ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

ରାଉରକେଲା : ଇସ୍ପାତ କାରଖାନା ଅବସରପ୍ରାପ୍ତ ସିନିୟର ସିଟିଜେନ ଓ୍ବେଲଫେୟାର ଗୃପ ପକ୍ଷରୁ ଏକ ବୈଠକ ଆବାହକ ପ୍ରଭାକର ମଲ୍ଲିକଙ୍କ ଆହ୍ୱାନରେ ସେକ୍ଟର-୧୬ ସ୍ଥିତ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପରିଚାଳନା କମିଟି ଗଠନକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ଓ କର୍ମଚାରୀ ବିରୋଧୀ ପଦକ୍ଷେପ ପ୍ରତିବାଦରେ ଏହି ଆଲୋଚନା ଆୟୋଜିତ ହୋଇଥିଲା। ଲାଇସେନ୍ସ ଆଧାରରେ ଅବସରପ୍ରାପ୍ତ କର୍ମଚାରୀମାନେ ନେଇଥିବା କ୍ୱାର୍ଟରର ଏକ୍ସଟେନସନ୍ ଭଙ୍ଗା ନୋଟିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୧୮ ମାସିଆ କ୍ୱାର୍ଟର ରିଟେନସନ୍ ସ୍କିମ୍‌ର ପୁନଃ ପ୍ରଚଳନ ଏବଂ କର୍ମରତ କର୍ମଚାରୀଙ୍କ ପାଇଁ ଡବଲ୍ କ୍ୱାର୍ଟର ସ୍କିମ୍‌କୁ ବଳବତ୍ତର ରଖିବା ଦାବିରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ସଂଖ୍ୟାରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ଆରଏସପି ସମର୍ଥନ ଜଣାଇଥିଲେ। ଧବଳେଶ୍ୱର ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା କରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ ଉଦବୋଧନ ଦେଇଥିଲେ। ରାଉରକେଲା ଶ୍ରମିକ ସଂଘର ସାଧରଣ ସମ୍ପାଦକ ପ୍ରଶାନ୍ତ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯେଉଁ ଶ୍ରମିକମାନେ ନିଜ ଜୀବନର ଅମୂଲ୍ୟ ସମୟ, ଶ୍ରମ, ଲୁହ ଓ ଲହୁ ଦେଇ ଇସ୍ପାତ କାରଖାନା ଏବଂ ଇସ୍ପାତ ନଗରୀ ଗଢ଼ିଛନ୍ତି, ସେମାନଙ୍କୁ ଅବସର ପରେ ଅଯଥା ହଇରାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଚେତାବନୀ ଦେଇ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି କ୍ୱାର୍ଟର ବାବଦରେ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି ଏବଂ ମାସିକ ଭଡ଼ା ମଧ୍ୟ ନିଆଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଳପୂର୍ବକ ଉଚ୍ଛେଦ କରିବାର ଯେକୌଣସି ପ୍ରୟାସକୁ ସେ ଦୃଢ଼ ଭାବେ ବିରୋଧ କରିବେ। କୌଣସି ପରିସ୍ଥିତିରେ କ୍ୱାର୍ଟର ଏକ୍ସଟେନସନ୍ ବା ଭଙ୍ଗାଯିବାକୁ ଦିଆଯିବ ନାହିଁ। ଏଥିସହିତ ଏଥିରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇସ୍ପାତ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ। ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି। ବିଶେଷ ଅବସରରେ ସଂଗଠନର ମୂଳ ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ସମାଜର ବରିଷ୍ଠ ନାଗରିକ ମାନଙ୍କର ଦୈନନ୍ଦିନ କଲ୍ୟାଣ ତଥା ସେବା ପ୍ରଦାନ ନିମନ୍ତେ ଆଲୋଚନା ହୋଇଥିଲା।ଲାଇସେନ୍ସ କ୍ୱାର୍ଟରଧାରୀ ଘର ସଂପ୍ରସାରଣ ହଟାଇବା ପାଇଁ ଆରଏସପି ନୋଟିସ ଜାରି କରିବା ପରେ ପ୍ରାୟ ୫ ହଜାର ଲାଇସେନ୍ସଧାରୀ ଏବେ ଘୋର ମାନସିକ ଚାପରେ ରହିଛନ୍ତି। ଏହି ଦୁର୍ଦ୍ଦିନ ସମୟରେ ସିନିୟର୍ ସିଟିଜେନଙ୍କ ସପକ୍ଷରେ ଶ୍ରମିକ ସଂଗଠନ, ରାଜନୈତିକ ଦଳ, ସ୍ଥାନୀୟ ଜନପ୍ରତିନିଧି ପ୍ରତିନିଧି ପ୍ରମୁଖ ଆଗକୁ ଆସି ଆରଏସପି କର୍ତ୍ତୃପକ୍ଷ ନିଷ୍ପତ୍ତିକୁ କଡା ସମାଲୋଚନା କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି ସମସ୍ୟାକୁ କିପରି ସମାଧାନ କରାଯାଇପାରିବ, ସେ ନେଇ ଏକ ମାନସ ମନ୍ଥନ ଆରମ୍ଭ ହୋଇଛି। ସାଧାରଣ ବୈଠକରେ ଆଗକୁ ଆସିଥିବା ଜନ ପ୍ରତିନିଧି , ସମାଜସେବୀ ଓ ଶ୍ରମିକ ସଂଗଠନର ନେତୃତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଅତିଥିମାନଙ୍କ ମଧ୍ୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଯୁବ ସମାଜସେବୀ ପ୍ରଶାନ୍ତ ସେଠୀ, ଗୋପାଳ ଜେନା , ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ଦିଲ୍ଲୀପ ପଟ୍ଟନାୟକ, ବିଜେପି ନେତା ମନୋରଞ୍ଜନ ମୁନୀ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଥିଲେ। ସେମାନେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ସମସ୍ତେ ଏକଜୁଟ୍ ହୋଇ ଆନ୍ଦୋଳନ କଲେ ଏ ସମସ୍ଯାର ସମାଧାନ ହୋଇପାରିବ ବୋଲି ମତପୋଷଣ କରିଥିଲେ। ପୂର୍ବରୁ ଆରଏସପି ଲିଜ୍ ସୁତ୍ରରେ କେତେକ ଘର ପ୍ରଦାନ କରିଥିଲେ। ଏବେ ସମସ୍ତ ଲାଇସେନ୍ସ କ୍ବାଟରକୁ ଲିଜ୍ ସୁତ୍ରରେ ପ୍ରଦାନ ନେଇ ଆରଏସପି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହ ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅନୁରୋଧ କରିବା ପାଇଁ ଏକ ସ୍ବତନ୍ତ୍ର ପ୍ରସ୍ତାବ ପାରିତ କରାଯାଇଥିଲା। 

   ଦ୍ବିତୀୟ ପର୍ଯ୍ୟାୟରେ ଆରଏସପି ସିନିୟର ସିଟିଜେନ ଓ୍ବେଲଫେୟାର ଗ୍ରୁପର ଏକ କୋର କମିଟି ଘୋଷଣା କରାଯାଇଥିଲା। ଏହି କୋର କମିଟିରେ ଆବାହକ ଭାବେ ପ୍ରଭାକର ମଲ୍ଲିକ ରହିଥିବା ବେଳେ ସଦସ୍ୟ ବୃନ୍ଦଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ପରିଡା, ସନ୍ତୋଷ କୁମାର ମହାପାତ୍ର, ତୁଷାର କାନ୍ତି ନାୟକ, ଜ୍ୟୋତି ରଞ୍ଜନ ମହାପାତ୍ର,ସଚିନ ରାୟ, ଜଗନ୍ନାଥ ରାଉତ,ରିପୁଦାମନ ଜେନା, କୁଳମଣି ମାହାନ୍ତି, ଶାନ୍ତନୁ କୁମାର ପ୍ରଧାନ, ଲୋକେଶ ରାଉତ, ଦିବାକର ସାମଲ, ବସନ୍ତ କୁମାର ନାୟକ, ନିଳକଣ୍ଠ ପରିଡା, ପ୍ରଶାନ୍ତ କୁମାର ଦାସ,ବିଜୟ କୁମାର ମହାପାତ୍ର, ଶରତଚନ୍ଦ୍ର ପାଣ୍ଡବ, ସୁଶାନ୍ତ କୁମାର ପ୍ରଧାନ, ମୀନକେତନ ନନ୍ଦ ଓ ଅନାଦୀ ଚରଣ ରାଉତ ପ୍ରମୁଖ ରହିଛନ୍ତି। 

      ଆଗାମୀ ଦିନରେ ସିନିୟର ସିଟିଜେନ୍ ଓ୍ବେଲଫେୟାର ଗ୍ରୁପର ସମସ୍ତ ଭଲମନ୍ଦ ଓ ନିଷ୍ପତ୍ତି କୋର କମିଟି ପକ୍ଷରୁ ନିଆଯିବା ନେଇ ସ୍ଥିରୀକୃତ ହୋଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜପୁର ବିଦ୍ୟଳୟରେ ଅବସର ଯବାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!