୁକୋଣେ 

ଯା ଡାକ ଅମୃତ ପାବନ ପଣତ

ଶୀତଳତା ଦିଏ ପ୍ରାଣେ ।।

ପରଶ ଯାହାର ସରଳ ଆଖିର

କଅଁଳ ବହଳ ନିଦ

ମମତା ତାହାର ଜୀବନ ଯଜ୍ଞର

ଅମୃତକ୍ଷରା ବେଦ ।।

ତ୍ୟାଗ ତିତିକ୍ଷାର ମୁର୍ତ୍ତିମନ୍ତ ଦେବୀ

ମମତାର ମନ୍ଦାକିନୀ

ଅନନ୍ତ ବିଶ୍ବର ପ୍ରାଣ ସଞ୍ଜିବନୀ

ପୀୟୂଷ ମଧୁ ପ୍ଳାବିନୀ ।।

ସ୍ନେହବୋଳାଭାଷ ଅମିୟ ଆଶ୍ଳେଷ

ତା ବାତ୍ସଲ୍ୟ ମଧୁବ୍ରତ

ସେ ବିଶ୍ବଜନନୀ ଅମୃତ ସୃଜନୀ

ଅନ୍ତଃସଲିଳା ସ୍ରୋତ ।।

ମାଆ ମମତାର ବିମୁଗ୍ଧ ବନ୍ଧନ

ଚିର ଆକାଂକ୍ଷିତ ଧନ

ତା ଅନ୍ତରେ ଭରା ବିଶ୍ବ କଲ୍ୟାଣ

ସ୍ନେହ ସଞ୍ଚିତ ତା ମନ ।।

ପୀୟୂଷ ବୋଳାତା ପଣତ କାନିଟା

ମମତା ଅଥଳ ସିନ୍ଧୁ

ଅନୁରାଗେ ଭରା ପୁଣ୍ୟ ପସରା

ତୃପ୍ତିର ଅମୃତ ବିନ୍ଦୁ ।।

ସେ ପୁଣ୍ୟ ଜନନୀ ମୁଗ୍ଧା ତପସ୍ବିନୀ

କଣ୍ଠେ ଭରିଦିଏ ଭାଷା

ଯା ପାଇଁ ଜୀବନ ମହକ ମଧୁର

ପୁଷ୍ପିତ ନୀଳ ଆଶା ।।

ତା ଅମୂଲ୍ୟଦାନ ମିଠା ସମ୍ମୋହନ

ଜୀବନର ଉପାଦାନ

ନାନାବାୟା ଗୀତେ

                     ତୋଳିଦିଏ ହାତେ

ନୀଳ ଆକାଶର ଜହ୍ନ ।।

ମାଆର କୋଳଟି ନିର୍ଭୟ ଆଶ୍ରୟ

ବାତ୍ସଲ୍ୟ ମମତା ଦୋଳି

ମିଠା ସପନର ମମତା ଅବିର

ଜୀବନରେ ଦିଏ ବୋଳି ।।

ଚୁମ୍ବନ ଯାହାର ଦୁର୍ଲ୍ଲଭ ଐଶ୍ବର୍ଯ୍ୟ

ବିରଳ ଅଳକା କୋଳେ

ସେଥିପାଇଁ ବୋଧେ 

                      ମର୍ତ୍ତ୍ୟେ ଜନ୍ମିବାକୁ

ଦେବତାର ମନ ବଳେ ।।

ମାଆ ମମତାର ଅମୃତ ନିର୍ଝର

କୋଟି କୈବଲ୍ୟ ତା କୃପା

ସ୍ନେହ ବନ୍ଧନର ପରିପୂର୍ଣ୍ଣ ଧାରା

ଜନନୀ ସେ ବିଶ୍ବରୂପା ।।

ଯେତେବର୍ଣ୍ଣିଲେବି ଅବର୍ଣ୍ଣନୀୟାସେ

ନାହିଁ ତା ବିକଳ୍ପ ଭୂତି

ସବୁରି ଉର୍ଦ୍ଧ୍ବେ ତା ପବିତ୍ର ଆସନ

ସେ ଜନନୀ ପୁଣ୍ୟବତୀ ।।

କେଶଦୁରାପାଳ କେନ୍ଦୁଝର

 

Related posts

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!